You are currently viewing ସାହା ହୁଅ ରାମଚଣ୍ଡୀ
Odia Poem Saha Hua Rama Chandi (ସାହା ହୁଅ ରାମଚଣ୍ଡୀ) by Satyanarayan Padhan

ସାହା ହୁଅ ରାମଚଣ୍ଡୀ

କୁଢ଼ କୁଢ଼ ମଡ଼ ଶ୍ମଶାନରେ ଭିଡ଼
ପୋଡ଼ିବାକୁ ଜାଗା ନାହିଁ,
ପୁଅ ମଡ଼ ବାପ ବୋହିଛି କାନ୍ଧରେ
ହୃଦୟ ବିଦାରୁ ଥାଇ ।୧।

ମାଆ କାନ୍ଦୁଥାଏ ପୁଅ ମଲା ବୋଲି
କ୍ଷଣିକେ ମରେ ତା’ ପତି,
କେଉଁଠୁ ଆସିଲା ଏ ଦୁଷ୍ଟ କରୋନା
ଛଡ଼ାଏ ସୁଖ-ସମ୍ପତ୍ତି ।୨।

ହୃଦୟ କାନ୍ଦଇ ଦେଖି ଏ ଦୁର୍ଦ୍ଦଶା
ଆଖିରୁ ଝରେ ଲୋତକ,
କେ ମରୁଛି ରୋଗେ କେ ମରେ ଭୋକରେ
ଯେପରି କି ମାଛି ପୋକ ।୩।

ସାହା ହୁଅ ମା’ଗୋ ରାମଚଣ୍ଡୀ ତୁହି
ଏତିକି ବିନତୀ ମୋର
କରୋନା ରାକ୍ଷସୀ ତୁରିତେ ବିନାଶୀ
ଜଗତ ଉଦ୍ଧାର କର ।୪।

ଜଗତ କଲ୍ୟାଣେ ଉଡ଼ୁ ତୋ’ର ବାନା
ଇଷ୍ଟଦେବୀ ରାମଚଣ୍ଡୀ
ଉଦ୍ଧାର ସଭିଙ୍କୁ ଏ ଘୋର ସଙ୍କଟୁ
ଦୁଷ୍ଟ କରୋନାକୁ ଦଣ୍ଡି ।୫।

– ସତ୍ୟନାରାୟଣ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।