ବ୍ୟବସ୍ଥା ଅବସ୍ଥା ବିଗିଡ଼ି ଯାଇଛି
ଉଜୁଡ଼ି ଯାଇଛି ସବୁ
ସଜାଡ଼ିବା ଲୋକେ ବିଗିଡ଼ିବେ ଯେବେ
କିଏ ସେ କରିବ କାବୁ?
ରାଜନେତା ଆମ ଭାରି ଚାଲାକିଆ
କଥାରେ କରନ୍ତି ଯାଦୁ
ଟଙ୍କାରେ ନହେଲେ, ହାତ ଗୋଡ଼ ଧରି
ଭୋଟ କରନ୍ତି କାବୁ ।
ପାଇଲେ ଭୋଟ କମାନ୍ତି ନୋଟ
ବାଦା ଇରାଦାକୁ ଭୁଲି
ନାନା ସମସ୍ୟାର ବୋଝ ଭାର ତଳେ
ଜନତା ସାଜଇ କୁଲି ।
ଯେଉଁ ହାତ ଥରେ ଜନତାକୁ ଯୋଡ଼ି
ସମର୍ଥନ ଭିକ୍ଷୁଥିଲା
ସେହି ହାତ ଆଜି ଜନତା ଦୁଃଖରେ
ତାଳିମାରି ହସୁଥିଲା ।
ରକ୍ଷକ ଭକ୍ଷକ ସାଜିଛି ଏଇଠି
ଆଲୁଅ ଯାଇଛି ଲିଭି
କେତେ ଯେ କୃଷକ ଆତ୍ମହତ୍ୟା କଲେ
ପ୍ରମାଣ ଦେଉଛି ଟିଭି ।
ଡାକ୍ତରଖାନାର ସ୍ୱଚ୍ଛତା ଦେଖିଲେ
କିଏ ବା କ’ଣ କରିବ ।
ମନ୍ଦିର ଶ୍ମସାନ ଯେବେ ପାଲଟିବ
କିଏ ଯେ ତର୍କ କରିବ ।
ଶିକ୍ଷାର ସାଗରେ ଅଶିକ୍ଷିତ ଲୋକ
ଯେବେ ଯୋଗଦାନ କଲେ
ଅମୀୟ ବଦଳେ ବିଷ ହିଁ ମିଳିବ
ଯେତେ ସମୁଦ୍ର ମନ୍ଥିଲେ ।
ଆଜି ବି ସମୟ ଆମ ହାତେ ଅଛି
ଯଦି ବ୍ୟବସ୍ଥିତ ମନସ୍ଥିତ ଅଛି
ବଦଳି ପାରିବ ସବୁ ବ୍ୟବସ୍ଥା
କାରଣ, ନିଜେ ସୁଧୁରିବା ସବୁଠୁ ଶସ୍ତା ।
– ଦେବାଶିଷ ନାୟକ