You are currently viewing ସ୍ୱପ୍ନ ଓଡ଼ିଶାର
Odia Poem Swapna Odishara (ସ୍ୱପ୍ନ ଓଡ଼ିଶାର) by Kaibalya Nayak

ସ୍ୱପ୍ନ ଓଡ଼ିଶାର

ଦିନେ ଦେଖିଥିଲେ ସ୍ୱପ୍ନ ଓଡ଼ିଶାର
ଭୋକିଲା ପେଟରେ ସୁରି,
କରିଲେ ବି ସତ ସ୍ୱପ୍ନ ତାଙ୍କର
ଆପ୍ରାଣ ଉଦ୍ୟମ କରି ।

ଖଣ୍ଡ ଖଣ୍ଡ ହୋଇ ଓଡ଼ିଶା ଯେ ଥିଲା
କ୍ଷତ ବିକ୍ଷତ ସାଜି,
ଆଣିଲେ ଫେରାଇ ସ୍ୱପ୍ନ ସତ କରି
ଗର୍ବ ଗୌରବ ରାଜି ।

ଭାବିଥିଲେ ସିଏ ଉତ୍ତରଦାୟାଦ
ନେବେ ଓଡ଼ିଶାକୁ ବହୁ ଦୂର,
ଜାଣି ତ ନଥିଲେ ମାଙ୍କଡ଼ ହାତରେ
ଦିଅଁ ଧରେଇବା ଅର୍ଥ ତା’ର ।

ଓଡ଼ିଆ କାଟୁଛି ଓଡ଼ିଶାକୁ ଆଜି
ରାଜନୀତି ଛୁରୀ ଧରି,
ବାହାରେ ପଡ଼ୋଶୀ ଚାହିଁରହିଛନ୍ତି
ସତେ କି ଚାତକ ପରି ।

ସଭିଏଁ ପାଗଳ ଓଡ଼ିଶା ମାଟିର
ଅଙ୍ଗ କାଟିବା ପାଇଁ,
ସ୍ୱପ୍ନର ଓଡ଼ିଶା ଚୁଲିକୁ ଗଲାଣି
ଓଡ଼ିଆ ଅସ୍ମିତା କାହିଁ?

ପେଟେ ଭୋକ ଥାଇ ବାପା ଜେଜେ କଲେ
ସ୍ୱପ୍ନର ଓଡ଼ିଶା ଧାଇଁ,
ଟଙ୍କେ ଚାଉଳରେ ନିଦ କି ଆସୁନି
ତୁମକୁ ସ୍ୱପ୍ନ ଦେଖିବା ପାଇଁ?

ବିଭୀଷିକା ଏହା ଚିର ସହଚର
ଓଡ଼ିଶାକୁ ଧୋଇ ନିଏ,
ଆଉ ଯାହା କିଛି ଛାଡ଼ି ଦିଏ ସିଏ
ନେତା ମନ୍ତ୍ରୀ ବାଣ୍ଟି ନିଏ ।

କାହିଁ ରକ୍ତେ ତୁମ ମାଦଳ ବାଜୁନି
ତୁମେ କି ଓଡ଼ିଆ ନୁହଁ,
ରାଜନୀତି ଚକ୍ରେ ନିଜକୁ ବନ୍ଧାଇ
କାହିଁ ନିଜ ରାଜ୍ୟ ବାଣ୍ଟିଦିଅ ।

ଦେଖ ତୁମେ ସ୍ୱପ୍ନ ଖୋଲା ଆକାଶରେ
ତୁମ ମାଟି ପାଇଁ ତୁମେ
ଏକତାରେ ରହି ଅଧିକାର ପାଇଁ
ଲଢ଼ିଯାଅ ତାଙ୍କ ନାମେ ।

– କୈବଲ୍ୟ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୈବଲ୍ୟ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।