କେତେ ଦିନକୁ ମନ
କେତେ ଦିନକୁ ମନ

କେତେ ଦିନକୁ ମନ

କେତେ ଦିନକୁ ମନ କରୁ ତୁ’ରେ ଗରବ
କରମ ଘେନି ଫଳ ଦେଉଛିରେ ଦଇବ ।

ଖଳ ଅଳସୁଆ ହୋଇ ବିତାଉ ତୁ ଦିନ
ଖଟ ପଲଙ୍କେ ଶୋଇ ଦେଖୁ ମିଛ ସପନ ।

ଗର୍ଜନ କରୁ କେତେ ଦେଖାଇ ବାହାଦୁରି
ଗଡ଼ ଜିଣିବା ପାଇଁ ସାଜୁରେ ତୁ ବଇରୀ ।

ଘନିଷ୍ଠତା ଭୁଲି ସ୍ୱାର୍ଥେ ଥାଉ ସଦା ରତ
ଘୋଷଣା ସବୁ ମିଛ କରୁ ଅନବରତ ।

ଚବିଶ ଘଣ୍ଟା ରହୁ ତୁ ଧନ ଅରଜନେ
ଚତୁର ବୁଦ୍ଧି କରି ଠକୁ ଆପଣା ଜନେ ।

ଛଳନା ସବୁ ତୋର ଇନ୍ଦ୍ରିୟ ସୁଖ ଲାଗି
ଛଦ୍ମବେଶରେ ରହି ଦେଖାଇ ହେଉ ଯୋଗୀ ।

ଜଗତ ହିତ ନାମେ କରୁ ସ୍ଵାର୍ଥ ପୂରଣ
ଜନ ଜୀବନେ ନିତି ଦେଉ ନାନା କଷଣ ।

ଝଗଡ଼ା କରି ନିନ୍ଦୁରେ ତୁ ଆପଣା ଲୋକ
ଝରାଉ କେତେ ନିରିହ ଆଖିରୁ ଲୋତକ ।

ଟାଣପଣ ତୋର ରହିବରେ କେତେ ଦିନ
ଟାଣି ନେବ ଯମ ଦିନେ ଯିବ ଏ ଜୀବନ ।

ଠକିଲେ ତୁ ପର ଜନେ ନିଜେ ତ ଠକିବୁ
ଠିକ କରିରେ ଏବେଠୁ ହୁସିଆର ହେବୁ ।

ଡର ଭୟ କରୁ ତୁରେ ଅଯଥା କାହାକୁ
ଡମ୍ବରୁଧର ଅଛନ୍ତି ଯେ ଚାରି ବାହାକୁ ।

ଢାଲ ସଦୃଶ ହୋଇ ସେ ଭକତ ଜନର
ଢାଙ୍କି ରଖିବେ ନିଶ୍ଚେ ଦେଇ ଅଜର ବର ।

ତଳୁ ଉପରକୁ ଯିବା ବାଟ ଉପାସନା
ତରଳ କରି ହୃଦୟକୁ କର ସାଧନା ।

ଥକା ମନକୁ ବାରେ କର ତୁରେ ଥୟ
ଥବିର କାଳେ ହେବୁ ନାହିଁରେ ଅସହାୟ ।

ଦଗା ଦେଲେ ତୁହି ଦଣ୍ଡ ଦେବେ ଦଣ୍ଡପାଣି
ଦୁଃଖେ କା’ ସେବା କଲେ ଅଛନ୍ତି ଚକ୍ରପାଣି ।

ଧରାକୁ ସରା ମଣି ଯେ କରେ ଅହଂକାର
ଧରମ ଦରବାରେ ହୁଏ ସେ ଛାରଖାର ।

ନୟନ ମେଲି ଦେଖ ଅସାର ଏ ସଂସାର
ନାହିଁ କେ ଉଦ୍ଧାରିବାକୁ ସବୁ ତ ଅସ୍ଥିର ।

ପଥର ପଥିକ ସବୁ ଏକ ତ ଠିକଣା
ପାଗଳ ହୋଇ ଚାଲେ ଯିଏ ହୁଏ ସେ ବଣା ।

ଫଳ ଆଶା କା’ର ଶ୍ରମ ବିନା ନିରର୍ଥକ
ଫସଲ ଫଳାଇବା କର୍ମ କରେ ସାର୍ଥକ ।

ବିଶ୍ଵାସେ ବିଷ ଦେଇ ସ୍ୱାର୍ଥପର ମଣିଷ
ବସୁଧାର ସୁଖ ଶାନ୍ତି କରି ଦିଏ ନାଶ ।

ଭରସା ନ ରଖି ସେ ନିଜ ଉପରେ ନିଜେ
ଭୋଗ ବିଳାସ ଲାଗି ତା’ ଅନ୍ୟଠାରେ ଖୋଜେ ।

ମୋହରେ ମୋହିତ ହୋଇ କରେ ଅପକର୍ମ
ମହତକୁ ଏଡ଼ି ଭୁଲେ ପାଳିବାକୁ ଧର୍ମ ।

ଯଶ ଅରଜିବାକୁ ଧରେ ଅନ୍ୟାୟ ବାଟ
ଯନ୍ତ୍ର ପରି ଅବିରାମେ କରଇ ସେ ନାଟ ।

ରହି ନାହିଁ କେବେ କା’ର ଗର୍ବ ଅହଙ୍କାର
ରହିବ ନାହିଁ ଜାଣି ବି ପଶୁ ହୁଏ ନର ।

ଲୋଭେ ପଡ଼ି କରେ ଯେତେ ସବୁ ହୀନ କାମ
ଲାଭଠାରୁ କ୍ଷତି ବେଶି ଅରଜେ ଅଧର୍ମ ।

ଶେଷେ ଦୁଃଖେ ପଡ଼ି ଅନୁତାପ କରେ ବସି
ଶରଣ ଦିଅ ପ୍ରଭୁ ଡାକଇ ଦିବାନିଶି ।

ଷଠି ଘରଠୁ ଅଜ୍ଞାନ ବଶେ କଲି ପାପ
ଷାଠିଏ ପରେ ପରେ ପାଲଟେ ଅଭିଶାପ ।

ସଭିଙ୍କୁ କରି ହେୟ ମହୀରେ କଲି ଛଳ
ସହି ନ ପାରି ଏବେ ଭୋଗେ ପାପର ଫଳ ।

ହାରିବା ଜିତିବା ନିଶା କଲା ଛାରଖାର
ହସ ଲୁହ ପାଲଟି ଆଖିରୁ ବହେ ଝର ।

କ୍ଷଣକୁ କ୍ଷଣ ହୁଏ ଜୀବନ ଟଳମଳ
କ୍ଷମାକର ହେ ନାଥ ଆସେ ମରଣ କାଳ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu