ସ୍ୱାଗତମ୍ ଶରତ

Odia Poem Swagatam Sarat (ସ୍ୱାଗତମ୍ ଶରତ) by Kalyani Nanda

ପାହାନ୍ତିଆ ନରମ ସକାଳରେ,
ହରିତ କୋମଳ ଦୁର୍ବାଦଳେ,
ନରମ ନରମ ଫୁଲ ପାଖୁଡ଼ାରେ,
ଚିକମିକି ତୁହିନାଂଶୁ ହସିଦେଇ କୁହେ,
ଶରତ ଆସୁଛି… ଶରତ ଆସୁଛି… ଶରତ ଆସୁଛି ।

ସବୁଜ କ୍ଷେତର ଧାରେ ଧାରେ,
ମଥା ଦୋହଲାଇ କାଶତଣ୍ଡୀ ବାଆ ସାଥେ,
ମାଆ ଜଗତ୍ ଜନନୀଙ୍କୁ ସ୍ୱାଗତ ଜଣାଉଥାଏ,
ବୃନ୍ତ ଚ୍ୟୁତ ଶେଫାଳୀ ରାତ୍ରି ଶେଷେ,
ଧରା ବକ୍ଷେ ଭୁରୁ ଭୁରୁ ଗନ୍ଧେ,
ଚୁପି ଚୁପି କହୁଥାଏ କାନେ କାନେ,
ଶରତ ଆସୁଛି.. ଶରତ ଆସୁଛି.. ଶରତ ଆସୁଛି ।

ତଡ଼ାଗ ଜଳେ ଶତଦଳ ହସୁଥାଏ,
ନବ ରବି ସନ୍ଦର୍ଶନ ଆଶାରେ,
ପ୍ରେମର ପାଖୁଡ଼ା ସଧୀରେ ମେଲୁଥାଏ,
ପ୍ରୀତି ଭରା ଅନ୍ତରେ ଚାହିଁ ରହିଥାଏ,
ତଟିନୀ ଜଳେ ଦୋହଲି ଦୋହଲି କହୁଥାଏ,
ଶରତ ଆସୁଛି… ଶରତ ଆସୁଛି… ଶରତ ଆସୁଛି ।

ଥିରି ଥିରି ମଳୟ ପବନ ସାଥେ,
ସୁମନ ସୁଗନ୍ଧେ ଧରା ମହକୁ ଥାଏ,
ନଦୀ ତଟେ ନବ ବଧୂର ପାଉଁଜି ସୁରେ,
ଚଷା ପୁଅର ଗାଉଲୀ ଗୀତର ସୁରେ ସୁରେ,
ଦେବାଳୟର ଶଙ୍ଖ,ଘଣ୍ଟ ଧ୍ୱନିରେ,
ପାର୍ବଣ ଋତୁର ଆଗମନୀ ବାରତା ଦିଏ,
ଗଗନେ, ପବନେ, ଚଉଦିଗେ କିଏ କହୁଥାଏ,
ଶରତ ଆସୁଛି… ଶରତ ଆସୁଛି… ଶରତ ଆସୁଛି ।

– କଲ୍ୟାଣୀ ନନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...