You are currently viewing ରଜ ଛୁଟି
ରଜ ଛୁଟି

ରଜ ଛୁଟି

ଗତବର୍ଷ ରଜ ସମୟର କଥା, ରଜକୁ ଆଉ ମାତ୍ର ଦୁଇଚାରି ଦିନ ବାକି ଥାଏ । ଆମ କମ୍ପାନୀର ସବୁ ଓଡ଼ିଆ ପିଲା କଥା ହେଲୁ କି ଏଥର ସମସ୍ତେ ମିଳିମିଶି ଆମ କମ୍ପାନୀ ମାଲିକଙ୍କୁ କହି କିଛି ଦିନ ଛୁଟି ନେଇ ଯାଇ ଗାଆଁରେ ରଜ ପାଳିବୁ । ତା’ପରେ ସମସ୍ତେ ମିଶି ମାଲିକଙ୍କ ପାଖକୁ ଯାଇ ଏଥର ରଜ ପାଇଁ ନିଜ ଇଛା ମୁତାବକ (ଦିନେ ବା ଦୁଇ ଦିନ) ଛୁଟି ପାଇଁ କହିଲୁ । କିନ୍ତୁ ସମସ୍ତେ ଛୁଟି ନେଇ ଚାଲିଗଲେ କାମ କିପରି ହବ ବୋଲି ଭାବି ସେ ଛୁଟି ଦେବା ପାଇଁ ସିଧା ମନା କରିଦେଲେ । ସେ ଅଣଓଡ଼ିଆ ଥିଲେ ତେଣୁ କହିଲେ, “ତୁମ୍ ଲୋଗ୍ ରଜ ମେ କ୍ୟା କରତେ ହୋ, ଝୁଲା ପର୍ ଝୁଲତେ ହୋ ନା? ବାସ୍ ଠିକ ହେ ତୋ ଇସବାର୍ ମେନେ ହମାରେ କମ୍ପନୀ ପର୍ କଇ ସାରେ ଝୁଲା କେ ବନ୍ଦୋବସ୍ତ କରତା ହୁଁ, ଔର ତୁମ୍ ସବ୍ ଲୋଗ୍ ଡ୍ୟୁଟି ଖତମ ହୋନେ ସେ ଏକ୍ ଘଣ୍ଟେ ପହଲେ ଆ ଯାନା ଔର ଜିତନା ମନ କରେ ଝୁଲା ପର୍ ଝୁଲତେ ରହନା ।” ଏମିତି କିଛି କହି ସେ ଆଉ ଆମମାନଙ୍କର କିଛି କଥା ନ ଶୁଣି ଆମମାନଙ୍କୁ ବିଦା କରିଦେଲେ । କିନ୍ତୁ ଜଣେ ଅଣ ଓଡ଼ିଆ ହେତୁ ସେ କ’ଣ ବା ବୁଝିବେ ଗାଆଁରେ ଆମମାନଙ୍କ ରଜ ମଉଜ, ପୋଡ଼ପିଠା, ସାଙ୍ଗସାଥୀଙ୍କ ସହ ବୁଲା ଓ ସିନେମା ଦେଖିବାର ମଜା ବିଷୟରେ । ସେଦିନ ରଜ ଛୁଟି ନ ମିଳିବା କଥା ଶୁଣି ସମସ୍ତେ ମନଦୁଃଖରେ ଫେରିଆସିଲେ, ତେଣୁ କାମରେ ଆଉ କାହାର ମନ ଲାଗୁନଥାଏ । ମୋ ମନ ବି ଯମା ବୁଝୁନଥାଏ, ଅନେକ ଦିନ ହେବ ଘରକୁ ଯାଇ ନଥିଲି, ତେଣୁ ଏଥର ରଜରେ ନିଶ୍ଚୟ ଯାଇ ଗାଆଁରେ ସାଙ୍ଗମାନଙ୍କ ସହ ବହୁତ ବୁଲିବି ବୋଲି ସ୍ଥିର କରିଥିଲି । ତେଣୁ ଗାଁ ଓ ଘର କଥା ବହୁତ ମନେପଡ଼ୁଥାଏ । ସେଦିନ ଅଫିସ କାମ ସାରି ରୁମକୁ ଫେରିଆସିଲୁ, ସମସ୍ତେ ଯିଏ ଯେମିତି ନିଜ ମନକୁ ବୁଝାଇ ଦେଲେ, ମୁଁ କିନ୍ତୁ ପାରୁ ନଥାଏ । ତେଣୁ ମନେ ମନେ ସ୍ଥିର କଲି ଆଉ କିଏ ନ ଯାଆନ୍ତୁ ପଛେ କାଲି ମୁଁ ଆଉ ଥରେ ଯାଇ ଆମ ମାଲିକଙ୍କୁ ଛୁଟି ପାଇଁ କହିବି । ତା’ପରଦିନ ଅଫିସରେ ସାହସ କରି ରଜ ଛୁଟି ପାଇଁ ମାଲିକଙ୍କୁ ଅନୁରୋଧ କରିଥିଲି । ବହୁତ କଷ୍ଟରେ ମାତ୍ର ଗୋଟିଏ ଦିନ (ଶେଷ ରଜ) ଛୁଟି ଦେବା ପାଇଁ ସେ ରାଜି ହୋଇଥିଲେ । ଏହାପରେ ମୁଁ ତାଙ୍କୁ ସେହି ରଜ ଛୁଟିରେ ଆମ ଘରକୁ ନିମନ୍ତ୍ରଣ କରିଥିଲି ।

ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷ ରଜ ଦିନ ମୁଁ ଓ ଆମ ସାର୍ (କମ୍ପାନୀ ମାଲିକ) ତାଙ୍କ ଗାଡ଼ିରେ ବାହାରିଥିଲୁ ଆମ ଗାଁ ଅଭିମୁଖେ । ଦୀର୍ଘ ସମୟର ଯାତ୍ରା ପରେ ଆମ ଗାଁକୁ ପ୍ରବେଶ କଲା ବେଳେ ଗାଁ’ମୁଣ୍ଡ ବରଗଛରେ ପିଲାମାନେ ଦୋଳି ଖେଲୁଥିବା ଦେଖି ମୋ ମନରେ ଆହୁରି ଉତ୍କଣ୍ଠା ବଢ଼ି ଯାଇଥିଲା । ଗାଁ ମୁଣ୍ଡରୁ ଘରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରଜ ପର୍ବ ପାଳନର ଆସର ଦେଖି ମୋ ମନ ଖୁସି ହୋଇଯାଇଥିଲା । କିଛି ସମୟ ମଧ୍ୟରେ ଆମେ ଆସି ଆମ ଘରେ ପହଞ୍ଚି ଯାଇଥିଲୁ । ଘରେ ମଧ୍ୟ ମତେ ଦେଖି ବହୁତ ଖୁସି ହୋଇଯାଇଥିଲେ । ଘରେ ପହଞ୍ଚି ଗୋଡ଼ହାତ ଧୋଇ ଆମେ ବସି ଯାତ୍ରା ଜନିତ କ୍ଳାନ୍ତି ମେଣ୍ଟାଉଥାଉ, ଏହା ଭିତରେ ଅନେକ ଗୁଡ଼ିଏ ରଜ ପିଠା ଆଣି ମାଆ ଆମ ସମ୍ମୁଖରେ ଖାଇବା ପାଇଁ ରଖି ଦେଇଥିଲେ । ତା’ ଭିତରେ ଥିଲା କାକରା, ମଣ୍ଡା, ଆରିସା, ଚକୁଳି, ପୋଡ଼ପିଠା, ଖିରି ଏମିତି ଅନେକ କିଛି । ଏତେ ସବୁ ଖାଇବା ଦେଖି ଆମ ସାର୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ଆରେ ଇତନେ ସାରେ ଖାନା ହମ୍ କୈସେ ଖାଏଙ୍ଗେ” କିନ୍ତୁ ମାଆଙ୍କର ବାଧ୍ୟ ହେତୁ ଆମକୁ ସବୁ ଖାଇବାକୁ ପଡ଼ିଲା । ମୁଁ ତ ସବୁ ଖୁସିରେ ଖାଇଦେଉଥାଏ, କିନ୍ତୁ ଆମ ସାର୍ ଖାଇ ପାରୁନଥାନ୍ତି । ସବୁ ପିଠା ଖାଇ ସାରି ମୁଁହ ଧୋଇବା ପରେ ମାଆ ଆଣି ଆମ ଦୁହିଁଙ୍କୁ ରଜ ପାନ ଦୁଇଟି ବଢ଼ାଇ ଦେଇଥିଲେ । ମିଠା ରଜ ପାନ ଆମେ ମହାଆନନ୍ଦରେ ଖାଇଦେଇଥିଲୁ । ଖାଇସାରି ଖରାବେଳେ କିଛି ସମୟ ବିଶ୍ରାମ ନେଇଥିଲୁ । ଅପରାହ୍ନରେ ପୁଣି ମୁଁ, ଆମ ସାର୍ ଓ ମୋର ଗାଁ ସାଙ୍ଗମାନଙ୍କ ସହ ଗାଆଁର ରଜ ପାଳନ ଦେଖିବାକୁ ବହାରିଥିଲୁ । ଏହି ବୁଲିବା ଭିତରେ ଆମେମାନେ ବିଭିନ୍ନ ଖେଳ ଯଥା ପୁଅମାନଙ୍କର କବାଡ଼ି, ଗାଁ ପୁରୁଷ ଲୋକମାନଙ୍କର ତାସ୍, ମହିଳାଙ୍କର ଲୁଡୁ ଓ ଗାଁ ଝିଅ ମାନଙ୍କର ପୁଚି ଓ ଦୋଳି ଖେଳ ଦେଖିଥିଲୁ । ଆମ ସାର୍ ଭାରି ମଜାଳିଆ ବ୍ୟକ୍ତି ଥିଲେ, ତେଣୁ ଏହି ବୁଲିବା ଭିତରେ ସେ ମତେ କହିଥିଲେ, “ଆରେ ତୁମ୍ହାରେ ଗାଁଓ ପର୍ ତୋ ବହତ୍ ସାରେ ସୁନ୍ଦର ଲଡ଼କିଆଁ ହେ, ମେରେ ଶାଦି କେ ଲିଏ ୟହିଁ ସେ କିସି ଏକ୍ ତୋ ତୟ କରନା ଅଛା ହୋଗା ।” ଆମେ ସମସ୍ତେ ବହୁତ ହସିଥିଲୁ । ଏମିତି ସେଦିନ ବହୁତ ମଜାମସ୍ତିରେ ବୁଲାବୁଲି ରାତିରେ ଘରକୁ ଫେରିଥିଲୁ । ରାତି ଖାଇବା ସାରି ସେ ଦିନ ଜଲଦି ଶୋଇ ପଡ଼ିଥିଲି, କାରଣ ତା’ ପର ଦିନ ପୁଣି ସକାଳେ ଶୀଘ୍ର ଉଠି ଅଫିସ ଆସିବାର ଥିଲା ।

ତା’ପର ଦିନ ସକାଳୁ ଶୀଘ୍ର ଉଠି ସାର୍‌ଙ୍କୁ ମଧ୍ୟ ଉଠାଇ ଅଫିସ ବାହାରିବା ପାଇଁ କହିଥିଲି । କିନ୍ତୁ ସାର୍ ମତେ କହିଲେ, “ଆରେ ଇତନେ ଜଲଦି କ୍ୟା ହେ, ଆଜ ତୁମ୍ହାରେ ଗାଁଓ କେ ନଦୀ ପର୍ ଥୋଡ଼ା ନାହାଁୟେଙ୍ଗେ, ଔର କୁଛ ପିଠା ଖାଏଙ୍ଗେ ଉସକେ ବାଦ୍ ଯାଏଙ୍ଗେ । ଔର ହଁ ଅଗଲେ ସାଲ୍ ଏକ୍ ଦିନ୍ ନହିଁ, ତୁମ୍‌ହେ ତିନ ଦିନ କା ଛୁଟି ମିଲେଗା, ମେ ଭି୍ ଫିର୍ ତୁମ୍ହାରେ ସାଥ୍ ଜରୁର ଆଉଁଗା ।”

ଜାଣିନଥିଲି ଆର ବର୍ଷ ସେ କମ୍ପାନୀରେ ଚାକିରୀ କରୁଥିବି କି ନାହିଁ । କିନ୍ତୁ ସାର୍‌ଙ୍କ ମୁହଁରୁ ଏହି କିଛି ପଦ କଥା ଶୁଣି ମୋ ମନ ଖୁସି ହୋଇଯାଇଥିଲା । ଏହା ମଧ୍ୟ ଜାଣି ଗର୍ବ ଲାଗିଲା ଯେ ଆମ ସଂସ୍କୃତି, ପରମ୍ପରା, ପର୍ବପର୍ବାଣି, ଓ ଆମ ଗାଁ ମାଟି ଅଳ୍ପ କିଛି ସମୟରେ ଜଣେ ଅଜଣା ଅଣ ଓଡ଼ିଆ ଲୋକକୁ ବି ତା ପ୍ରତି ଆକୃଷ୍ଟ କରିପାରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପର୍ଶୁରାମ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।