You are currently viewing ଆସିଛି ମେଘ ମାସ
Odia Poem Asichhi Megha (ଆସିଛି ମେଘ ମାସ) by Rudra Narayan Panigrahi

ଆସିଛି ମେଘ ମାସ

ପାଗ ବଦଳିଲେ ବାଗ ବଦଳେ
ବିଚିତ୍ର ମହାଲୀଳା ଚାଲେ ପ୍ରକୃତିରେ ।

ଗ୍ରୀଷ୍ମ ସନ୍ତାପିତ ଧରଣୀ ବକ୍ଷଟା ହୋଇଛି ଆଜି ଆର୍ଦ୍ର
ଆସିଛି ପୁଣି ଲାସ୍ୟମୟି ବର୍ଷା ସାଥେ ତା’ ଗମ୍ଭୀର ବଜ୍ର ।

ଆକାଶରେ ଭାସେ କୃଷ୍ଣ ଘନ ଘନ ଆସ୍ତରଣ
ବିକ୍ଷୁବ୍ଧ ବର୍ଷାରେ ଲୁଚିଯାଏ ପୁଣି ସେ ଟାଣ ସୂର୍ଯ୍ୟ-କିରଣ ।

ଝର ଝର ହୋଇ ଝରିଯାଏ ସତେ ଅବିରତ ବାରିଧାରା
ହଳ କର୍ଷିତ ମାଟିଟା ଆଜି ବର୍ଷିତ ଜଳରେ ଭରା ।

ଇଷତ୍ ସୌର ରଶ୍ମି କରେ ବନ୍ଧୁତା ତିର୍ଜକ ବାରିଧାରା ସହ
ସୃଜି ଦିଏ ସପ୍ତବର୍ଣ୍ଣି ରଙ୍ଗଖେଳ ସାଙ୍ଗେ ଶୀତଳ ପବନ ।

ପର୍ଣ୍ଣହୀନ ବୃକ୍ଷେ ଭରିଯାଏ ସତେ ସବୁଜିମାର ମହୁ
ଶ୍ୟାମଳ ଦୁବରେ ପଦପାଦ କରେ ନାଲି ସାଧବ ବୋହୂ ।

ପଲ୍ଲୀ କୃଷକର ଚିତ୍ତ ହରଷାଇ ଆସେ ପୁଣି ବନ୍ଧୁ ବର୍ଷା
ବରଷକ ପାଇଁ ଅନ୍ନ ଯୋଗାଡ଼ିବ ମନେ ତା’ର ପ୍ରଫୁଲ୍ଲତା ।

ପହିଲି ଆଷାଢ଼ ବାରିଦ ଭେଳାରେ ଆସେ ତ ପୁଣି ରଜ
କୁମାରୀମାନଙ୍କ ଚନ୍ଦନ କୁଙ୍କୁମ ସିଙ୍ଗାରରେ ସଜବାଜ ।

ପରେ ପରେ ଆସେ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ରଥଯାତ୍ରା
ବିଶ୍ୱପ୍ରସିଦ୍ଧ ମହାଯାତ୍ରା ଇଏ ମହାପ୍ରଭୁ ପୁଣି କର୍ତ୍ତା ।

ବର୍ଷା ଆଣେ ବାତ୍ୟା ବନ୍ୟାର ବିତ୍ପାତ
କିନ୍ତୁ ଅଟେ ଜୀବିକାର ମହାଉତ୍ସ ।

କୃଷି ପାଇଁ ବର୍ଷା ଦିଏ ବାରି ଧାରା
ସବୁଜ ଶସ୍ୟରେ ପୂରିଯାଏ ଧରା ।

ବର୍ଷା କାଳ ଅଟେ ମଙ୍ଗଳକାରୀ
ପାଳଇ ପ୍ରଜାଙ୍କୁ ବରଷି ବାରି ।

– ରୁଦ୍ର ନାରାୟଣ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଟକ ଜିଲାର ସାଲେପୁର ସ୍ଥିତ ପୂର୍ବଛକର ବାସିନ୍ଦା ହେଉଛନ୍ତି ରୁଦ୍ର ନାରାୟଣ ପାଣିଗ୍ରାହୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।