You are currently viewing ଶୁଆଶାରୀ
Suasari (ଶୁଆଶାରୀ) - Odia Poem by Bhagyashree Sahoo

ଶୁଆଶାରୀ

ବୁଡ଼ି ଯାଉଥିଲେ ବାରୁଣୀ ଦିଗରେ
ପ୍ରଭାକର ରଙ୍ଗ ବିଞ୍ଚି,
ଗୋଠ ଫେରୁଥିଲା ଗୋଧୂଳି ଉଡ଼େଇ
ନୀଡ଼ ଅଭିମୁଖେ ପଷୀ (୧)

ଗଛ ପଚାରିଲା କହଲୋ କସ୍ତୁରୀ
ମନ କରୁ କାଇଁ ଉଣା,
ନୀରବରେ ବସି ସବୁବେଳେ କାଇଁ
ଢାଳୁଅଛୁ ଅଶ୍ରୁଧାରା (୨)

ଭାଙ୍ଗିଯାଇଥିଲେ ଗଢ଼େଇ ଦେବି ମୁଁ
ହଜିଥିଲେ ଦେବି ଖୋଜି,
ନୀରବତା ଭାଙ୍ଗି କହ ଥରେ ଶାରୀ
କିସ ଭାଳୁ ବସି ବସି (୩)

ସହସ୍ର ବର୍ଷର କୋହ ବେଦନାକୁ ଆଖିବାଟେ ଦେଇ ଢାଳି
ଶାରୀ କହେ ଆରେ ଶାଗୁଆନ ଭାଇ, ପାରିବୁକି ମତେ କହି?
କାହିଁ ଗଲେ ମୋର ମୋହନସୁନ୍ଦର,
ମୋତେ ଏକା କରିଦେଇ? (୪)

ବରଷା ଝଡ଼ିରେ ବାହାରିଲେ ଦିନେ
ଆହାର ଯୋଗାଡ଼ ପାଇଁ,
ନୀଡ଼ ପକ୍ଷୀ ଆଉ ନୀଡ଼କୁ ନଫେରି
ହଜିଗଲେ କହ କାହିଁ? (୫)

ହାତ ଧରି ମୋର କହିଥିଲେ ଦିନେ
“ଚାଲିବି ମୁଁ ତୋର ସାଥେ
ଛାତିର ସ୍ପନ୍ଦନ ଚାଲୁଥିବା ଯାଏ
ଥିବି ତୋର ପାଖେ ପାଖେ ।” (୬)

ହରିନାମ ଭଜି ଉଡ଼ି ବୁଲୁଥିଲୁ
ବନ ରାଇଜଟା ସାରା,
ମୋ ଖୁସିକୁ କିଏ ନଜର ଲଗେଇ
ମତେ କଲା ସର୍ବହରା? (୭)

ପବନର କଣ୍ଠ ରୁଦ୍ଧ ହୋଇଗଲା
କହିଲା ସେ ଦମ୍ଭଧରି,
ଫେରିବ ନାହିଁ ସେ ଆଉ କେବେ ଶାରୀ
ଗଲେ ପଛେ ଯିବୁ ମରି । (୮)

ତୋ ଅପେକ୍ଷା କେବେ ହେବନି ଲୋ ଅନ୍ତ
ସେ ନାହିଁ ଏ ମର୍ତ୍ତ୍ୟପୁରେ
ବୁଢ଼ାଶୀକାରୀଠୁ ବଞ୍ଚିପାରିଲାନି ମୋହନସୁନ୍ଦର ତୋର । (୯)

ଛିଡ଼ିଗଲା ସତେ ଆକାଶୁ ବାଦଲ
ଖସିଗଲା ତଳୁ ଭୂଇଁ
କସ୍ତୁରୀ ନିଶ୍ୱାସ ଶିଥିଳ ହୋଇଲା
ସେଇଠି ସେ ଗଲା ଟଳି । (୧୦)

ପ୍ରକୃତ ପ୍ରେମର ପରଶରେ ଥାଏ
ପବିତ୍ରତା ଆତ୍ମତୃପ୍ତି,
ମିଳନ ବିଚ୍ଛେଦ ଉର୍ଦ୍ଧ୍ୱରେ ରହନ୍ତି
ପ୍ରେମ କରୁଥିବା ପ୍ରେମୀ । (୧୧)

– ଭାଗ୍ୟଶ୍ରୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଭାଗ୍ୟଶ୍ରୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।