ଆଦିକନ୍ଦ-ମାଧବ
Art by: Bijay Biswal

ଆଦିକନ୍ଦ-ମାଧବ

ହେ ଆଦିକନ୍ଦ !
ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇ ଯାଏ । ସମ୍ବନ୍ଧର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ ଲଢ଼ୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ ।

କିଏ ଏହି ମୁଁ?
ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ତୃତୀୟ ନକ୍ଷତ୍ର କୃତ୍ତିକାର ସମୟ ରାଗ? ଧରାପୃଷ୍ଠେ ବିଞ୍ଛାଡ଼ି ହୋଇ ପଡ଼ୁଥିବା ଅସହ୍ୟ ସ୍ବର୍ଣ୍ଣରେଣୁ ଜନିତ ପ୍ରଖର ଉତ୍ତାପର ବିକିରଣ? ସାୟଂକାଳୀନ ଦୂରଗାମୀ ଲୋହିତରଙ୍ଗ ଆକାଶରେ ଧୀରପଦରେ ଗମନକ୍ରମେ ଅପେକ୍ଷିତ ତାରାରୂପୀ ମୃତ-ଅଣ୍ଡଜ-ବୋଳା ରଙ୍ଗର ନଭମଣ୍ଡଳ?

କ’ଣ ମୋର ପରିଚୟ?
ପ୍ରସ୍ତର, ଲୌହ ଅବା କାଂସ୍ୟଯୁଗୀୟ ସ୍ତୁପ? ଅବହେଳିତ ପୂର୍ବତଟ ପାଇଁ ପ୍ରାର୍ଥନାରତ ସ୍ତୁପୀଭୂତ ମହେଞ୍ଜୋଦାରର ପୁରୋହିତ ସମ୍ରାଟ? ପ୍ରାଚୀ ନଦୀ ଅବବାହିକାରେ ଆବିଷ୍କୃତ ସୌର ଉପାସନାର ସଭ୍ୟତା-ଚିହ୍ନ? ପଶ୍ଚିମୀ ସୁରର ଅଟ୍ଟହାସ ନାଦେ ନାଦିତ ବୈଜ୍ଞାନିକି ଜ୍ଞାନର ଅହଂକାର?

କେଉଁ ଜୀବନ ମୋର?
ଶୃଙ୍ଗାରିତ ମଞ୍ଚର ମତ୍ତଗର୍ବିତ ନର୍ତ୍ତକୀର ସ୍ଥିର, ଅକାରଣ ଆହରିତ ଜୀବନ-ଦର୍ଶନ ଜ୍ଞାନ? ଶ୍ରୀପାଦ ଶିଳାରେ ଧ୍ୟାନରତା ଦେବୀ କନ୍ୟାକୁମାରୀ ଙ୍କ ଏକପାଦେ ଶୃଙ୍ଖଳିତ ଜଳପୂର୍ଣ୍ଣ ସରଣୀରେ ସନ୍ତରିତ ସଜୀବ ମତ୍ସ୍ୟ ପରାୟେ ଉର୍ଦ୍ଧ୍ଵଲକ୍ଷ୍ୟ ସାଧନେ ଆତ୍ମଲୀନ, ଫଳପ୍ରସୂ ଜୀବନ?

କୁଆଡ଼େ ମୋ ଲକ୍ଷ୍ୟ?
ଗୋଧୂଳିର କାବ୍ୟପଟଳରେ ନୀଡ଼େ ଅପେକ୍ଷିତ ଶାବକଙ୍କ ଉନ୍ମୁକ୍ତ ଅସଂଲଗ୍ନ, ଅବ୍ୟକ୍ତ ନିସ୍ତବ୍ଧତାରେ ଅଣାଲୋଡ଼ିତ ଅବୋଧ୍ୟ କିଚିରି ମିଚିରି ଅସଂବନ୍ଧିତ ଶବ୍ଦ ସଂଯୋଜିତ ଥଣ୍ଟ ପ୍ରତୀକ୍ଷାରେ ଯେଉଁଠାରୁ ଶବ୍ଦମାଳ ଡେଣା ଝାଡ଼ି ଉଡ଼ନ୍ତି ।

ଅଥବା ଶରୀର ଓ ଜୀବନର ନେତୃତ୍ବ ଭାରରେ, ଆତ୍ମାର ବୈଚାରିକ ପରିବାହକ ସ୍ବରେ; ମନ ପ୍ରକାଶପୁଞ୍ଜ ଯାତ୍ରୀଙ୍କୁ ରାତ୍ରିକାଳେ ବୋହି ନେଉଥିବା ଅନିଶ୍ଚିତ ଦୂର ପାହାନ୍ତାର ବିଚାରସୌମ୍ୟ ଦିଗରେ?

ଶ୍ରୀଦେବୀଙ୍କ ଶ୍ରୀ ଆପଣ, ହେ ମାଧବ!

ଭୂଦେବୀଙ୍କ ଭୂମି, ଅଜନ୍ମା, ଅଯୋନିଗର୍ଭା, ଅଯୋନିସମ୍ଭୁତା, ଆଦିଦେବ, ସର୍ବବ୍ୟାପୀ ଅହଙ୍କାର, ବୃହଦାରଣ୍ୟକୋପନିଷଦର ତପସ୍ବୀ, ମୃତ୍ୟୁ କାଳୀନ ସ୍ବୀକାରୋକ୍ତି ଆପଣ । ଜୀବନଶକ୍ତିର ରଙ୍ଗହୀନ-ରସାବୃତ୍ତ ହୃଦସ୍ଥ ଆତ୍ମା ଭିତରେ ଆପଣ ଅଜନ୍ମା ପରମ, ଶ୍ରେଷ୍ଠ ଶାସକ, ସମସ୍ତଙ୍କ ସମ୍ରାଟ ବିଶ୍ରାମ ନେଇଥାନ୍ତି । ଆମ ସୁକର୍ମ ଦ୍ବାରା ଉର୍ଦ୍ଧ୍ବଗାମୀ ଅଥବା କୁକର୍ମ ଦ୍ବାରା ନିମ୍ନଗାମୀ ଆପଣ ହୋଇ ନ ଥାନ୍ତି ।

ଅଥଚ ଆପଣ ହିଁ ସମସ୍ତଙ୍କ ଈଶ୍ୱର, ସର୍ବବିଷୟୀ ରାଜା, ସମସ୍ତଙ୍କ ତ୍ରାଣକର୍ତ୍ତା ଅଟନ୍ତି । ସଂସାରକୁ ଘୃଣିତ ହେବାରୁ ରକ୍ଷା କରିବା ନିମନ୍ତେ ଆପଣ ତଟ ଓ ତଟରକ୍ଷକ ଅଟନ୍ତି । ଆମ ଆତ୍ମା ଭିତରେ ଆପଣଙ୍କୁ ହୃଦୟଙ୍ଗମ କରିବା ବ୍ୟକ୍ତି ତପସ୍ବୀ ଅଟନ୍ତି । ସଂସାର ମଙ୍ଗଳ କାମନା କରି ଭିକ୍ଷୁ ସାଜି ଗୃହତ୍ୟାଗୀ ହୋଇଥାନ୍ତି ।ବିଛୁରିତ ସୂର୍ଯ୍ୟଙ୍କ କିରଣ ଦ୍ବାରା ଆଲୋକ ପ୍ରଦାନ କରନ୍ତୁ । ହେ ସୂର୍ଯ୍ୟ! ହେ ବିଷ୍ଣୁ! ହେ ମାଧବ! ଅର୍ଦ୍ଧ-ଉନ୍ମୀଳିତ ଜ୍ଞାନ ଚକ୍ଷୁରେ ପୁଣି ଥରେ ଶିବ-ତାଣ୍ଡବ ନୃତ୍ୟର ଉଡ଼୍ରଧୈବତ ସୁର ଝଙ୍କୃତ କରି ଉଠୁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମୋଦ କୁମାର ପଣ୍ଡା

ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।

Leave a Reply

Close Menu