କିଛି ପାଇବାକୁ କିଛି ହରେଇବା
ଏ ସିନା ଦୁନିଆଁ ରିତି,
ତୁମ ବୀଜ ମନ୍ତ୍ର ସନ୍ଧ୍ୟା ସକାଳରେ
ଜପୁଥାଏ ନିତି ନିତି ।
ପରମ ବାନ୍ଧବ ଲଗାଇବ କୂଳ
ବସେଇଛ ଭକ୍ତି ନାବେ,
ମୁକତି ପସରା ମେଲେଇ ଦେଇଛ
ମୁକତ କରିବ କେବେ?
ଭକତ ବଲ୍ଲଭ ଭକତଙ୍କ ଶୁଭ
ମାଗେନା ଧନ ସମ୍ପତ୍ତି,
ଅଳିକ ମାତର କି କରିବି ଛାର
ସମ୍ପତ୍ତି ଥିଲେ ବିପତ୍ତି ।
ଯୁଗେ ଯୁଗେ ପ୍ରଭୁ ଭକତଙ୍କୁ ତବ
କରିଛ ଦାଣ୍ତ ଭିକାରୀ,
ଖାଇବାକୁ ଗଣ୍ଡେ ପିନ୍ଧିବାକୁ ଖଣ୍ଡେ
ନମିଳେ ସାଜ ବଇରୀ ।
ମାଗିଲେ ଦିଅନା ଫିଟାଇ କୁହେନା
ସୁଦାମା ଭକତ ପରି,
କୃପା ହେଲେ ତବ ଯାଚି ଦିଅ ସବୁ
ଅନ୍ତର୍ଗତେ ନରହରି ।
ଦିଆ ନିଆ ଏହି ସଂସାର ନିୟମ
ନଦେଲେ ରହେନି ପ୍ରିତୀ,
ନିଷ୍କାମ ଭକତି ପରଶିବ ହୃଦେ
କରାଇ ଚରମଗତି ।
– ମନୋରଞ୍ଜନ ସୁରୁଜାଲ
Comments
ମନୋରଞ୍ଜନ ସୁରୁଜାଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।