ଶୁଷ୍କ ଗୋଲାପ
ଚିରା ଡାଏରୀ
ପୁରୁଣା ଚିଠି,
ଆଉ ସେ ଚିଠି ଭିତରେ
ତୁ ଲେଖିଥିବା ଅକ୍ଷର ନାଲି,
ଆଜି ବି କୁହେ ସେ ନିରୋଳା ରାତିରେ
ମୁଁ ବି କେବେ ପ୍ରେମିକ ଥିଲି ।
କଲେଜ କାନ୍ଥ
ତୋ’ ଗାଆଁ ପଥ
ମୋ ଗାଆଁ ନଈ,
ଆଉ ନଈର ପଠାରେ
ତୁ ଛୁଇଁଥିବା ସେ ଚୁନାବାଲି,
ଆଜି ବି ଦେଖିଲେ ମନେ ପଡ଼େ ମୋ’ର
ମୁଁ ବି କେବେ ପ୍ରେମିକ ଥିଲି ।
ମଉନ ମନ
ଉଦାସ ଜହ୍ନ
ଅନ୍ଧାର ରାତି,
ଆଉ ଅନ୍ଧାର ରାତିରେ
ମୋ ହାତ ମୁଠାରେ
ଶୂନ୍ୟତା ଖାଲି,
ଆଜି ବି ସାକ୍ଷୀ ସେ ମୋ ଅତୀତର
ମୁଁ ବି କେବେ ପ୍ରେମିକ ଥିଲି ।
ସରି ସାରିଥିବା ମୁଁ
ଭରି ସାରିଥିବା ତୁ
ମରି ସାରିଥିବା ସମୟ,
ଆଉ ସେ ମୃତ ସମୟ
ଆସେ ଯେବେ ସ୍ମୃତି ଝରକା ଖୋଲି,
ମନେ ପଡ଼େ ମୋର ଅତୀତ ଆମର
ମୁଁ ବି କେବେ ପ୍ରେମିକ ଥିଲି ।
– ଜ୍ୟୋତି ରଞ୍ଜନ ସାହୁ