ସ୍ୱପ୍ନର ରାଜକୁମାର
ସ୍ୱପ୍ନର ରାଜକୁମାର

ସ୍ୱପ୍ନର ରାଜକୁମାର

ଝରକାର ମରାମତି ହେବା, ପ୍ରତିଦିନ ଝରକା ଖୋଲିବା ଲୋକ ରାଜ କୁମାର ସାଜି ଆସି ରହିବା ଆଉ ମନ ପବନ ଘୋଡ଼ାରେ ନିଇତି ତାକୁ ପରୀ ରାଇଜଠାରୁ ଆରମ୍ଭ କରି ରାଜ ଉଆସ ବୁଲାଇବା ଯାଏଁ ସବୁକିଛି ସେ ଦେଖିଥିଲା । ଝରାକ ବନ୍ଦ ରହିଥିବା ସମୟରେ ପୁଣିଥରେ ଖୋଲିବା ସମୟକୁ ନିଇତି ଅପେକ୍ଷା କରିବା ଆଉ ଖୋଲିବାପରେ ସେ ସଜ ମେହେନ୍ଦୀଲଗା ହଳଦୀ ଗୁରୁଗୁରୁ ହାତ ଦୁଇଟିର ଝୁଣୁଝୁଣୁ ଶବ୍ଦରେ ପରଜାପତିର ରଙ୍ଗ ବଦଳେଇବାକୁ ନିଜ ଆଖି ଆଗରେ ଦେଖି ଛୋଟୀ ଝିଅଟି ଭିତରେ ଭିତରେ ଭାଙ୍ଗିପଡ଼ିଥିଲା । ସବୁଦିନେ ସ୍ୱପ୍ନରେ ବିଭିନ୍ନ ପ୍ରକାର ରଙ୍ଗ ଦେଖାଇବାକୁ ଆସୁଥିବା ସେ ରାଜକୁମାରଟିକୁ ଆଉ କିନ୍ତୁ ଆସୁନଥିଲା, ତା’ ଜାଗାରେ ଏବେ ଆସୁଛି ଏକ ଅସୁରୁଣୀ । ଅସୁରୁଣୀ ସବୁଦିନେ ଗୋଟିଏ କଳା ଦେଖାଉଥିଲା ଆଉ ସେମାନଙ୍କର ମନ ପବନ ଘୋଡ଼ାର ଡେଣା କାଟି ତାକୁ ଭୂମିଷ୍ଠ କରିଦେଉଥିଲା । ରାଜକୁମାରକୁ ତା’ର ଶରଣ ପଶିବାକୁ ବାଧ୍ୟ କରୁଥିଲା । ଏସବୁ ସ୍ୱପ୍ନ ବୋଲି ଜାଣି ମଧ୍ୟ ଝିଅଟି କିନ୍ତୁ ସେଇଥିରେ ହଜିଯାଉଥିଲା, ଅସୁରୁଣୀ ସହ ଲଢ଼ିବାକୁ ବହୁତ ଚେଷ୍ଟା କରୁଥିଲା, ମାତ୍ର ତାକୁ ହରେଇବା ତ ଦୂରର କଥା ଅସୁରୁଣୀ ସାମ୍ନାରେ ଛିଡ଼ା ହେବାର ଶକ୍ତି ମଧ୍ୟ ତା’ପାଖରେ ନଥିଲା । ରାଜକୁମାର ସହ ମନ ପବନ ଘୋଡ଼ାରେ ବୁଲିବାକୁ ଗଲାବେଳେ ଯେଉଁ ପରୀମାନେ ତାକୁ ଖୁସିରେ ଆଲିଙ୍ଗନ କରି ପାଛୋଟି ନେଉଥିଲେ, ସେମାନେ ମଧ୍ୟ ତାକୁ ଦେଖି ନ ଦେଖିଲା ପରି ଚାଲିଯାଉନ୍ତି, ଯେଉଁ ରାଜକୁମାର ତାକୁ ନ ଦେଖି ରହିପାରୁନଥିଲା, ସେ ଆଜି ଅସୁରୁଣୀର କିମିଆରେ ବନ୍ଦୀ ହୋଇ ତା ଆଗକୁ ମଧ୍ୟ ଆସୁନାହିଁ । ଫୁଲରେ ସୁସଜ୍ଜିତ ପଥ ଆଜି କଣ୍ଟକମୟ ହୋଇପଡ଼ିଛି ।

ଦିନକୁ ଦିନ ଝିଅଟିର ମନ ଏବଂ ସ୍ୱାସ୍ଥ୍ୟ ଖରାପ ହେବା ଦେଖି ତା’ ଘର ଲୋକେ ମଧ୍ୟ ଚିନ୍ତିତ ହୋଇପଡ଼ିଲେ । ସେ ଥିଲା ବାପାମାଆଙ୍କର ଗୋଟିଏ ବୋଲି ଝିଅ । ତା’ର ଗୋଡ଼ ଯୋଡ଼ିକ ଖରାପ ଥିବା ସତ୍ୱେ ବି ତା’ର ପିତାମାତା ତାକୁ କେବେ ସେ ବିଷୟରେ ଚିନ୍ତା କରିବାର ସୁଯୋଗ ଦେଇନଥିଲେ । ମାତ୍ର ଝିଅର ଏମିତି ଅବସ୍ଥା ଦେଖି ସେମାନେ ସହିପାରିଲେନି । ଡାକ୍ତରମାନେ ମଧ୍ୟ ସେମିତି କିଛି ରୋଗ ହୋଇଥିବା କଥା ଜାଣିପାରିଲେ ନାହିଁ । ଶେଷରେ ଜଣେ ଡାକ୍ତରଙ୍କ ପରାମର୍ଶରେ ତାକୁ କୌଣସି ମନୋବିଜ୍ଞାନୀଙ୍କୁ ଦେଖାଇବାକୁ ସ୍ଥିର କଲେ । ସେହି ଡାକ୍ତରଙ୍କର ପରାମର୍ଶକ୍ରମେ ସେହି ସହରର ଜଣେ ଯୁବ ଡାକ୍ତରଙ୍କୁ ଦେଖାଇବାକୁ ସେମାନେ ସ୍ଥିର କଲେ । ତେଣୁ ତାଙ୍କ ସହ ଯୋଗାଯୋଗ କରି ଦେଖା କରିବାର ସମୟ ସ୍ଥିର କଲେ ଆଉ ଝିଅକୁ ତାଙ୍କ ପାଖକୁ ନେଇକି ଗଲେ ।

ଝିଅଟି ଡାକ୍ତରଙ୍କୁ ଅପେକ୍ଷା କରି ତା’ର ହ୍ୱିଲ ଚେୟାର ଉପରେ ସେମିତି ବସିରହିଥାଏ ଆଉ ହଠାତ ସାମ୍ନାରେ ତା’ର ରାଜକୁମାରକୁ ଦେଖିଲା । ସବୁବେଳେ ପ୍ରାୟତଃ ସେ ଶୋଇଲାପରେ ସ୍ୱପ୍ନ ଦେଖୁଥିଲା, ମାତ୍ର ଏଥର ସେ ଚେୟାର ଉପରେ ବସିକି କାହିଁକି ଆଉ କେମିତି ସ୍ୱପ୍ନ ଦେଖୁଛି ବୋଲି ଭାବିଲା ଆଉ ପୁଣି ଅନେକ ଦିନ ପରେ ରାଜ କୁମାରକୁ କାହିଁକି ଦେଖୁଛି । କିନ୍ତୁ ସବୁ ସ୍ୱପ୍ନ ଆଉ ପ୍ରଶ୍ନ ତା’ର ମିଳେଇଗଲା ତା’ ବାପାଙ୍କ ଡାକରେ ଆଉ ସେ ଥିଲେ ସେହି ମନୋବିଜ୍ଞାନୀ ଜଣଙ୍କ, ଯିଏକି ସେହି ଝରାକ ସେପାଖେ ରହୁଥିଲେ । ଡାକ୍ତର ଜଣଙ୍କୁ କୌଣସି କାମରେ ବାହାରକୁ ଯିବାକୁ ପଡ଼ିବାରୁ ସେମାନେ ଫେରି ଆସିଲେ ।

ଆଜି ହସ୍ପାତାଳରେ ସେ ତା’ର ରାଜକୁମାରଙ୍କୁ ଦେଖିବାପରେ ଆଉ ଜାଣିବାପରେ ଖୁସି ହେବ ବି କ’ଣ କରିବ ଜାଣିପାରୁନଥିଲା । ଘରକୁ ଫେରି ପୁଣିଥରେ ସେହି ଝରକା ଆଡ଼କୁ ଚାହିଁଲା ଆଉ ପରଜାପତିମାନଙ୍କୁ ସେଠାରେ ଫୁଲରୁ ଫୁଲ ଉଡ଼ି ବୁଲୁଥିବା ଦେଖିଲା । ଆଜି ରାତିରେ ସ୍ୱପ୍ନରେ ପୁଣିଥରେ ସେ ଉଡ଼ିବାକୁ ଚେଷ୍ଟା କଲା, ତା’ ସାମ୍ନାରେ ରାଜକୁମାର ଥିଲା, ମାତ୍ର ସେ ଅସୁରୁଣୀର କିମିଆରେ ପଡ଼ି ତାକୁ ଚିହ୍ନି ପାରୁନଥିଲା କି ମନ ପବନ ଘୋଡ଼ାରେ ବସାଇ ବୁଲାଇବାକୁ ତାକୁ ଡାକୁନଥିଲା । ଆଜି ପରୀମାନେ ଆଉ ପ୍ରହରୀମାନେ ତାକୁ ଦେଖି ପୂର୍ବଭଳି ଆଲିଙ୍ଗନ କଲେନି କି ନ ଦେଖିଲା ପରି ଚାଲିଗଲେନି, ବରଂ ତାକୁ ଦେଖି କେମିତି ଗୋଟେ କଟାକ୍ଷଭରା ହସ ହସି ଚାଲିଯାଉଥିଲେ ।

ସେଦିନ ସେ ହଳଦୀଆ ହାତ ଦୁଇଟିରେ ଥିବା ସୁନାଚୁଡ଼ି ଆଉ ଶଙ୍ଖ ବଳାରୁ ଆସିଥିବା ତୀରର ଆଘାତରେ କାନ୍ଦିନଥିବା ଝିଅ ଛୋଟୀ ଝିଅଟି ଆଉ ସମ୍ଭାଳିପାରିଲାନି, ଭୋ ଭୋ ହୋଇ କାନ୍ଦି ଉଠିଲା । ରାଜକୁମାରକୁ ତା’ ପାଖକୁ ଯେମିତି ହେଲେ ଫେରାଇ ଆଣିବ ବୋଲି ମନେ ମନେ ସ୍ଥିର କଲା ଆଉ ପୁଣିଥରେ ଡାକ୍ତରଙ୍କ ପାଖକୁ ଯିବାକୁ ବାହାରିଲା । ସେ ତା’ର ମନର ଅବସ୍ଥା ବିଷୟରେ ଜାଣିବାକୁ ଚାହିଁବାରୁ ସେ ଚତୁରତାର ସହ ସବୁ କିଛି ବତାଇଥିଲା ଆଉ ଧୀରେ ଧୀରେ ସେ ଡାକ୍ତରଙ୍କ ସହ ତାଙ୍କ ପରିବାରର ସମ୍ପର୍କ ବଢ଼ିବାରେ ଲାଗିଲା । ଘର ପାଖରୁ ରହୁଥିବାରୁ ଥରେ ରବିବାରରେ ଡାକ୍ତରବାବୁ ତାଙ୍କ ପତ୍ନୀଙ୍କ ସହ ସେ ଝିଅର ଘରକୁ ଆସିଥିଲେ ଆଉ ଏବେ ତାକୁ ବି ଡାକ୍ତରଖାନା ଯିବାକୁ ପଡ଼ୁନଥିଲା, ସେ କେବଳ ତାଙ୍କରି ଘରେ ହିଁ ପରୀକ୍ଷା କରୁଥିଲେ ।

ଛୋଟୀ ଝିଅଟି କିନ୍ତୁ ବହୁତ ଖୁସି ଥିଲା, ତା’ର ରାଜକୁମାର ସେ ଅସୁରୁଣୀର କିମିଆରୁ ଧୀରେ ଧୀରେ ମୁକୁଳୁଥିବା ସେ ଜାଣୁଥିଲା । ଉଭୟଙ୍କର ସମ୍ପର୍କ ନିବିଡ଼ି ହେଉଥିଲା ଆଉ ସେ ଅସୁରୁଣୀର କିମିଆକୁ କାଟିଲା ଭଳି କିମିଆ ତା’ଠାରୁ ଶିଖୁଥିଲା । ଏମିତିରେ କିଛିଦିନ ଅତିବାହିତ ହେବାରେ ଲାଗିଲା ଆଉ ଏବେ ସ୍ୱପ୍ନର ରଙ୍ଗ ମଧ୍ୟ ଧୀରେ ଧୀରେ ବଦଳିବାରେ ଲାଗିଥିଲା । ଏବେ ରାଜ କୁମାର ତାକୁ ମନ ପବନ ଘୋଡ଼ାରେ ପୁଣି ସବୁଆଡ଼େ ବୁଲାଉଥିଲା ଆଉ ସେ ଅସୁରୁଣୀ ବି ତାକୁ ବାଧା ଦେଉନଥିଲା, ବରଂ ତା’ ସାଥେ ସାଥୀ ହୋଇ ବୁଲୁଥିଲା ।

ହେଲେ ଦିନେ ତା’ର ସ୍ୱପ୍ନ ସମ୍ପୂର୍ଣ୍ଣ ଅଲଗା ହୋଇଗଲା ଆଉ ସେ ଗୋଟିଏ ନୂଆ ଅସୁରୁଣୀ ତା’ର ସାଙ୍ଗ ଅସୁରୁଣୀକୁ ଆକ୍ରମଣ କରୁଥିବା ଦେଖିଲା ଆଉ ସେ ନିଜକୁ ଅଟକାଇ ରଖିପାରିଲାନି ତା’ର ସାଙ୍ଗ ଅସୁରୁଣୀକୁ ବଞ୍ଚେଇବାକୁ ଚେଷ୍ଟା କଲେ । କିନ୍ତୁ ଏ କ’ଣ ! ସେ ସେହି ନୂଆ ଅସୁରୁଣୀକୁ ମାରିବାକୁ ପ୍ରହାର କରିବାରୁ ତା’ର କିଛି ହେଲାନି ଆଉ ନିଜକୁ ହିଁ କଷ୍ଟ ହେଲା । ସବୁ ପ୍ରହାରରେ ସେ ବଞ୍ଚିଯାଉଥିଲା ଆଉ ନିଜେ ଚୋଟ ଖାଇ ଲହୁଲୁହାଣ ହୋଇପଡ଼ିଲା । ଶେଷରେ ନୂଆ ଅସୁରୁଣୀଟି ତା’ର ସାଥୀ ସେ ପୁରୁଣା ଅସୁରୁଣୀକୁ ମାରି ଚାଲିଗଲା । ଏବେ ରାଜକୁମାରକୁ ପାଇବାର ବାଟ ଉନ୍ମୁକ୍ତ ହୋଇଗଲା ଆଉ ତାକୁ ସେ କିମିଆକୁ ଭାଙ୍ଗିବାକୁ ବି କଷ୍ଟ କରିବାକୁ ପଡ଼ିବନି । ରାଜକୁମାର ବି ତାକୁ ଆପଣେଇ ନେଲା ।

ହେଲେ ସେ ତା’ର ସେ ସାଥୀ ଅସୁରୁଣୀର ମୃତ୍ୟୁରେ କାହିଁକି ଖୁସି ନଥିଲା ସେକଥା ବୁଝିପାରୁନଥିଲା । ବାରମ୍ବାର ସେହି ଗୋଟିଏ କଥା ତା’ ମନରେ ଘାଣ୍ଟି ହେଉଥିଲା । ଏହାର ଉତ୍ତର ସେ ସବୁଆଡ଼େ ଖୋଜିବୁଲୁଥିଲା କିନ୍ତୁ ପାଉନଥିଲା । ଶେଷରେ ସେ ସେହି ପ୍ରଶ୍ନର ଉତ୍ତର ସେ ରାଜକୁମାରକୁ ପଚାରିଲା ଆଉ ରାଜକୁମାର ତାକୁ ନଖ ଦର୍ପଣରେ ଦୁଇ ଅସୁରୁଣୀର ଲଢ଼େଇ ଦେଖାଇଲା । ସେ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ ମଧ୍ୟ କରିପାରିଲା ନାହିଁ ।

ସେହି ନୂଆ ଅସୁରୁଣୀ ଆଉ କେହି ନଥିଲା, ସେ ନିଜେ ହିଁ ଥିଲା । ସାଥୀ ଅସୁରୁଣୀ ଉପରେ ଆକ୍ରମଣ ହେଉଥିବା ସେ ଦେଖିପାରିଥିଲା, କିନ୍ତୁ କିଏ କରୁଥିଲା ତାକୁ ସେ ଧ୍ୟାନ ଦେଇନଥିଲା ଆଉ ସେଇଥିପାଇଁ ସେ ନୂଆ ଅସୁରୁଣୀ ଉପରେ ଆକ୍ରମଣ କଲାବେଳେ ନିଜେ ଆଘାତ ପାଉଥିଲା । କିନ୍ତୁ ନଖ ଦର୍ପଣରେ ଦେଖିଲାବେଳେ ସେ ଲକ୍ଷ୍ୟ କଲା କି ସେ ଯାହାକୁ ଅସୁରୁଣୀ ବୋଲି ଭାବୁଥିଲା ସେ କିନ୍ତୁ ଜଣେ ରାଜକୁମାରୀ ଥିଲା, ଯାହାକୁ ସେ ମନ ପବନ ଘୋଡ଼ାରେ ବୁଲିଲାବେଳେ ଆଗରୁ ଦେଖିଥିଲା । ଏବେ ତା’ ଆଗରେ ବୁଝିବାକୁ ଆଉ କିଛି ବାକି ନଥିଲା, ତା’ର ସ୍ୱପ୍ନର ରାଜକୁମାର ସେହି ରାଜକୁମାରୀ ଭେଟିବାକୁ ସେହି ମନ ପବନ ଘୋଡ଼ାରେ ବସି ଯାଉଥିଲା ଆଉ ସେ ତା’ ସାଙ୍ଗରେ ନିଜେ ହିଁ ଯାଉଥିଲା ।

ହଠାତ ବାପାଙ୍କର ଡାକର ତା’ର ନିଦ ଭାଙ୍ଗିଗଲା ଆଉ ସ୍ୱପ୍ନ ବି ସରିଯାଇଥିଲା । ତା’ର ସ୍ୱପ୍ନର ରାଜକୁମାରକୁ ସେହି ରାଜକୁମାରୀକୁ ସମର୍ପି ଦେବାକୁ ସେ ସ୍ଥିର କରି ପୁଣିଥରେ ସେହି ଝରକା ଆଡ଼କୁ ଦେଖେ ତ ସେଠାରେ ଫୁଲ ଉପରେ ବସି ପ୍ରଜାପତିଗୁଡ଼ା ତାକୁ ଅଭିବାଦନ ଜଣାଉଥିଲେ ।

(୪ର୍ଥ ସଂସ୍କରଣରେ ସୁଲଗ୍ନା ଅପାଙ୍କ ପ୍ରକାଶିତ ଗପ “ସାମ୍ନାଘର ଝରକା“କୁ ଅନେକ ଭଲ ପାଇବା ମିଳିଥିଲା । କିନ୍ତୁ ଏଥର ତାଙ୍କର ବହି ପ୍ରକାଶ ପାଇବାକୁ ଯାଉଛି, ତେଣୁ ତାଙ୍କର ଗପର ଅନୁପସ୍ଥିତିକୁ ପୂରଣ କରିବାକୁ ମୁଁ ସେହି ଗପକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଛି । ଅବଶ୍ୟ ସେତେ ଭଲ ହେଇନି, କିନ୍ତୁ କେମିତି ଲାଗିଲା ଜଣେଇବେ ।)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Leave a Reply

Close Menu