You are currently viewing ଶେଷ ଅନୁରୋଧ
Odia Poem Sesha Anurodha (ଶେଷ ଅନୁରୋଧ) by Snigdha Panda

ଶେଷ ଅନୁରୋଧ

କବିତା,
ତୋ’ର ମୋର କଥା ଥିଲା
ତୁ ମତେ ନିଦ ଦେବୁ
ନ ହେଲେ ସ୍ୱପ୍ନ ଦେବୁ
ହେଲେ ତୁ
ନା ଦେଲୁ ନିଦ, ନା ଦେଲୁ ସ୍ୱପ୍ନ
ଏବେ କହ ମୋ’ ଆଖିକୁ ଚାହିଁ
ତୁ କ’ଣ ପ୍ରତାରଣା କଲୁନାହିଁ??

ମୁଁ ଯେବେ ବାଟ ଚାଲୁଥିଲି
ତୁ ମୋର ସାଥୀ ହେଲୁ
ସବୁଦିନ ଚାଲିବୁ ମୋ’ ସାଥେ ବୋଲି
ଆକାଶକୁ ସାକ୍ଷୀ ରଖି କଥା ଦେଇଥିଲୁ
ଅଥଚ ଆକାଶର ବର୍ଷାସବୁ
ଝରାଇଲୁ ଆଖିଦେଇ ମୋର
ଅଭିଯୋଗ କରିବିନି ବୋଲି
ଅଲିଖିତ ସର୍ତ୍ତପତ୍ର ତଳେ
ମାଗିନେଲୁ ସ୍ୱାକ୍ଷର ॥

ତତେ ବାଦ୍‍ ଦେଇ ଏବେ
କେମିତି ଏ ଜୀବନ ବହୁଛି
ଉଛୁଳା ନଈଟିଏ ହୋଇ
ଅନିର୍ଦ୍ଦିଷ୍ଟ କାଳ ସମୁଦ୍ରକୁ
ତୁ ଥରେ ଦେଖି ଯା’
ନିଃସଙ୍ଗତା ମାନେ କ’ଣ
ବିଦଗ୍ଧ ସେ କଦମ୍ବବନରେ
ଝରାପତ୍ର ତଳେ ଆଉଥରେ ଲେଖି ଯା’
ଶେଷ ଏଇ ଅନୁରୋଧ ମୋର
ଫିକା ପଡ଼ିଥିବା ହୃଦୟ ରକ୍ତରେ
ରଙ୍ଗ କିଛି ମାଖି ଯା’ ॥

– ସ୍ନିଗ୍ଧା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ନିଗ୍ଧା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।