ଘାସ

Odia Poem Ghasa (ଘାସ) by Saroj Kumar Sahoo

ତୁ
ଯେବେ ଯେବେ
ମାଟି ବିଦାରି ଉଠୁ
ମୋ ସ୍ୱପ୍ନର କିଆରିରେ,
ମୁଁ ବିଛାଇଦିଏ…

ଦି ହାତର ଅଙ୍ଗୁଳି
ତୁ ଶକ୍ତ ହେଉ ଚେର ବିଛାଉ
ଲଢ଼ିବାକୁ ସୀମାହୀନ ଯୁଦ୍ଧଟେ
ଯେମିତିକି ମୁଁ ତୋ’ର ଚିରଶତ୍ରୁ ।

ମାଟି ସହ ତୋ’ର ସମ୍ପର୍କ
ଯେତିକି ନିବିଡ଼
ତାହାଠୁ ଦୃଢ଼ ମୋର ତିକ୍ତତା,
ତୁ ଜିତିବାର
ମନ୍ତ୍ର ଫୁଙ୍କିଲାବେଳେ…

ମୁଁ ହରେଇବାର ଶବ୍ଦ ଯୋଡ଼େ
ତୋ’ ଉଜାଡ଼ିବାର ସନ୍ଧିରେ
ଅହରହ ଲେପେ…

ସଞ୍ଚାରର ନୂଆ ତିଳକ,
ସେଇଥିପାଇିଁ ତ
ମାଟିଠୁ ଉଧାର ଆଣେ ହସ
ବାଦଲର ଘନତାରୁ ଚୋରାଏ
ଆଞ୍ଜୁଳାଏ…
ସତମିଛ ଭରା ସ୍ବପ୍ନ ।

ତଥାପି ! କେବେ
ପଛକୁ ପକାଇନି ପାଦ
ତୋର କଟାକ୍ଷରେ, ଉପେକ୍ଷାରେ
ପାଶାଣ ପରି…

ଡହଡହ ଖରାରେ ପଖାଳି ଚାଲିଛି ଦେହ
ମୋର ବାକିତକ ପଞ୍ଜରା,
ହେଲେ ! ଶେଷ ହେଇନି
ତୋ’ ସହ ଲଢ଼ିବାର
ସେ ଅଦେଖା ସଂଗ୍ରାମ ।

ବେଳେବେଳେ ଭୟରେ
ଫିଙ୍ଗେ ତୋ’ର
ଖଣ୍ତ ବିଖଣ୍ତିତ ଶରୀରକୁ
ମୋର କିଆରିରୁ…

ଶହେକୋଶର ସେ ବୁଦାକୁ,
ଯୋଉଠୁ
ଲୀନ ହେବା ବଦଳରେ
ତୁ ପୁଣି ଫେରିଆସୁ
ବିଦ୍ରୋହୀ ପବନରେ…
ପିପାସୁ ଝଡ଼ରେ…

ବିନାଶୀ ଜଳରେ…
କିଆରିର ହିଡ଼ ଭିତରକୁ
ନୂତନ ସୃଷ୍ଟିର ଆଶାରେ ।

– ସରୋଜ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...