You are currently viewing ସ୍ମୃତି
ସ୍ମୃତିକୁ ନେଇ କେଇ ଧାଡ଼ି

ସ୍ମୃତି

ମନେ ପଡ଼ୁଅଛି ସାଥୀମାନେ ଆଜି
ପାଠ ପଢ଼ା ବେଳର କଥା
ସମୟେ ଆସିବା ସମୟରେ ଯିବା
ଥିଲା ସେତ ଆମରି ଚିନ୍ତା । (୧)

ଧାଡ଼ି ଧାଡ଼ି ହୋଇ ଏକକ ସ୍ୱରରେ
ପ୍ରାର୍ଥନା କରୁଥିଲେ ଆମେ
ପାଠ ବେଳେ ପାଠ ଖେଳ ବେଳେ ଖେଳ
ହସ ମଜାଗ କେତେ ଜମେ । (୨)

ଦଶମ ଶ୍ରେଣୀର ଶେଷ ପରୀକ୍ଷାର
ସ୍ମୃତିକୁ ବା ଭୁଲି ହେଉଛି
ଆପଣା ମଧ୍ୟରେ ଆଲୋଚନା ହୁଏ
ସେହି କଥା ମନେ ରହିଛି । (୩)

ଏକାଠି ବସିକି ଖାଇବାର ମଜା
କେତେ ଯେ ଆନନ୍ଦ ଲାଗଇ
କିଏ ମାଗେ ଲଙ୍କା କିଏ ବା ପିଆଜ
ଖାଉଥିଲେ ଆମେ ଚୋରାଇ । (୪)

ସମୟ ଚକରେ ଦିନ ଗଡ଼ି ଗଲା
ଉଚ୍ଚ ଶିକ୍ଷିତ ଯେ ହୋଇଲା
ଯିଏ ନ ପଢ଼ିଲା ନିଜ କାମ କଲା
ଭାଗ୍ୟକୁ ସାଥିରେ ରଖିଲା । (୫)

ବ୍ୟସ୍ତତା ଭିତରେ ସମୟ ଗଡ଼ିଲା
କେହି ତ ନ ପାରିଲେ ଜାଣି
ବାହା ସାହା ହୋଇ ସାଂସାରିକ ହେଲେ
ନିଜେ ହେଲେ ମଉଡ଼ମଣି । (୬)

ପୁଅ ଝିଅ ସ୍ୱାମୀ ନିଜର ହୋଇଲେ
ସାଙ୍ଗ ସାଥୀଙ୍କୁ ଭୁଲି ଗଲେ
କିଏ ପୁଣି ନିଜ ସଙ୍ଗିନୀକୁ ନେଇ
ବିଦେଶରେ ଯାଇ ରହିଲେ । (୭)

କିଛି କଥା ନାହିଁ ରୁହ ବା ଯେଉଁଠି
ମନେ ପକାଅ ସେ ଦିନକୁ
ସତ କହୁଅଛି ମନେ ପଡ଼ିଗଲେ
ମୁରୁକି ହସିବ ନିଜକୁ । (୮)

ରାସ୍ତା ଘାଟେ କେବେ ଦେଖା ହୋଇଗଲେ
ହାଏ ହେଲୋ ଟିକେ କହିବ
ମୋବାଇଲରେ ବି ବାର୍ତ୍ତା ପଠାଇଲେ
ମନ ଭାରି ଖୁସି ହୋଇବ । (୯)

– ରମେଶ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।