You are currently viewing ଶ୍ରମିକ ଭାଇ
Odia Poem Shramika Bhai (ଶ୍ରମିକ ଭାଇ) by Rajeswari Panda for Labour's day

ଶ୍ରମିକ ଭାଇ

ଦେଶର ଆର୍ଥିକ ସ୍ଥିତିର ମୂଳଦୁଆ
ଅଟଇ ଶ୍ରମିକ ଭାଇ,
ତା’ ପାଇଁ ହୁଅଇ ଦେଶର ଉନ୍ନତି
ତା’ ପରି ଆଉ କେ ନାହିଁ ।

କେହିତ ବୁଝେନା ତାହାରି ବେଦନା
ଆମୋଦେ ଥାଇ ପାଗଳ,
ଜଗତ କଲ୍ୟାଣ କରିବା ପାଇଁ ସେ
ବୁହାଏ କେତେ ଯେ ଝାଳ ।

ନିଜ ପାଇଁ ତା’ର ନଥାଏ ନଜର
କର୍ମ ତା’ର କରିଚାଲେ,
ନୀରବେ ଗୋପନେ ଝରାଏ ସେ ଲୁହ
କେବେ କେବେ କଷ୍ଟ ହେଲେ ।

ଲହୁ ଲୁହ ନିଗାଡ଼ି ଖଟି ସେ ଚାଲେ
ଆମ ସୁଖ ପାଇଁ ଖାଲି,
ପାରିଶ୍ରମିକ ତା’ର ମିଛେ ସେ ନିଏ
ପେଟ ତା’ ପୋଷିବ ବୋଲି ।

ନିୟତ ଲାଞ୍ଛିତ କାଳେ ପ୍ରତାରିତ
ନାହିଁଟି ତା’ର କଳନା,
ସବୁରି ବେଦନା ଦୂର କରିସାରି
ଲୋଡ଼େ ସେ ଟିକେ ସାନ୍ତ୍ୱନା ।

ତା’ ପାଇଁ ଧରାଟି ହୁଅଇ ସରଗ
ନିର୍ଜୀବ ପାଏ ଜୀବନ,
ଶୋଷଣ କଷଣ ଯାତନାର ବେଢ଼ି
ଭାଙ୍ଗିଦିଏ ତା’ର ମନ ।

ଆମକୁ ସୁଖରେ ରଖିବା ପାଇଁ ସେ
ସହୁଅଛି କେତେ କଷ୍ଟ,
ଆଜିର ଦିନରେ ନେବାରେ ଶପଥ
କରିବାନି ତା’ର ଅନିଷ୍ଟ ।

– ରାଜେଶ୍ୱରୀ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ୍ୱରୀ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।