କମଳା ଶାଢ଼ୀ

କମଳା ଶାଢ଼ୀ

କାଲି ଶାଢ଼ୀଟେ ମିଲିଲା ମୋତେ ମୋ ବିବାହ ବାର୍ଷିକୀ ଉପଲକ୍ଷେ | ରାତି ବାରଟା ବେଳକୁ ଇଂରାଜୀ ଷ୍ଟାଇଲିରେ ମୋ ହାତକୁ ବଢ଼ାଇ ଦେଲେ ଏଇ ଶାଢ଼ୀ ଖଣ୍ଡିକ | ଚିକମିକ କାଗଜରେ ବନ୍ଧା ପ୍ୟାକେଟଟିକୁ ମୁଁ ଭାରି ଉଛନ୍ନ ହେଇ ଖୋଲି ପକେଇଲି | ତା ଭିତରେ ଥିଲା କମଳା ରଙ୍ଗରେ ସବୁଜ ଫୁଲ ପକା ହାଣ୍ଡଲୁମ ଶାଢ଼ୀ ଖଣ୍ଡିଏ | ଏଇ ରଙ୍ଗ ମୋତେ ଜମା ପସନ୍ଦ ନୁହେଁ, ସେଥିରେ ପୁଣି ଏ କି ବଡ଼ ବଡ଼ ଫୁଲ | ମନକୁ ଜମା ପାଉନି ମୋର । କ’ଣ ବା କହିବି ୟାଙ୍କୁ । ରାତିଟାରେ କାହିଁ ମନ ଖରାପ କରିବି ବୋଲି ଭାବି କହିଲି ବହୁତ ରାତି ହେଲାଣି ଚାଲ ଶୋଇବା, କାଲି ସକାଳେ ଆଉ ଯାହା କଥାବାର୍ତ୍ତା | ଯୋଗକୁ ଆଜି ରବିବାର, କୁଆଡ଼େ କିଛି କାମ ନାହିଁ ତାଙ୍କର | ସକାଳୁ ଲାଗିଛନ୍ତି ମୋ ପଛରେ, ଗଣି ଗଣି ଏଇ ଚାରି ଘଣ୍ଟା ଭିତରେ ଆଠ ଥର ପଚାରିସାରିଲେଣି କି କେମିତି ଲାଗିଲା ବୋଲି | ଭଲ ଲାଗୁନି କହିଲେ ମନ ଦୁଃଖ ହେଇଯିବ, ଆଉ ମିଛ କହିଲେ ମୋ ମୁହଁରୁ ଅନୁମାନ କରିନେବେ । ଆଜି ପୁଣି ୟାଙ୍କ ସାନ ଭାଇ ଅଜୁଙ୍କ ତରଫରୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ ମଧ୍ୟ ଅଛି | ମୁଁ ବାହାନା କରି ଠାକୁର ଘର, ରୋଷେଇ ଘର କୁଆଡ଼େ କୁଆଡ଼େ ଲୁଚି ବୁଲୁଛି । ଇୟେ ଏବେ ନିଜର କାମଦାମ ସାରି ଯାଇ ବସିଛନ୍ତି ଟିଭି ସାମ୍ନାରେ | ଯାହା ହଉ ଟିକେ ନିସ୍ତାର ମିଳିଲା ମୋତେ ୟାଙ୍କ ପ୍ରଶ୍ନରୁ | ଯାଏ କିଛି ଗୋଟେ ଭାବିଚିନ୍ତି ବାହାନାଟେ ଖୋଜେ | ଯଦି ଜାଣିବେ ଆଉ କେବେ କିଛି ବି କିଣିକି ଦେବେନି, ଭାରି ଅଭିମାନୀ ମଣିଷଟିଏ ।

ଆରେ ଆମ ପରିଚୟ ତ ଏଯାଏଁ ପାଇଲେନି ଆପଣମାନେ ! ନମସ୍କାର । ମୁଁ ପୂଜା, ଗୋଟେ ବ୍ୟାଙ୍କରେ ପିଓ, ଆଉ ଇୟେ ହେଲେ ମୋ ସ୍ୱାମୀ ସୁବ୍ରତ ମିଶ୍ର, ହାଲରେ ଯନ୍ତ୍ରୀ । ଆମ ବାହାଘର ବେଶୀ ପୁରୁଣା ନୁହେଁ ମ, ଏଥରକୁ ପାଞ୍ଚେ ପୁରିଲା ମାତ୍ର । ଦୁହେଁ ବାଙ୍ଗାଲୋରରେ ରହୁ, ତାଙ୍କ ଅଫିସ ତରଫରୁ ମିଳିଥିବା କ୍ୱାଟରରେ । ସନ୍ତାନ ସନ୍ତତି ଲାଗି ଏଯାଏଁ ମନ ବଳେଇନୁ, ବାସ କାର୍ଯ୍ୟ ବ୍ୟସ୍ତତା ଆଉ ଦିହେଁ ଦିହିଁଙ୍କୁ ଜାଣିବାରେ କେମିତି କଟିଯାଇଛି ଏତେ ଗୁଡ଼େ ଦିନ, ଜଣା ବି ପଡ଼ିଲାନି । ଆମ ଦିଜଣଙ୍କର କଥା ଯଦି ପଡ଼େ, ଗୋଟେ ବଡ଼ ଉପନ୍ୟାସଟେ ହେଇଯିବ । ପରେ କେବେ ସମୟ ସୁଯୋଗ ଦେଖି ଆପଣ ମାନଙ୍କୁ ଶୁଣେଇବି ଆମର ଆଉ କେତେ କଥା । ଚାଲନ୍ତୁ ପୁଣି ଫେରିଯିବା ଆମର ଆଜିର ବିବାହାବର୍ଷିକୀ କାହାଣୀ ଭିତରକୁ ।

ଟ୍ରିଙ୍ଗ ଟ୍ରିଙ୍ଗ …… …. …
ସୁବ୍ରତ କିଏ କଲିଂ ବେଲ୍ ମାରୁଛି, ଯାଇକି ଦେଖନା, ମୁଁ ରୋଷେଇ ଘରେ ବାବା ।
ସୁବ୍ରତ: କପିଲ ସୋରେ ଗୋଟେ ଭଲ କମେଡ଼ି ଚାଲିଛି ପୂଜା, ତୁମେ ଯାଇକି ଦେଖନା, ପ୍ଲିଜ ।
ଟ୍ରିଙ୍ଗ ଟ୍ରିଙ୍ଗ … …. ….. ….
ପୂଜା: ହେ, କି ଅଜବ ଲୋକ ମ ତୁମେ, ଯାଉଛି ରୁହ ।
ଆରେ ଅମର ଆଉ ସ୍ନିଗ୍ଧା, what a pleasant surprise, ପ୍ଲିଜ welcome
ଅମର ଆଉ ସ୍ନିଗ୍ଧା: Hi ପୂଜା, hey hi ସୁବ୍ରତ, wish you both a very happy marriage anniversary guys
ପୂଜା ଆଉ ସୁବ୍ରତ: thank you so much
ସୁବ୍ରତଙ୍କର ଏମାନେ ହେଲେ ଅଫିସ ସାଙ୍ଗ-ଦମ୍ପତି । ଉତ୍ତରପ୍ରଦେଶର ବାସିନ୍ଦା । ଖୁବ ଭଲ ପାଆନ୍ତି ମୋତେ ଆଉ ୟାଙ୍କୁ, ଆଉ ବେଶୀ ମୋ ହାତ ରନ୍ଧା ଓଡ଼ିଆ ଖାଦ୍ୟକୁ | ୟାଙ୍କ ଅଫିସଯାକ ମୋ ଖାଇବାକୁ ନେଇ ସବୁବେଳେ ଚର୍ଚ୍ଚା, ପ୍ରାୟତଃ ଲଞ୍ଚ ଟାଇମରେ | ଏମିତି ବି ହୁଏ କି, ମୋ ସ୍ୱାମୀଙ୍କୁ ବେଳେ ବେଳେ ତାଙ୍କ ଟିଫିନ ବି ଖାଇବାକୁ ମିଳେନି, ବାଧ୍ୟ ହେଇ ବିଚାରା ଦୋସା କି ଉତ୍ତପମ କ୍ୟାଣ୍ଟିନରୁ ମଗେଇକି ଖାଆନ୍ତି । କେବେ କିଛି ପର୍ବ ପର୍ବାଣୀ କି ଜନ୍ମଦିନ ଇତ୍ୟାଦି ହେଲେ, ଅମର ଆଉ ସ୍ନିଗ୍ଧାଙ୍କର ଆମ ଘରକୁ ଆସିବା ଅବା ଆମ ଦୁହିଁଙ୍କୁ ନିମନ୍ତ୍ରଣ କରିବା ଥୟ ।
ଅମର: ଆମେ ଭାବିଲୁ କି ଚାଲ ଆଜି ଦୁଇ ଲଭବାର୍ଡ଼ଙ୍କୁ ଟିକେ ସକାଳୁ ସକାଳୁ ଚମକେଇ ଦେବା ।
ସ୍ନିଗ୍ଧା: ଅମର ସକାଳୁ ସକାଳୁ କଣ କହୁଛ ଯେ, ଦିନ ୧୨ଟା ବାଜିଲାଣି । ପୁରା ଭୁଲକଡ଼୍ ମଣିଷଟେ ଇୟେ ।
ସୁବ୍ରତ: ହେଲା ହେଲା, ପୁଣି ଦି’ଜଣ ଏଇ କଥାକୁ ନେଇ ଯୁକ୍ତିତର୍କ କରନି । ଆଉ କ’ଣ ପ୍ଲାନିଂ କରିକି ଆସିଛ କୁହ ଜଲ୍‌ଦି ।
ଅମର: କିଛି ପ୍ଲାନିଂ ନାହିଁ ସେମିତି, ବାସ ତୁମ ଦିଜଣଙ୍କୁ ନେଇକି ଗୋଟେ ଲଞ୍ଚ ଆଉଟିଂ ଲାଗି ଭାବିକି ଆସିଛୁ ।
ପୂଜା : ନା’ରେ ସ୍ନିଗ୍ଧା, ଆଜି ଆଉ ଲଞ୍ଚ ବାହାରେ ହେଇ ପାରିବନି । ମୁଁ ରୋଷେଇ ଆରମ୍ଭ କରିସାରିଲିଣି, ତା’ସାଙ୍ଗକୁ ପୁଣି ରାତିରେ ନିମନ୍ତ୍ରଣ ଅଛି ଗୋଟେ । ଆଉ କେବେ ଭାବିବା, ଦୟାକରି ଖରାପ ଭାବନି କି ମନ ବି ଖରାପ କରନି ।
ଅମର ଆଉ ସ୍ନିଗ୍ଧା ଟିକେ ମୁହଁ ସୁଖେଇଦେଲେ ।
ସୁବ୍ରତ: ଆଛା, ପୂଜା ଗୋଟେ କାମ କଲେ ହୁଅନ୍ତାନି? ତୁମେ ଗୋଟେ ବଢ଼ିଆ ଲଞ୍ଚ୍ ବନାଅ । ତା’ପରେ ଆମେ ଆଇସକ୍ରିମ୍ ଖାଇବାକୁ ବାହାରକୁ ଯିବା ।
ପୂଜା: ହଁ ତ ଖୁବ ବଢ଼ିଆ ହବ, କଣ କହୁଛ ଅମର ଆଉ ସ୍ନିଗ୍ଧା?
ଅମର ଆଉ ସ୍ନିଗ୍ଧା ଏକ ସ୍ୱରରେ ଖୁବ ବଢ଼ିଆ ।
ସ୍ନିଗ୍ଧା: ସତରେ ସୁବ୍ରତ ତୁମ ଉପସ୍ଥିତ ବୁଦ୍ଧିକୁ ମାନିବାକୁ ହବ । କିଛିଟା ଧାର୍‌ରେ ଦିଅତ ୟେ ଅମରକୁ ।
ଅମର: ହଁ ତୁମେ ଯେମିତି ବୁଦ୍ଧିର ଗନ୍ତାଘର ।

ଗପସପ ସହିତ ରୋଷେଇ ସାରିକି ଖାଇ ବସିଲା ବେଳେକୁ ଦିନ ପ୍ରାୟ ଦୁଇଟା । ମାଧ୍ୟାନଃ ଭୋଜନ ଶେଷ । ଏବେ ଆଇସକ୍ରିମ ଖାଇବାକୁ ବାହାରିଗଲୁ ଆମେ ଚାରିଜଣ । ଆଇସକ୍ରିମ ଖାଉ ଖାଉ ସ୍ନିଗ୍ଧା ପଚାରିଲା, ପୂଜା ତୋତେ ଆଜି କଣ ଉପହାର ମିଳିଛି । ମୁଁ କହିଲି, ସେ ଗୋଟେ ଶାଢ଼ୀ ଦେଇଛନ୍ତି | ସୁବ୍ରତ ମୋ ଆଡକୁ ଟିକେ ଅନେଇଲେ, ଆଉ ମୁଁ ଟିକେ ସ୍ମିତହାସ୍ୟ ଦେଇ ସ୍ନିଗ୍ଧା ଆଡ଼କୁ ଅନେଇଲି | କ’ଣ ବୁଝିଥିବେ କେଜାଣି, କି ଜାଣିବାକୁ ଚେଷ୍ଟା କରୁଛନ୍ତି ବୋଧେ । ସ୍ନିଗ୍ଧା ପଚାରିଲା ତୁମେ କଣ ଦେଲ ସୁବ୍ରତକୁ? ମୋର କିଛି କହିବା ପୂର୍ବରୁ ସୁବ୍ରତ କହିଲେ, ସେ ନିଜେ ମୋ ଜୀବନର ଗୋଟେ ବଡ଼ ଉପହାର । ଉପହାର କଣ କେବେ ଉପହାର ଦିଏ ସ୍ନିଗ୍ଧା? ମୋ ଆଖି ସେତେବେଳକୁ ଛଳଛଳ ଆଉ କଣ୍ଠ ପୁରା ବାଷ୍ପରୁଦ୍ଧ ହେଇସାରିଥାଏ । ମୋ ନିଜ ପ୍ରେମ ଆଉ ଭଲ ପାଇବା ଆଗରେ ମୁଁ ସେଦିନ ନିଜକୁ ଭାରି ଛୋଟ ମନେକଲି, ତୁଚ୍ଛ ଗୋଟେ ଶାଢ଼ୀର ରଙ୍ଗ ପଛରେ ପଡ଼ି । ସୁବ୍ରତ ମୋ ଅବସ୍ଥା ବୋଧେ ବୁଝିସାରିଥିଲେ କାଲି ରାତିରୁ, ବାସ୍ ମୋ ମନକୁ ଦୁଃଖ ନହଉ ବୋଲି ଜଣାଉ ନଥିଲେ ନିଜ ମନର ଆବେଗକୁ । ମୋ ପାଖରେ ଆସିକି ଛିଡ଼ା ହେଲେ ଟିକେ ଲାଗିକି । ଆଉ କାନରେ ଚୁପ କି କହିଲେ, ସେ କମଳା ଶାଢ଼ୀଟା ମୋ ପୂଜାକୁ ଖୁବ ସୁନ୍ଦର ମାନିବ । ଅପେକ୍ଷାରେ ରହିଲି ଦେଖିବାକୁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu