You are currently viewing ସେଇ ସୂର୍ଯ୍ୟୋଦୟ ହେଉ…
ସେଇ ସୂର୍ଯ୍ୟୋଦୟ ହେଉ...

ସେଇ ସୂର୍ଯ୍ୟୋଦୟ ହେଉ…

ସେଇ ସୂର୍ଯ୍ୟୋଦୟ ହେଉ,
ସେଇ ସୂର୍ଯ୍ୟୋଦୟ ହେଉ
ପ୍ରତିଗୁରୁବାର ଦିନ ଘରେ ଘରେ ହୁଳହୁଳି ଶୁଭୁଥାଉ,
ଗୋବରରଲିପା ଅରୁଆର ଝୋଟି ପୁର ଓ ପଲ୍ଲୀରେ ଦିଶୁ ।
ଚାଓମିନ, ମ୍ୟାଗି, ବର୍ଗର ବଦଳେ ଶାଗ ପଖାଳ ଖିଆ ହେଉ,
ମଣ୍ଡା ଓ ଆରିସା ଚିତଉ ଚକୁଳି ପୋଡ଼ପିଠା ଘରେଘରେ ହେଉ ।
ସେଇ ସୂର୍ଯ୍ୟୋଦୟ ହେଉ ॥

ନାରୀଟିଏ ପୁଣି ନିର୍ଭୟ ଚିତ୍ତେ ଘରକୁ ଫେରିପାରୁ,
ସର୍ବଶିକ୍ଷା ଅଭିଯାନଟି ଯେ ପୁଣି ଦୃଢ଼ ଭାବେ ଠିଆ ହେଉ ।
ପୋକରା ଡାଲି ଓ ପଚା ଅଣ୍ଡାରେ ଶିକ୍ଷାର ବାଟଟି ନହୁଡ଼ି ଯାଉ,
ଧନସମ୍ପତ୍ତି ପାଇଁ ଜନନୀ ନିଜ ସନ୍ତାନ ନ ବିକି ଦେଉ ।
ସେଇ ସୂର୍ଯ୍ୟୋଦୟ ହେଉ ॥

ବଳିର ନାମରେ ଛାଗ କୁକୁଡାଙ୍କ ଘର ନ ଉଜୁଡ଼ି ଯାଉ,
ଦେଶ ଦେଶ ମଧ୍ୟେ ଜାତି ଜାତି ମଧ୍ୟେ ବାଦ ବିବାଦଟି ଥମିଯାଉ ।
ବୋହୂଚୋରି, ପୁଚି, କବାଡ଼ି ଖେଳରେ ଧୁଳିଦାଣ୍ଡ କମ୍ପୁଥାଉ,
ଗାଁ ପୁଅ ମୋ ଭତ୍ତା, ବିପିଏଲରେ ଅଳସୁଆ ନ ହେଇ ଯାଉ ।
ସେଇ ସୂର୍ଯ୍ୟୋଦୟ ହେଉ ॥

ମଦର ନଈରେ ମାସଂର ଝୋଳରେ ଗାଁଟି ମୋ ନ ଭାସିଯାଉ,
ସ୍ତ୍ରୀ ପାଇ ବୁଢ଼ୀ ମା’ଟିକୁ ଶୀତ କାକରେ ନ ତଡ଼ି ଦେଉ ।
ଜାତି ଓ ଗାଦି ନାଁ’ର ତ ଆଉ ଭାଇ ଭାଇ ତଣ୍ଟିକୁ ନ ଚିପୁ,
ଠାକୁର ହେବା ନାଁରେ ତ ଆଉ ସୁର ସାରଥି ଜନ୍ମ ନ ନେଉ ।
ସେଇ ସୂର୍ଯ୍ୟୋଦୟ ହେଉ ॥

ସ୍ଵଚ୍ଛ ଭାରତ ଅଭିଯାନ ପର୍ବ ଶୁଭ ସାଫଲ୍ୟ ମଣ୍ଡିତ ହେଉ
ସ୍ୱଛ ସମାଜ ସହିତେ ପୁଣି ସ୍ଵଚ୍ଛ ମନଟିଏ ବାସ କରୁ ।
ଦୋଳ ଓ ମେଲଣ ପୂଜା ମହୋତ୍ସବେ ଡିଜେ ଗୀତ ବନ୍ଦହେଇଯାଉ,
ଶଙ୍ଖ ଘଣ୍ଟ ମାଦଳ ବାଜାରେ ପୂଜା ଭୂମିଟି ଦୁଲୁକୁଥାଉ ।
ସେଇ ସୂର୍ଯ୍ୟୋଦୟ ହେଉ ॥

ଫେସବୁକ ଛାଡ଼ି ସନା ଭାଇ ମୋ ଗାଁ ଠାକୁରାଣୀ ପୂଜା କରୁ,
ନେତା ସରପଞ୍ଚଙ୍କ ଛାମୁଆ ନ ହୋଇ ନିଜ ପିଲା ଛୁଆ କଥା ବୁଝୁ ।
ଚାଷ ଜମି ଛାଡ଼ି ଗାଁ ପୁଅ ମୋ ଗୋତି ଶ୍ରମିକ ନ ହେଇ ଯାଉ,
ଚାଷୀ ହେଲା ବୋଲି ଋଣ ଅଭାବେ ବିଷକୁ ନ ଢୋକି ଯାଉ
ପ୍ରଶାସନ ଦୃଷ୍ଟି ଟିକିଏ ମୋ ଚାଷୀଙ୍କ ଉପରେ ପଡ଼ୁ ।
ସେଇ ସୂର୍ଯ୍ୟୋଦୟ ହେଉ ॥

ପ୍ରତିମାରେ ନୁହେଁ ବାସ୍ତବତାରେ ମା’ଦୁର୍ଗାଙ୍କୁ ଆସିବାହେଉ,
ଯଉତୁକରୂପୀ ମହିଷାସୁରକୁ ବଧିବାର ବିଧି ହେଉ ।
ସତ୍ୟ ଶାନ୍ତି ଦୟା କ୍ଷମା ପ୍ରେମ ଭୁବନ ମୋହନେ ଉଡ଼ୁ,
ଉତ୍କଳ ଠାକୁର ଉତ୍କଳୀୟଙ୍କୁ ଯେ ଛତ୍ର ଛାୟା ତଳେ ରଖୁ ।
ସେଇ ସୂର୍ଯ୍ୟୋଦୟ ହେଉ,
ସେଇ ସୂର୍ଯ୍ୟୋଦୟ ହେଉ ॥

ସୌଭାଗ୍ୟ ରଞ୍ଜନ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌଭାଗ୍ୟ ରଞ୍ଜନ ମହାପାତ୍ର ସମ୍ବଲପୁରର ବୈଦିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।