କୁହୁଡ଼ି ଶେଯରେ ସକାଳୁ ସେ ଢାଙ୍କି ହୋଇଥାଏ
ସୁନେଲି କିରଣରେ ତା’ ନିଦ ଭାଙ୍ଗିଯାଏ
କୃଷକ ପୁଅ ବିଲଆଡ଼େ ମାଡ଼ିଯାଏ
ମା’ଙ୍କର ବିରକ୍ତି ଭରା ଗାଳି ଶୁଣି ନିଦ ମୋର ହଜିଯାଏ
ଏପଟେ ଘରୁ ଚକୁଳିର ବାସ୍ନା ମୋ ପାଶେ ମାଡ଼ିଆସେ
ସନିଆ ଜେଜେ ପାଖକୁ ଡାକି ମିଠା ମିଠା ଗପ କହେ
କେତେ ବେଳେ ତା’ କୋଳରେ ପଶି ଦାଢ଼ି ମୁଁ ଟାଣିଦିଏ
“ଏ ଚଗଲା ଟୋକାକୁ ପାରି ହେବନି”, କହି ମୃଦୁ ହସଟିଏ ଦିଏ
ଜେଜେଙ୍କ ହାତକୁ ଚାହା କପଟିଏ ଦେଇ ମା’ ମୋତେ ଭିଡ଼ି ନିଏ
ଜେଜେଙ୍କୁ ଛାଡ଼ି ଯିବାପାଇଁ ମୋର ଟିକେ ହେଲେ ଇଛା ନଥାଏ
ସଞ୍ଜ ନଇଁଗଲେ ଗାଁ ମନ୍ଦିରରେ ଭଜନ କୀର୍ତ୍ତନ ନୀତି ଶୁଭେ
ଠାକୁର ଘରୁ ମାଆଙ୍କର ପୂଜା ସାଙ୍ଗକୁ ଝୁଣା ଧୂଆଁ ଭାସି ଆସେ
ମୁଡ଼ି ପାଗ ସାଙ୍ଗକୁ ଚା ଆଉ ପକୁଡିର ମୋ ମନ ଭରିଯାଏ
ନିଆଁ ପାଖେ ବସି ଚଦର ଘୋଡ଼େଇ ଉଷ୍ଣତାର ମଜା ନିଏ
ସେପଟେ ଭାଇ ପଢ଼ିବା ପାଇଁକି ମୋତେ ସେ ଟାଣିନିଏ
ପଢ଼ୁ ପଢ଼ୁ କେତେବେଳେ ଅଚାନକ ନିଦ ଆସିଯାଏ
ମାଆଙ୍କର ଗାଳି ଆଉ ତାଙ୍କ ହାତଠୁ ଖାଉଖାଉ ସେଇଠି ମୁଁ ଶୋଇଯାଏ
ସକାଳୁ ଉଠି ମୁଁ ବିଛଣାରେ ନୀତି ନିଜକୁ ପାଏ
ଏହାଠୁ ସୁଖ ଜୀବନ ମୋ ପାଇଁ ଆଉ କିଛି ନୁହେଁ ।।
Comments
ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।