You are currently viewing ସନ୍ଧ୍ୟାତାରା
ସନ୍ଧ୍ୟାତାରା

ସନ୍ଧ୍ୟାତାରା

ଅନ୍ଧକାର ଉଜାଣିରେ
ଗୋଧୂୂଳୀ ପଣତ ତଳେ
ନୀଡ଼ଫେରା ଆଳାପରେ
ଅସ୍ତରାଗ ସୁରେ ସୁରେ
ଶର୍ବରୀ ପ୍ରଭାତ ଉପନୀତ,
କାୟାନ୍ତରେ ନିଶିଗନ୍ଧା
ମହକେ ରଜନୀ ଗନ୍ଧା
କୁମୁଦ ପଲକ ଖୋଲେ
ଶେଫାଳି ମହକ ମେଳେ
ପୂର୍ବାକାଶେ ମିଞ୍ଜି ମିଞ୍ଜି ହସ ।

ବହଳ ଅନ୍ଧାର ସାଥେ
ଉଦାସ ଶର୍ବରୀ ଆସେ
ମୁଦି ଆସେ ପୃଥିବୀ ପଲକ,
ଅଶାନ୍ତ କାକଳୀ ମଧ୍ୟେ
ଉଲ୍ଲୂକର ଶବ୍ଦ ଶୁଭେ
ତନୁ ମନ ହୁଏ ଆତଙ୍କିତ ।

ଚଷା ପୁଅ ମନେ ଭୀତି
କର୍ମ ନ ହେଉ ବା ଇତି
ନିଶିର ସନ୍ଦେଶ ଯେଣୁ ବୋହେ
ଗୋଗଷ୍ଠ ଗୋଧନ ସାଥେ
ଗୋଧୂଳି ପଖାଳା ଗାତ୍ରେ
ଚଞ୍ଚଳ ଚଞ୍ଚଳ ପାଦ ଯାଏ ।

ତୁଳସୀ ଚଉରା ମୂଳେ
ଓଢ଼ଣୀ ଆଢୁଆଳେ
ଅଳସୀ ଅଙ୍ଗ ସଞ୍ଚାରି ହୁଏ ।

ସଞ୍ଜୁଆ ତାରା ଦର୍ଶନେ
ସାହସ ଭରଇ ମନେ
କର୍ତ୍ତବ୍ୟ ବାର୍ତ୍ତା ଯେ ଯୋଗାଏ ।

ଶୁଭେ ଶଙ୍ଖ ଘଣ୍ଟା ଧ୍ୱନି
ସ୍ୱତଃ ସ୍ଫୁରେ ମନ୍ତ୍ର ପୁଣି
ସର୍ବସ୍ୱ ସଅଁପା ଭାବ ନେଇ
ଅସଂଖ୍ୟ ବାହୁ ପ୍ରସାରୀ
ଅଜସ୍ର ଅଭିପ୍ସା ନେଇ
ଯାଚନା ତା’ ବୃନ୍ଦାବତୀ ଠାଇଁ ।

ଜହ୍ନ ହସୁ କି ନ ହସୁ
ନିହାରିକା ହଜିବସୁ
ପୂର୍ବାକାଶେ ହସୁଥାଏ ଏକା,
କର୍ମକ୍ଲାନ୍ତ ଅଙ୍ଗେ ଅଙ୍ଗେ
ଉର୍ଯ୍ୟ ଭରେ ମନ ରଙ୍ଗେ
ହରି ନିଏ କାଳିମାର ଶଙ୍କା ।

ମୀନତି ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୀନତି ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।