You are currently viewing ବହଳ କୁହୁଡ଼ି
ବହଳ କୁହୁଡ଼ି

ବହଳ କୁହୁଡ଼ି

ଲୋକଂକ ସହିତ ଯିଏ ଜାଣେନାହିଁ ମିଶି
ବହି ପଢ଼ି ପାଉଥାଏ ଭ୍ରମଭରା ଖୁସି
ପୁରାଣର କଳ୍ପକଥା ତା’ ମଥାରେ ପଶି
ହୁଏ ନୂଆ ଚେତନାର ନୃଶଂସ ବିନାଶୀ

ଖୁବ୍‌ ସହଜରେ ଏଠି ବହୁ ଶବ୍ଦଚାଷୀ
ଯାଆଂତି ଚଳିତ ଏହି ସମୟରୁ ଖସି
ସଂସାରେ ରହି କହଂତି ନିଜକୁ ସନ୍ନ୍ୟାସୀ
କାହାକୁ ସତରେ କରିହୁଏନାହିଁ ‘ଦୋଷୀ’

ସଂଘଭୁକ୍ତ ହୋଇ ନିଜ ବ୍ୟକ୍ତିତ୍ୱ ବିନାଶ
କରିଲେ ହିଁ ସେମାନଂକୁ ମିଳଇ ସଂତୋଷ
ମିଥ୍ୟା ସହ ରାଜିନାମା କରିଲେ ସ୍ୱାକ୍ଷର
ଗ୍ରଂଥାଧୀନ ଜନ କରେ ସବୁକୁ ସ୍ୱୀକାର

ଶୁଣାକଥା କହେ, ଲେଖେ ଯିଏ ବାରଂବାର
ତା ମନ ହୁଏନି କେବେ ଧୀର ଅବା ସ୍ଥିର
ଏପରି ଅଭ୍ୟାସ ଯିଏ ପାଳେ ନିରଂତର
କରେନି ନିଜ ଅଥବା କାହା ଉପକାର

ସ୍ମୃତିରେ ସାଇତା ବାଣୀ ଘନଘନ ଛାଡ଼ି
ବାସ୍ତବ ଜୀବନ ପଥେ ଲକ୍ଷ୍ୟ ଯାଏ ହୁଡ଼ି
ଆପଣା ଧାରଣା ଧରି ରହେ ଯିଏ ପଡ଼ି
ନିଜର ପାଖକୁ ଆଉ ପାରେନି ବାହୁଡ଼ି

ଏପରି ଲୋକଂକ ସଂଖ୍ୟା ଯାଉଥିଲେ ବଢ଼ି
ସତ୍ୟକୁ ଘୋଡ଼ାଇ ଦିଏ ବହଳ କୁହୁଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।