You are currently viewing ଯୁଦ୍ଧ
Odia Poem Yudh (ଯୁଦ୍ଧ) by Madhumita Mishra

ଯୁଦ୍ଧ

ଅହରହ?
ଅନବରତ?
ଅବିରତ?
ଅସମାପ୍ତ?

ପ୍ରେମ ସହ ଘୃଣାର,
ବିଶ୍ଵାସ ସହ ପ୍ରତାରଣାର ।
ତୃପ୍ତି ସହିତ ଯନ୍ତ୍ରଣାର,
ପର ସହିତ ଆପଣାର ॥

କିଏ ହାରିବ?
କିଏ କାହାକୁ ଜିତିବ?
କିଏ ହରେଇ ଦେଇ ଜିତିବ?
କି କିଏ ଅବା ଜିତୁ ଜିତୁ ହାରିବ !

ସୀମାନ୍ତ ଅଶାନ୍ତ
ଶରୀର କ୍ଳାନ୍ତ ଶ୍ରାନ୍ତ
ଧୂମାଳ ଦୂର ଦିଗନ୍ତ
ଆଦି ନାହିଁ କେଉଁଠି ବା ଅନ୍ତ?

ସୀମା ବନ୍ଧା ନୁହେଁ
ନିୟମ ବାନ୍ଧି ପାରେନା !!
ଯୁଦ୍ଧ ଜୁଇରେ ଜଳିଲା ବେଳେ
ମୃତ୍ୟୁ ଜୀବନକୁ ଖୋଜି ପାଏନା ।

ଓଃ !
ବହିଃ ଜ୍ଵାଳାଠାରୁ ଢେର ଅଧିକ
ଅନ୍ତର୍ଜ୍ଵଳନର କରୁଣ ଚିତ୍କାର…
ତ୍ରାହି ତ୍ରାହି ଡକା ଚତୁର୍ଦ୍ଦିଗରେ,
ମର୍ମନ୍ତୁଦ ଦୃଶ୍ୟ ମିଳିବନି ନିସ୍ତାର…

ରାମାୟଣ ମହାଭାରତ ନୁହେଁ,
ହେବନି ଆଉ ଶର ସନ୍ଧାନ !
ଆଧୁନିକ ନରସଂହାର ଇଏ
ପରମାଣୁର ଶକ୍ତ ବନ୍ଧନ ॥

ଧ୍ଵଂସ ବିଧ୍ୱଂସର କଳା ଇତିହାସ,
ସାକ୍ଷୀ ହେବ ସବୁ ବୃଥା ପ୍ରୟାସ ।
ବିକଳାଙ୍ଗ ସମାଜର ନିଷ୍ଫଳ ଆଦର୍ଶ
ଲେଖିବ ଗାଥା ଯେଉଁଠି ମାନବତା ନିଃଶେଷ ॥

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।