You are currently viewing ଏ କି ଅବିଚାର
Odia Poem E Ki Abichara (ଏ କି ଅବିଚାର) by Alekh Meher

ଏ କି ଅବିଚାର

ପରଖିବା ସୀମା ଲଙ୍ଘନର ପରେ
ଘୃଣା ଲାଗଇ ତମକୁ,
ଶରଣ ରଖିନ ଫୋପାଡ଼ିଲ ଦୂରେ
ଭରଷା ଅବା କାହାକୁ ।

ବରମୁଡ଼ା କୋଣ ଜଳ ଭଉଁରୀରେ
ହରାଇ ହୃଦୟ ହାର,
ମୋହ ମାୟା ପୂର୍ଣ୍ଣ ଭବ ଶୟଳରେ
ବଞ୍ଚିବାର ନାହିଁ ମୋର ।

ବୃଜିନ ଦୁର୍ନୀତି ଅସତ୍ୟ ବାସରେ
ଐରେୟ ସାଜେ ପ୍ରହରୀ,
ସତ୍ୟ ପଥ ଧରି କର୍ମ ଆଦରିଲେ
ଦୁର୍ଦ୍ଦିନ ମାରଇ ଘେରି ।

ଭିଦୁର-ବଚନ ଉଚ୍ଚାରିଲେ ମୁଖେ
ଚଉବର୍ଗ ଫଳପ୍ରାପ୍ତି,
ପେଶଳେ ସୁମିଷ୍ଟ ବଚ ବଲଗିଲେ
ପେଟରେ ପଶଇ ଗୁପ୍ତି ।

ଏ କି ଅବିଚାର ଜଗତ ଇଶ୍ୱର
ପାରିଲିନି ଜମା ଜାଣି,
ଅକ୍ତା ଚାଉଳକୁ ଭୁଞ୍ଜାଇ ନିରିହ
ଛାଗକୁ ପକାଅ ହାଣି ।

ପତିତପାବନ ବାନା କାହାପାଇଁ
ଉଡାଉଛ ନିଳାଚଳେ,
ଭକତ ବିଚରା ନାମ ଗାନ କରି
ବୁଡ଼ିଯାଏ ସିନ୍ଧୁ ଜଳେ ।

– ଅଲେଖ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଲେଖ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।