ଆହେ ଜଗନ୍ନାଥ ଅବ୍ୟକ୍ତ ଅନନ୍ତ
ମହିମା ତୁମର କେ’ ପାରିବ କହି !
ତୁମେ ଦୀନବନ୍ଧୁ କରୁଣାର ସିନ୍ଧୁ
ପତିତପାବନ ତୁମେ ଭାବଗ୍ରାହୀ ।୧।
ସକଳ ଧର୍ମର ସମନ୍ୱୟ ତୁମେ
ବିଶ୍ୱର ବିସ୍ମିତ ଆରାଧ୍ୟ ଦେବତା,
ଦାରୁବ୍ରହ୍ମ ରୂପେ ଖଣ୍ଡିତ ରୂପରେ
ପୂଜା ପାଉଅଛ ହେ ପରମ ପିତା ।୨।
କିଏ କହେ ତୁମେ ମାଦଳା ଠାକୁର
ନାହିଁ ହାତ ଗୋଡ଼ ପାଟିକର୍ଣ୍ଣ କିଛି,
ତଥାପି ତ ତୁମେ ସବୁ କରୁଅଛ
ତାହାଠାରୁ କିବା ବିସ୍ମୟ ଅଛି ।୩।
ପରମପୁରୁଷ ପରଂବ୍ରହ୍ମ ତୁମେ
ପୁରୁଷୋତ୍ତମ ନାମରେ ଖ୍ୟାତ,
କେତେବେଳେ ବିଷ୍ଣୁ କେତେବେଳେ କୃଷ୍ଣ
ଚେତନାରେ ତୁମେ ରୂପାନ୍ତରିତ ।୪।
ତୁମେ ଜଗତର ସକଳ ଜୀବର
ନାଥ ଭାବେ ଅଟ ଶ୍ରୀଜଗନ୍ନାଥ,
ସକଳ ଶକ୍ତିର ମୂଳାଧାର ତୁମେ
ତୁମ ଠାରୁ ସବୁ ସତ୍ତାହିଁ କ୍ଷରିତ ।୫।
ତୁମେ ଜୀବନର ଏକମାତ୍ର ଧ୍ୟେୟ
ଜ୍ଞାନ-ଜ୍ଞୟ ତୁମେ ସାଧ୍ୟ ଓ ସାଧନା
ଏକମାତ୍ର ଲକ୍ଷ୍ୟ ,ପ୍ରେମ ଓ ପ୍ରେମିକ
ଚିନ୍ତାମଣି ତୁମେ କି ଦିବ୍ୟ ଚେତନା ।୬।
– ବସନ୍ତ କୁମାର ପ୍ରଧାନ
Comments

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।