You are currently viewing ବର୍ଷାରେ ପଲ୍ଲୀ ଦର୍ଶନ
ବର୍ଷାରେ ପଲ୍ଲୀ ଦର୍ଶନ

ବର୍ଷାରେ ପଲ୍ଲୀ ଦର୍ଶନ

ଶ୍ରାବଣର ଅବାରିତ
ବର୍ଷାଧାରର ଛିଟା
ମନରେ ଖେଳାଏ ଶିହରଣ
ମୃଦୁ ମନ୍ଦ ସମୀର ବହେ
ଥରାଇ ଦିଏ ଶରୀର
ଆହ୍ଲାଦିତ କରେ ତା’ ଗୁଞ୍ଜନ ।।୧।।

ନାଲି ରଙ୍ଗ ପାଟଶାଢ଼ୀ
ଧରି ନାଲିଆ ଓଢ଼ଣୀ
ସିନ୍ଦୁର ନାଇ କପୋଳ ସିନ୍ଥିରେ
ଥିରି ଥିରି କରି ଚାଲେ
ଟିକି ସାଧବ ବୋହୂଟି
ସବୁଜ ଧରଣୀ ମାଆ ବକ୍ଷରେ ।।୨।।

ଫୁଟେ ସ୍ଵର୍ଣ୍ଣକାନ୍ତି ଆଭା
ପ୍ରକୃତି ସୌନ୍ଦର୍ଯ୍ୟ ଶୋଭା
ସୁନାର ଫସଲ କ୍ଷେତରେ
ମନ ଆନନ୍ଦେ ଚାତକ
ନଭେ ବିଚରଣ କରେ
ପ୍ରିୟ ବର୍ଷାର ଆଗମନେ ।।୩।।

ଘଞ୍ଚ ସାରୁ ବୁଦା ମୂଳେ
ବେଙ୍ଗ କହେ ବେଙ୍ଗୁଲୀ ଲୋ
ମିଳିଛି ବର୍ଷାର ସନ୍ନିଧାନ
ଖେଳିବା ବୁଲିବା ସୁଖେ
ଅନିର୍ଦ୍ଦିଷ୍ଟ ଆଗତ ଭବିଷ୍ୟ
ପୃଥିବୀ କ୍ଷଣ କ୍ଷଣକେ ଆନ ।।୪।।

ନଦୀ ନାଳ ହ୍ରଦ ପାଟ
ଜଳାର୍ଣ୍ଣବ ଚତୁର୍ଦ୍ଦିଗ
ନୂତନ ସ୍ଵପ୍ନରେ ବିଭୋର ହୋଇ
ଚାଷୀ ଭାଇ ପରିଶ୍ରମେ
ଜଗାଏ ନବ ଫସଲ
ମାଟିରେ ଉନ୍ମାଦ ପ୍ରାୟ ମାତି ।।୫।।

ତପନ ଉଢାଳେ ରୁହନ୍ତି
ଆକାଶେ ଢାଙ୍କିଦିଏ ଯେବେ
ଭାସମାନ କେତେ ମେଘପୁଞ୍ଜ
ନୃତ୍ୟରେ ଉନ୍ମତ୍ତ ହୁଏ
କୋକୀ ପୁଚ୍ଛ କରି ଉନ୍ମୁକ୍ତ
ଗୀତ ଗାଏ ହୋଇ ମହାନନ୍ଦ ।।୬।।

ଘଡ଼ଘଡ଼ି କର୍କଶ ଶବ୍ଦ
ଥରାଇ ଦିଏ ହୃଦୟକୁ
ଅହେତୁକ ଭୟର କମ୍ପନ
ବିରହିନୀ ଝୁରେ ବିରହେ
ଅଦିନିଆ ବଜ୍ର ସମ ଜ୍ୱାଳା
ନେଇ କ୍ଷତ ବିକ୍ଷତର ମନ ।।୭।।

ସବୁଜ ଧାନ କ୍ଷେତ ଶୋଭା
ସୂର୍ଯ୍ୟ ଦୀପ୍ତ ଦିବସ ଆଭା
ହଂସରାଳି ଖେଳନ୍ତି ଖେଳ
ବିଦଗ୍ଧ ମନକୁ ମୋହଇ
ପଲ୍ଲୀବଧୁ ଧୀର ଚାଲି
ପିଣ୍ଡାରେ ଲୋକଙ୍କ ହୁଏ ମେଳ ।।୮।।

ସଞ୍ଜବେଳେ ଜମେ ଭିଡ଼
ଗାଁ ଭାଗବତ ଟୁଙ୍ଗୀ ଘର
ପୁରାଣ ପଣ୍ଡିତ ଚର୍ଚ୍ଚା ପ୍ରବଚନ
ଏକାକାର ଚିତ୍ତ ଧ୍ୟାନ
ସଭିଏଁ ହୁଅନ୍ତି ମଗ୍ନ
ଶୁଭେ ଜଣାଣ ଭଜନ କୀର୍ତ୍ତନ ।।୯।।

ବର୍ଷାରେ ପଲ୍ଲୀ ଦର୍ଶନ
ହର୍ଷେ ପୁଲକିତ କରେ
କଳ୍ପନା ବିଳାସୀ କବି ମନ
କବିତା ଝରି ଆସେ ଧୀରେ
ଚଳ ଚଞ୍ଚଳ ହୋଇଯାଏ
କଲମର ସୁକ୍ଷ୍ମ ତୀକ୍ଷଣ ମୁନ ।।୧୦।।

ପ୍ରେମାନନ୍ଦ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରେମାନନ୍ଦ ବେହେରା ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁରସ୍ଥିତ କରୋଜ୍ ରୋଡ଼୍ ନିକଟଷ୍ଟ ବାସିନ୍ଦା, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ କବିତା ଆଦି ରଚନା କରନ୍ତି ।