You are currently viewing କମୁଛି ଜଳ
କମୁଛି ଜଳ

କମୁଛି ଜଳ

ଗିରିଷମ ଋତୁରେ ଏ ଟାଣୁଆ ଖରା,
ଡହ ଡହ ହୋଇ ତାତି ଗଲାଣି ଧରା ।
ଶୀତଳ ଜଳରେ ବୁଡ଼ି ଗାଧୋଇବାକୁ,
କେତେ ଯେ ଆନନ୍ଦ ଲାଗେ ଆମ ସଭିଙ୍କୁ ।

କିଏ ଗାଧୋଉ ଅଛନ୍ତି କେତେ ବାଗରେ,
ନଦୀ, କୂପ ଜଳେ ଅବା ଗାଧୁଆ ଘରେ ।
ଉଦବୃତ ଜଳ ଯେତେକ ଯାଏଟି ବୋହି,
ତାହାର ସଦୁପଯୋଗ ନ କରୁ କେହି ।

ସେଇ ଜଳ କୃଷିକ୍ଷେତ୍ରେ ପାରନ୍ତା ଲାଗି,
ଉପୁଜନ୍ତା କେତେ ପନି ପରିବା, କୋବି ।
‘ଜଳ ହିଁ ଜୀବନ’ ବୋଲି ଜାଣୁଛି ଯିଏ,
ଅପଚୟ ରୋକି, ଜଳକୁ ସେ ବଞ୍ଚାଏ ।

ଧୀରେ ଧୀରେ ମାଟିତଳୁ କମୁଛି ଜଳ,
ତା’ ବିହୁନେ ବଞ୍ଚିବାଟି ହେବ ଜଟିଳ ।
କୂଅ, ପୋଖରୀର ପାଣି ଯାଉଛି ଶୁଖି,
ହନ୍ତସନ୍ତ ହେଉଛନ୍ତି ପଶୁ ଓ ପକ୍ଷୀ ।

ପାଣି କାଢ଼ି ନଳ ବନ୍ଦ କରିବା ଜାଣି,
ଅଯଥାରେ ନଷ୍ଟ ନ କରିବା ଯେ ପାଣି ।
ଘର ଆଗେ ସଫା ପାଣି ରଖିବା କୁଣ୍ଡେ,
ବୁଲା ପ୍ରାଣୀ ଶୋଷ ବେଳେ ଦେବେଟି ତୁଣ୍ଡେ ।

ଲଗାଇବା ଗଛଲତା ଅଧିକ କିଛି,
ମୂଳରେ ସେମାନେ ଜଳ ରଖିବେ ସଞ୍ଚି ।
ତେବେ ଯାଇ ସମସ୍ତଙ୍କ କଲ୍ୟାଣ ହେବ,
ବହୁମୂଲ୍ୟ ଜଳ ଆମ ପାଖରେ ଥିବ ।

ବି. ନିରୁପମା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବି. ନିରୁପମା ଓଡ଼ିଅ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।