You are currently viewing ନିରବ ନିହାଣ
Odia Poem Niraba Nihana (ନିରବ ନିହାଣ) by Dinabandhu Bej

ନିରବ ନିହାଣ

ଦ୍ଵିତୀୟ କୋଣାର୍କ ଗଢ଼ିବା ଆସ୍ପର୍ଦ୍ଧା
କରିଥିଲ ହେ ଶିଳ୍ପୀଗୁରୁ ରଘୁନାଥ,
ଶିଳ୍ପୀ କୂଳର ଚନ୍ଦ୍ରଉଦିଆ ହୋଇ
କଳାଭାସ୍କର୍ଯ୍ୟ କରିବାକୁ ରୁଦ୍ଧିମନ୍ତ ।

ତୁମ ଉଦୟର ପୂର୍ବ ଦିଗର ଆଭା
ଝଟକିଲା ମୁକୁତା ସମାନ ହୋଇ,
ତୁମ ନିଖୁଣ ନିହାଣ ମୂନର କଳା
ନିର୍ଜିବକୁ ଦେଲା ସଜୀବ ସଜାଇ ।

ମୁଗୁନି ପଥର ହାତ ସ୍ପର୍ଶରେ ତୁମର
ଅହଲ୍ୟା ସମ ହୋଇଗଲେ ସୁନ୍ଦରୀ,
କେତେ ଗଛଲତା ମନ୍ଦିର ପ୍ରାଙ୍ଗଣରେ
କହନ୍ତି ପକ୍ଷୀଏ ଏହିକଥା ଝୁରି ଝୁରି ।

ପ୍ରତିମାଙ୍କୁ ଦିଅ ନବ ଯୌବନ ରୂପ
ଠକଠକ ତୁମ ନିଆଣ ମୁଗୁର ଶବ୍ଦ
ମୁଗୁନି ପଥର ଘର୍ଘର ଶଦ୍ଦ ମଧ୍ୟରେ
ନାନା ମୂର୍ତ୍ତିମାନେ ହୁଅନ୍ତି ଜାଗରୁତ ।

ଶିଳା ଭିତରେ ଆତ୍ମା ପରକାଶ କରି
ପ୍ରସ୍ତରକୁ ଦେଇଦେଲ ଜୀବନ୍ୟାସ,
କୋଟି ଚନ୍ଦ୍ରଙ୍କର ମଉଡ଼ ମଣିହେଲ
ତୁମ ସମକ୍ଷ ସବୁ କାରିଗର ନିସ୍ୱ ।

ଏଣୁ ହେ ଯଶସ୍ଵୀ ମର୍ତ୍ତ୍ୟର ବିଶ୍ଵକର୍ମା
ଉତ୍କଳ କିରତି ବିଶ୍ଵରେ ପ୍ରଚାର କଲ
ନାନା ଉପାଧିରେ ସ୍ଵୟଂ ମଣ୍ଡନ କରି
ଧରଣୀ ବୁକୁରେ ଅମର ହୋଇଗଲ ।

ଯେଣୁ ତୁମେ କୋଟି ଚନ୍ଦ୍ରଙ୍କ ତେଜ
ତୁମ ଶୂନ୍ୟତା ସାରା ଜଗତ ବୁଝିବ,
ତୁମକୁ ହରାଇ କଳା ଉତ୍କଳର ଦେଶ
ପ୍ରତି ମୂହୁତ୍ତ୍ଵରେ ତୁମକୁ ଝୁରି ଚାଲିବ ।

(ଶ୍ରେଷ୍ଠ ସ୍ଥପତି ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୋ ଶ୍ରଦ୍ଧାଞ୍ଜଳୀ)

– ଦୀନବନ୍ଧୁ ବେଜ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିନବନ୍ଧୁ ବେଜ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।