You are currently viewing ପାହାନ୍ତି ସ୍ୱପ୍ନ
Odia Poem Pahanti Swapna (ପାହାନ୍ତି ସ୍ୱପ୍ନ) by Tapan Kumar Sahu

ପାହାନ୍ତି ସ୍ୱପ୍ନ

ପାହାନ୍ତି ସ୍ୱପ୍ନ କାଳେ ସତ ହୁଏ
ଶୁଣିଥିଲି
ସେଥିପାଇଁ ତ ସାରା ରାତି
ଚେଇଁରହେ ଜହ୍ନ ଦେଖି ଦେଖି
ଶୋଇବାକୁ ପାହାନ୍ତି ରାତିରେ
ଭ୍ରମ ପାଳେ ମନେ
ସତ ହେବ କାଳେ ସପନର ଗଳ୍ପ….!

ପକ୍ଷୀ ସାଜି ଉଡ଼େ ମନ
ତୁମ ପ୍ରୀତି ଅଗଣାରେ ଯାଇ
ଗୁଡ଼ି ହୋଇ ମାପେ ସେ ଦୂରତା
ମୋ ଛାତରୁ ତୁମ ଛାତ ଯାଏଁ….!

ବେଳେ ବେଳେ ଝରକା ଫାଙ୍କରୁ
ଆକାଶ ମୁହାଁ ମନ
ଭିଜିଯାଏ ଅସରା ଅସରା ବର୍ଷା ଛିଟାରେ
ସମଗ୍ର ତନୁମନ ତିନ୍ତି ଗଲାପରେ
ତୁମ ଶରୀରଟା ଲାଗେ ମୋତେ
ସତେ ଯେମିତି ଛ’ ଇଞ୍ଚର କାଚ ଗ୍ଲାସ….!

ଖୋଜୁ ଖୋଜୁ ସ୍ମୃତି ସବୁ
ମିଳେ ଆଜି ଡାଏରୀ ଭିତରୁ
ଶୁଖା ଗୋଲାପଟେ ହୋଇ
ଗାଁ ପୋଖରୀ କଦମ୍ବଗଛରେ
ତୁମ ନାଁ ସାଥେ ମୋ ନାଁ
ଆଜି ବି ଦିଶେ ଦପ୍ ଦପ୍ ହୋଇ…!

ଭାବୁ ଭାବୁ ସ୍ମୃତି ସବୁ
ଆସିଯାଏ ନିଦ
ଉଡ଼ିବୁଲେ ମନ ତୁମ ମନ ସାଥେ
ଡେଣା ଝାଡ଼ି ଝାଡ଼ି
ଅମରାବତୀର ନନ୍ଦନ କାନନରେ
ବନ୍ଦୀ ତୁମ ସାଜିଥିଲି ବାହୁବନ୍ଧନରେ
ଆଙ୍କିବାକୁ ଗଲାବେଳେ ମଧୁର ଚୁମ୍ବନ
ଭାଙ୍ଗିଗଲା ସ୍ୱପ୍ନ
ସେତେବେଳେ ଜହ୍ନ ଆଉ ତାରା
ଲୁଚି ଲୁଚି ହସୁଥାନ୍ତି ବାଦଲ ଫାଙ୍କରୁ
ଖିଲି ଖିଲି ହୋଇ ….!

– ତପନ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତି କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଥାଏ ।