You are currently viewing ଏମିତିକା ବୋଉ (ଶାଶୁ) ମିଳନ୍ତେ କି
ଏମିତିକା ବୋଉ (ଶାଶୁ) ମିଳନ୍ତେ କି

ଏମିତିକା ବୋଉ (ଶାଶୁ) ମିଳନ୍ତେ କି

ଏମିତିକା ବୋଉ ମିଳନ୍ତେ କି
ଶାଶୁ-ବୋହୂ ଆମେ
ରାତି ନପାହୁଣୁ
ଚା’ ଦି’ କପ ଧରି
ସାରା ରାଇଜଟା ଗପ ଗପନ୍ତୁ କି !

ଏମିତିକା ବୋଉ ମିଳନ୍ତେ କି
ଭାଷାଗତ ପ୍ରଭେଦ
ଛକା ପଞ୍ଝା ଆଉ
କଥା କଟାକଟିରେ
ଦିନଗୁଡ଼ା କଟି ଯାଆନ୍ତା କି !

ଏମିତିକା ବୋଉ ମିଳନ୍ତେ କି
ଗେହ୍ଲେଇ କି ଆଦେଶ ଦିଅନ୍ତେ
ଭୁଲ ବଟକାରେ
ଗାଳି ନକରି
ହସମଜାରେ ସୁଧାରି ଦିଅନ୍ତେ କି !

ଏମିତିକା ବୋଉ ମିଳନ୍ତେ କି
ଆରିସା ଚିତ୍ତଉ
ପୋଡ଼ କାକରା
ଘାଣ୍ଟ ଘାଣ୍ଟିବାର ସରଳ
ବିଧିଟା ବତେଇ ଦିଅନ୍ତେ କି !

ଏମିତିକା ବୋଉ ମିଳନ୍ତେ କି
ମୋ ଖାଇବା ଲାଳସାକୁ
ସାବାଡ଼ କରି
ସାବିତ୍ରୀ, ସୁଦଶା, ମାଣବସା
ପୂଜା ପଦ୍ଧତି ପାଠ ପଢ଼ାନ୍ତେ କି !

ଏମିତିକା ବୋଉ ମିଳନ୍ତେ କି
ସଦାବେଳେ ପୁଅକୁ
ସମର୍ଥନ ନକରି
କେବେକେବେ ବୋହୂ ପାଖିଆ ବି
ଆଖିଦେଖେଇ ବାହାରି ପଡ଼ନ୍ତେ କି !

ଏମିତିକା ବୋଉ ମିଳନ୍ତେ କି
ଗୀତା ଭାଗବତ
ଗୀତଗୋବିନ୍ଦ
ରାମାୟଣ ଚର୍ଚ୍ଚାରେ
ଆମ ସଞ୍ଜଟା କଟି ଯାଆନ୍ତା କି !

– ପଲ୍ଲବୀ ପୂଜାପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।