You are currently viewing ଗାଁରେ ପଡ଼ିଛି ଶୀତ
Odia Poem Gaan Re Padichhi Shita (ଗାଁରେ ପଡ଼ିଛି ଶୀତ) by Rudra Narayan Panigrahi

ଗାଁରେ ପଡ଼ିଛି ଶୀତ

ଶୀତଳ ପବନେ
କାକର ବିନ୍ଦୁରେ
ଆସିଛି ପୁଣି ଶୀତ,
ହଁ ଗାଁରେ ପଡ଼ିଛି ଶୀତ ।

କାର୍ତ୍ତିକ ପୂର୍ଣିମା
ଡଙ୍ଗାରେ ବସିକି
ଆସିଛି ପୁଣି ଶୀତ,
ହଁ ଗାଁରେ ପଡ଼ିଛି ଶୀତ ।

ଦିନର ଆୟୁଷ
ଶୋଷଣ କରିକି
ଆସିଛି ଜରତୀ ଶୀତ,
ହଁ ଗାଁରେ ପଡ଼ିଛି ଶୀତ ।

ନିରବ ନିସ୍ତବ
ରଜନୀକୁ ନେଇ
ଆସିଛି ପୁଣି ଶୀତ,
ହଁ ଗାଁରେ ପଡ଼ିଛି ଶୀତ ।

ମାଲୁଣୀ ବୁଢ଼ୀର
କୁହୁକ ପରି
ଘେରା କୁହୁଡ଼ି କବଚ,
ହଁ ଗାଁରେ ପଡ଼ିଛି ଶୀତ ।

ମୁକ୍ତା କଣାର
ଭ୍ରମ ସୃଷ୍ଟି କରେ
ଶୀତଦିନ ସୂର୍ଯ୍ୟକିରଣ,
ହଁ ଗାଁରେ ପଡ଼ିଛି ଶୀତ ।

ରଇତ ହାତରେ
ଦା’ ଧରାଇ
କ୍ଷେତକୁ ଦେଖାଏ ବାଟ,
ହଁ ଗାଁରେ ପଡ଼ିଛି ଶୀତ ।

କମ୍ପିତ କଣ୍ଠରେ
ଗାଁ ବୁଢ଼ୀ ଓଠୁ
ଶୁଭୁଛି ଜପପାଠ,
ହଁ ଗାଁରେ ପଡ଼ିଛି ଶୀତ ।

ସଞ୍ଜବେଳରେ
ପଶ୍ଚିମ ଆକାଶେ
ଦିଶିଲାଣି ନାଲି ସୂର୍ଯ୍ୟ,
ହଁ ଗାଁରେ ପଡ଼ିଛି ଶୀତ ।

ବରଗଛ ମୂଳେ
ନିଆଁ ଉହେଇ
ବସିଛନ୍ତି ଗାଁ ବୃଦ୍ଧ,
ହଁ ଗାଁରେ ପଡ଼ିଛି ଶୀତ ।

ଦିଗନ୍ତବିସ୍ତୀର୍ଣ୍ଣ
ପାଚିଲା ଧାନକୁ
ସୋରିଷ ଫୁଲର ଦୃଶ୍ୟ,
ହଁ ଗାଁରେ ପଡ଼ିଛି ଶୀତ ।

ଧବଳ ଝୋଟିରେ
ନୂଆବୋହୂ ପୁଣି
ସଜେଇଛି ଗାଁ ଦାଣ୍ଡ,
ହଁ ଗାଁରେ ପଡ଼ିଛି ଶୀତ ।

ଗାଁରେ ଶୀତ
ଭାରି ମନୋରମ
ଉଲ୍ଲସିତ ଉତ୍ସାହିତ
ନଥାଏ ଆର୍ଦ୍ରତା କିମ୍ୱା ରୁକ୍ଷତା,
ପଲ୍ଲୀର ମୀତ ସେ ଶୀତ ।

– ରୁଦ୍ର ନାରାୟଣ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଟକ ଜିଲାର ସାଲେପୁର ସ୍ଥିତ ପୂର୍ବଛକର ବାସିନ୍ଦା ହେଉଛନ୍ତି ରୁଦ୍ର ନାରାୟଣ ପାଣିଗ୍ରାହୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।