You are currently viewing ଈଶ୍ୱରଙ୍କୁ ଦରଖାସ୍ତ
Odia Poem Iswaranku Darakhasta (ଈଶ୍ୱରଙ୍କୁ ଦରଖାସ୍ତ) by Yagyanseni Behera

ଈଶ୍ୱରଙ୍କୁ ଦରଖାସ୍ତ

ହେ ଈଶ୍ୱର !! ତୁମେ ହିଁ ତ ଆଧାର ଏ ସୃଷ୍ଟିର,
ଆଉ ତୁମେ ବି କାରଣ ବିଲୟର…
ଅନେକ ରୂପର ଅଧିକାରୀ ତୁମେ
ଅସଂଖ୍ୟ ନାମ ତୁମରି…
ଅଭିମାନରେ କେହି ପଥର କହେ ତ,
କେହି ବଞ୍ଚେ ଖାଲି ତୁମ ନାମକୁ ସୁମରି…
ସମୟ ସହିତ ଅନେକ ଆସିଛି ପରିବର୍ତ୍ତନ,
ଏମିତିକି ତୁମ ଉପସ୍ଥିତି ଆଉ
ଅନୁଭୂତିରେ ବି ଉଠିଛି ପ୍ରଶ୍ନ…
ମଣିଷ ଗଢ଼ିଲ ତୁମେ ପୁଣି ଏଠି
ମଣିଷ ଗଢ଼ି ତୁମକୁ…
ମାଟିର ମୁରତି ହାତରେ ତିଆରି
ଦେବ ଶିଳ୍ପୀ ସିନା ବୋଲାଏ ନିଜକୁ…
କେମିତି ପ୍ରଥା ଏ କିପରି ସଂସ୍କୃତି
ବୁଝା ପଡ଼ି ନାହିଁ ମନକୁ…
ପଥର ଉପରେ କ୍ଷୀର ଢଳାଯାଏ,
ଗରିବଟେ ଭାତ ପାଏନା ପେଟକୁ..
ନାନା ଧର୍ମ, ନାନା ଜାତି ପୁଣି
ନାନା ବର୍ଣେ ହେଲେ ବିଭାଜିତ,
ସବୁରି ଦେହରେ ପ୍ରବାହିତ କିନ୍ତୁ
ଲୋହିତ ବର୍ଣ୍ଣ ରକତ…
ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ
ଭିନ୍ନ ଧର୍ମ ଭିନ୍ନ ସଂସ୍କୃତି…
ପବିତ୍ର ସେ ଗୀତା, କୋରାନ୍, ବାଇବେଲ,
ଦିଏନି ହିଂସାର ଅନୁମତି…
ଧର୍ମର ରକ୍ଷକ ସାଜନ୍ତି ଯେ ମାନେ,
ପାଠକ ନୁହେ ସେ ଧର୍ମ ଗ୍ରନ୍ଥର…
ଶ୍ରେଷ୍ଠ ଯେ ଧର୍ମ ସେ ମଣିଷପଣିଆ
ଭୁଲି ସାଜନ୍ତି ସେ ଦଲାଲ ଧର୍ମର…
ହେ ଆଲ୍ଲା ହେ ଯୀଶୁ, ହେ କୃଷ୍ଣ ହେ ପ୍ରଭୁ,
ସବୁରି ହୃଦୟରେ ହୁଅ ବିଦ୍ୟମାନ…
ପ୍ରଶମିତ ହେଉ ହିଂସାର ଏ ଜ୍ୱାଳା,
କର ତୁମେ ନିର୍ବାପନ l

– ଯାଜ୍ଞସେନୀ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯାଜ୍ଞସେନୀ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।