You are currently viewing ଭାରତ ବର୍ଷ
ଭାରତ ବର୍ଷ

ଭାରତ ବର୍ଷ

ଆର୍ଯ୍ୟବର୍ତ୍ତ ଆମ ଭାରତବର୍ଷ ହିଁ
ଅଟେ ସର୍ବୋତ୍କୃଷ୍ଟ ଦେଶ,
ମହାନ ସଂସ୍କୃତି ଐତିହ୍ୟ ପରମ୍ପରା
ରହିଅଛୁ ଯା’ର ଯଶ ।୧।

ସର୍ବ କ୍ଷେତ୍ରରେ ଯେ ଶ୍ରେଷ୍ଠ ମନୁଷ୍ୟ
ନାମ ହିଁ ଆର୍ଯ୍ୟ ଅଟଇ,
ସେହି ଆର୍ଯ୍ୟର ମର୍ଯ୍ୟାଦା କ୍ଷୂର୍ଣ୍ଣ
ବ୍ୟକ୍ତିତ୍ୱ କୃତିତ୍ୱ ନାହିଁ ।୨।

ଯେଉଁ ଦେଶର ଆଧାରଭୂତ
କେନ୍ଦ୍ରୀୟ ତତ୍ତ୍ୱ ଅଧ୍ୟାତ୍ମ
ସତ୍ୟ ଶିବ ସୁନ୍ଦରକୁ ନେଇ
ଜୀବନ ଈଶ୍ୱରୋନ୍ମୁଖ ।୩।

ବେଦ ଜ୍ଞାନ ଯା’ର ସାର୍ବଭୌମିକ
ଅଟେ ମୌଳିକ ଶାଶ୍ୱତ
ମୁନୀ ଋଷିଙ୍କର ତପସ୍ୟାର ଫଳ
ସାଧଇ ଜଗତ ହିତ ।୪।

ହିମାଳୟ ଠାରୁ କନ୍ୟାକୁମାରୀ
ବହେ ସଂସ୍କୃତିର ଧାରା,
ସ୍ୱର୍ଣ୍ଣ ପ୍ରସୂ ଆମ ଭାରତବର୍ଷର
ଖ୍ୟାତି ଅଟେ ଅପାଶୋରା ।୫।

ଯାହାର ସନ୍ତାନ ଅଟେ ଶୌର୍ଯ୍ୟ ବୀର୍ଯ୍ୟ
ଶ୍ରେଷ୍ଠ ପରାକ୍ରମଶାଳୀ,
ଜନ୍ମଭୂମିର ରକ୍ଷା ନିମନ୍ତେ
ଦେଇଥାଏ ପ୍ରାଣବଳି ।୬।

ତାହାର ସନ୍ତାନ ଆଣିଛି ସମ୍ମାନ
ଦେଖାଇ ତା’ ପରାକାଷ୍ଠା,
ଆଜି ଏ ଦେଶର ସନ୍ତାନ ମନରେ
ନାହିଁ ପୂର୍ବ ପରି ନିଷ୍ଠା ।୭।

ପ୍ରଭାବ ବିସ୍ତାର ହେଉଛି ଦୁର୍ବଳ
ହଜିଯାଏ ସ୍ୱାଭିମାନ,
ସଂସ୍କୃତିର ସର୍ବୋଚ୍ଚତା ବଖାଣିଲେ
ବଢ଼େ କି ଦେଶ ସମ୍ମାନ? ।୮।

ଦୁର୍ନୀତିରେ ଆଜି ହୋଇଛି ପ୍ରଥମ
ବଢ଼ିଚାଲେ ଅପରାଧ,
ମହାଭାରତୀୟ ଚେତନାରେ ଭଟ୍ଟା
ହୁଏନା କେହି ଉଦବୁଦ୍ଧ ।୯।

ଅନ୍ତଃସାରଶୁନ୍ୟ ବ୍ୟକ୍ତି ଜୀବନ
ସମସ୍ତେ ଅଟନ୍ତି ରୁଗ୍ଣ,
ବ୍ୟକ୍ତି ହେଉ ଅବା ସମାଜ ଜୀବନ
ପଥଭ୍ରଷ୍ଟ ଦିଶାହୀନ ।୧୦।

ଆମରି ବ୍ୟକ୍ତିତ୍ୱ କୃତିତ୍ୱକୁ ନେଇ
ଦେଶ ଭାଗ୍ୟ ସମୁଜ୍ଜ୍ୱଳ,
ନିଷ୍ଠା ପ୍ରଚେଷ୍ଟା ସଫଳତା ମନ୍ତ୍ରେ
ସାଧିବା ଦେଶ ମଙ୍ଗଳ ।୧୧।

ଭାରତମାତାର ସନ୍ତାନ ଆମେରେ
ରଖିବା ଦେଶର ଟେକ,
ମହାଭାରତୀୟ ଚେତନାରେ ଆସ
ମନ ପ୍ରାଣେ ହେବା ଏକ ।୧୨।

ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।