!! ୧ !!
ସହନଶକ୍ତିର ପ୍ରସ୍ତର ଯେବେ ତରଳି ଯାଏ
ଧୈର୍ଯ୍ୟର ବନ୍ଧ ଭାଙ୍ଗି ପ୍ଲାବିତ କରିଦିଏ
ସୁନ୍ଦର ଢଳ ଢଳ ନୟନ ରାଇଜକୁ
ତାକୁ ସମସ୍ତେ କହନ୍ତି “ଲୁହ” ।
!! ୨ !!
ଯେବେ କେବେ ପୂର୍ଣ୍ଣତାର ବାରି
ସିଞ୍ଚି ହୋଇଯାଏ ମନ ବଗିଚାରେ,
ଉଚ୍ଛ୍ୱାସର ବୀଜଟିଏ ଉଙ୍କି ମାରେ,
ବୟଃ କ୍ରମେ, ଖୁସିର ଗୋଲାପଟିଏ
ଫୁଟି ଉଠେ ଅଧର ବୃକ୍ଷରେ,
ଆଉ ତା’ ରଙ୍ଗରେ ରଙ୍ଗୀନ
ହୋଇଯାଏ ଚିବୁକ ରାଇଜ,
ତାକୁ ସମସ୍ତେ କହନ୍ତି “ହସ” ।
!! ୩ !!
ଲୁହର ବନ୍ୟା ଯେବେ
ମାଡ଼ି ଯାଏ ମନ ବଗିଚାରେ,
ଉପୁଡ଼ି ଯାଏ ହସର ଗୋଲାପ ଗଛ,
ଆଉ ବିବର୍ଣ୍ଣ ଦିଶେ ମୁଖ ପ୍ରଦେଶ,
ତାକୁ ସମସ୍ତେ କହନ୍ତି “ଯନ୍ତ୍ରଣା” ।
!! ୪ !!
କେହି ଜାଣୁ ବା ନ ଜାଣୁ,
ସମସ୍ତେ କହନ୍ତୁ ବା ନ କହନ୍ତୁ,
ମୁଁ କିନ୍ତୁ କହିବି
କାରଣ ମୁଁ କବିଟିଏ ।
ଏଇ ହସ, ଲୁହ ଆଉ ଯନ୍ତ୍ରଣାର
ଫେଣ୍ଟାଫେଣ୍ଟି ସରବତ୍ ଅଟେ ଏଇ ଜୀବନ,
ଯାହାକୁ ପିଇ ପାରିଲେ ପ୍ରଶାନ୍ତି,
ଆଉ ନପିଇ ପାରିଲେ
ଖାଲି ଅବଶୋଷ ହିଁ ଅବଶୋଷ ॥
– ବିଶ୍ୱନାଥ କିଙ୍କର ରାଉତ