You are currently viewing ଶ୍ରାବଣୀ ଗୋ
ଶ୍ରାବଣୀ ଗୋ

ଶ୍ରାବଣୀ ଗୋ

ଧୈର୍ଯ୍ୟ ଧର ଶ୍ରାବଣୀ ଗୋ ଆସୁଛି ତତ୍‌କ୍ଷଣେ
ତୁମ ପ୍ରତୀକ୍ଷାର ଅନ୍ତ ଘଟାଇବି ଯେହ୍ନେ ॥ ୧ ॥

ତୁମ ଶୁଷ୍କ କଣ୍ଠେ ବାରି କରିବି ସିଞ୍ଚନ
ଟାଙ୍ଗରା ବକ୍ଷରେ ତୁମ ଦେବି ଆର୍ଦ୍ର ପ୍ରାଣ ॥ ୨ ॥

ଉନ୍ମୁକ୍ତ ବକ୍ଷରେ ତୁମେ କର ଆଲିଙ୍ଗନ
ତୁମ ପ୍ରାଣ ପ୍ରିୟତ୍ତମ ଶୀତଳ ଶ୍ରାବଣ ॥ ୩ ॥

ଯେତେ ସବୁ ବୀଜ ବକ୍ଷେ କର ଅଙ୍କୁରିତ
ଫୁଟା ଚମ୍ପା, ମଲ୍ଲି ପୁଣି ଫୁଟାଅ କଦମ୍ବ ॥ ୪ ॥

ହଜି ଯାଅ ପ୍ରିୟତମା ଚପଳ ଖେଳରେ
କାଗଜର ଡଙ୍ଗା ହୋଇ ଭାସିଯା ବକ୍ଷରେ ॥ ୫ ॥

ଘେନ ମୋ ହୃଦୟ ରାଣୀ ସବୁଜର ପାଟ
ତୁମ ପ୍ରିୟ ଉପହାରେ ହୁଅ ବିମଣ୍ଡିତ ॥ ୬ ॥

ମଥାରେ ନିଅ ଗୋ ପ୍ରିୟେ ସୁନା ମଥାମଣି
କଳା ମେଘେ ଚପଳା ଯେ ଝଲସି ଗଲାଣି ॥ ୭ ॥

ସଜ ହୁଅ ନବ ବଧୁ ରୂପରେ ଶ୍ରାବଣୀ
ଟାଣି ସାତ ରଙ୍ଗ ଇନ୍ଦ୍ରଧନୁ ମଥାର ଓଢ଼ଣୀ ॥ ୮ ॥

ଘୁମନ୍ତ ବାଦଲ ଦେଖ ତୁମ ମଥା ପରେ
ପିକ ତାଳେ ହଜିଯାଅ ଘୁଙ୍ଗୁର ସୁରରେ ॥ ୯ ॥

ହଜିଯାଅ ଚାଷୀ ସହ ଗୀତ ଲହରୀରେ
ରାମ ଯେହ୍ନେ ଲକ୍ଷ୍ମଣ ସହ ଗଲେ ମୃଗୟାରେ ॥ ୧୦ ॥

ହଜିଯାଅ ପ୍ରିୟତମା ପ୍ରେମର ଡୋରିରେ
ଯେହ୍ନେ ବେଙ୍ଗ ବେଙ୍ଗୁଲୀ ସାଙ୍ଗରେ ସାରୁ ଗଛ ମୂଳେ ॥ ୧୧ ॥

ଝରାଅ ଗୋ ପ୍ରିୟତମା ପ୍ରେମ ବାରି ଧାରେ
ଝର ଝର ଝରିଯାଅ କବି କଲମରେ ॥ ୧୨ ॥

ପହିଲି ବର୍ଷାର ପ୍ରେମ ଝର ଝର ଝରେ
ଆଲିଙ୍ଗନ କଲା ତାକୁ ଶ୍ରାବଣୀ ବକ୍ଷରେ ॥ ୧୩ ॥

ତା’ର ପ୍ରାଣ ପ୍ରିୟକୁ ସେ ଚାହିଁ ରହିଥିଲା
ବିରହର ଜ୍ଵାଳେ ତା’ର ଅନ୍ତ ହୋଇଗଲା ॥ ୧୪ ॥

ରାଶ୍ମିମୟୀ ପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମିମୟୀ ପତି ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହ ଅନେକ ସାହିତ୍ୟ ସଂସ୍ଥା ପକ୍ଷରୁ ତାଙ୍କୁ ଅତୀତରେ ସମ୍ମାନୀତ କରାଯାଇଛି ।