You are currently viewing ତୁମେ ହିଁ ତୁମେ
Odia Poem Tume hin Tume (ତୁମେ ହିଁ ତୁମେ) by Manjurani Mishra

ତୁମେ ହିଁ ତୁମେ

ତୁମେ ଅନନ୍ତ ଅବିଭକ୍ତ ମନ୍ଦାକିନୀ ସ୍ରୋତ
ତୁମେ ବିଶ୍ୱାସର ବିଦେହୀ ସଂକେତ
ଭୂମି ଠାରୁ ଭୂମା ପର୍ଯ୍ୟନ୍ତ ।

ତୁମେ ଆବୃତ୍ତ ପୁଣି ଅନାବୃତ୍ତ
ତୁମେ ଦାରୁବ୍ରହ୍ମ ସଂକ୍ଷିପ୍ତ ପୁଣି ବିସ୍ତାରିତ ।

ତୁମେ ସୃଷ୍ଟି ପରିବ୍ୟାପ୍ତ ଯୋଜନ ଯୋଜନ
ତୁମେ ସମୟର ସଞ୍ଜୀବନୀ ଉତ୍ଥାନ ପତନ ।

ତୁମେ ବିଶ୍ୱ ରୂପରେ ଉଦ୍ଭାସିତ
ତୁମେ ଅନନ୍ତ ଶୟନରେ ବିରାଜିତ
କୋଟି ବ୍ରହ୍ମାଣ୍ଡର ଆଭା
ପରିତୃପ୍ତ ଅକ୍ଷୟ ଅବ୍ୟକ୍ତ ।

ତୁମ ଓଁ-କାର ଧ୍ଵନିରେ ମୁଁ ବିଗଳିତ
ଗୀତ ଗୋବିନ୍ଦ ପଦ୍ୟର ରାଗିଣୀରେ
ବିସ୍ମିତ ବିମୋହିତ ।

ମୋ ଦୁଃଖର ଗଜରା ମାଳ
ହାତ ବଢ଼େଇ ପିନ୍ଧି ଦିଅ ଏଇ ଥରକ,
ତୁମ ଧୂପ ଦୀପ ନୈବେଦ୍ୟ ମହକରେ
ଲିଭି ଯାଉ ମୋ ମନର ଶୋକ ।

ଏ ଜନ୍ମର ପାଉଣା ଆର ଜନ୍ମକୁ ବାକି ଥାଉ
ଷାଠିଏ ପଉଟି ଭୋଗରୁ
କିଛି ନ ମିଳିଲା ନାହିଁ
କଣିକାଏ ନିର୍ମ୍ୟାଲ୍ୟରେ
ଶୋଷ ମୋର ମେଣ୍ଟି ଯାଉ
ଶୋଷ ମୋର ମେଣ୍ଟି ଯାଉ ।

– ମଞ୍ଜୁରାଣୀ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଞ୍ଜୁରାଣୀ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।