You are currently viewing ମୋ ଗାଆଁ ନୀରବି ଯାଇଛି
ମୋ ଗାଆଁ ନୀରବି ଯାଇଛି

ମୋ ଗାଆଁ ନୀରବି ଯାଇଛି

ମୋ ଗାଆଁ ନୀରବି ଯାଇଛି
ପୂରୁବ କଥାକୁ ମନରେ ଆଣି ସେ
ଗୁମୁରି ଗୁମୁରି କେତେ କାନ୍ଦୁଛି ।୧।

ଆଗ ଚମକତା ମୋ ଗାଆଁରେ ନାହିଁ
ନିଆରା ନିଆରା ଲାଗୁଛି ପରା
ପାଣି ପାଗ ଏଠି ବଦଳି ଯାଇଛି
ବରଷା ଋତୁରେ ହେଉଛି ଖରା ।୨।

ପରିବେଶ ଏଠି ଶାନ୍ତସ୍ନିଗ୍ଧ ଥିଲା
ଆଜି ଯେ ତାହାର ରୂପ ନିଆରା
ସହରର ଢାଞ୍ଚା ଗାଆଁରେ ପଶିଛି
ହସ ଖୁସି ସତେ ହେଲା ପାଶୋରା ।୩।

ଚଷା ଭାଇଟିର ଆଗ ଡାକ ନାହିଁ
ନୀରବରେ ସିଏ କାମ କରୁଛି
କ୍ଷେତବାଡ଼ିରେ ସେ କାମ କରିବାରେ
ଆଗ୍ରହ ତା’ର କମିଯାଇଛି ।୪।

ଏକ ପରିବାର ଜଣା ପଡ଼ୁଥିଲା
ଗାଆଁରେ ସତେ କି ସବୁ ନିଜର
ଆଜି କିନ୍ତୁ ନାହିଁ ପୂରୁବ ପ୍ରତ୍ୟୟ
ଜଣା ପଡ଼ୁଅଛି ଆପଣାପର ।୫।

ଗାଆଁ ଦୋଳିଖେଳ ମଜା ନାହିଁ ଆଉ
ନାହିଁ ଗୀତ ଫୁଲ ବଉଳ ବେଣୀ
ରଜ ପୋଡ଼ପିଠା କୁଆଡ଼େ ଗଲାଣି
ଆରିସା କାକରା ସୁଆଦ ପୁଣି ।୬।

ଗାଆଁ ନଈପଠା କାଶତଣ୍ଡି ଫୁଲ
ପ୍ରକୃତିର ଥିଲା ଶୋଭା ଅପାର
ଆଜି ଲାଗେ ସତେ ଫାଙ୍କା ଫାଙ୍କା ଖାଲି
ପୂରୁବ ଚମକ ନାହିଁ ସତ୍ୱର ।୭।

ଭାଗବତ ଟୁଙ୍ଗୀ ନୀରବି ଯାଇଛି
ହେଉନାହିଁ ଚର୍ଚ୍ଚା ରାମାୟଣର
ସଞ୍ଜ ହୋଇଗଲେ ଯିଏ ଯାହାଘରେ
ନାହିଁ ଆଉ ସେବା ମନୋବୃତ୍ତିର ।୮।

ଶିକ୍ଷିତ ଯେହେଲେ ସହରକୁ ଗଲେ
ଗାଁ’କୁ ଭାବିଲେ ସତେ କି ପର
ଯେଉଁ ଅଞ୍ଚଳରେ ଫୁଲ ଫଳଥିଲା
ହସଖୁସି ରେ ତ’ ଥିଲା ଭଣ୍ଡାର ।୯।

ଏଠି ଶୁଭୁଥିଲା ମନବୋଧ ଗୀତ
କେତେ ଦିନ ପାଇଁ ବାନ୍ଧିଛୁ ଆଣ୍ଟ
ଗୀତ ଭାବ ଖାଲି ଗୀତରେ ରହିଲା
କେହିବି କଲେନି ଟିକେ ଆକଟ ।୧୦।

ଗାଁ ପରିବେଶ ବିଗିଡ଼ି ଯାଇଛି
ସଜାଡ଼ି ହେବାର ନାହିଁ ଲକ୍ଷଣ
ଏହି କଥା ଭାଳି ମୋ ଗାଁ କାନ୍ଦୁଛି
ଅନ୍ତଃସ୍ୱରେ ତା’ର ଶୁଭେ କ୍ରନ୍ଦନ ।୧୧।

ସଦାନନ୍ଦ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।