You are currently viewing ସମୟଟା ଚାଲିଛି ଯେ ଚାଲିଛି…
ସମୟଟା ଚାଲିଛି ଯେ ଚାଲିଛି...

ସମୟଟା ଚାଲିଛି ଯେ ଚାଲିଛି…

କେବେ ଖରା କେବେ ବର୍ଷା
କେବେ ଶୀତ ଦେଇ
କେବେ ବସନ୍ତର ରଙ୍ଗରେ ରଙ୍ଗେଇ
ହେମନ୍ତର ଶିଶିରରେ ଗାଧୋଇ
ପୁଣି କେବେ ଶରତକୁ ଛାତିରେ ଜଡ଼ାଇ
ସମୟଟା ଚାଲିଛି ଯେ ଚାଲିଛି
ଏକା ଏକା ଏକମୁହାଁ ହୋଇ ! ଆଗକୁ ଅନାଇ…

ଗ୍ରୀଷ୍ମରେ ଝାଞ୍ଜି ପବନ ରୌଦ୍ରପ୍ରତାପ ସ‌ହି
ବର୍ଷାରେ ଭିଜି ଭିଜି ଘଡ଼ଘଡ଼ି ବିଜୁଳି ଆଡ଼େଇ
ଅବା କେବେ ହାଡ଼ଭଙ୍ଗା ଜାଡ଼ ସ‌ହ ହୀମ ପ୍ରବାହକୁ ବୋହି
ଚୋରା ବସନ୍ତର ମୃଦୁ ମଳୟକୁ ଛୁଇଁ
ଶରତରେ ଜ୍ୟୋତ୍ସ୍ନା ଭିଜା ରାତିଟାକୁ ମୁଣ୍ଡରେ ମୁଣ୍ଡେଇ
କେବେ ପୁଣି ଅମା ଅନ୍ଧକାର ଛାତିରେ ପାଦ ଥୋଇ ଥୋଇ
କାହିଁ କେବେ ଥକିଯାଇ ବସି ପଡ଼ି ନାହିଁ
ସମୟଟା ଚାଲିଛି ଯେ ଚାଲିଛି
ଏକା ଏକା ଏକମୁହାଁ ହୋଇ ! ଆଗକୁ ଅନାଇ…

କେବେ ଜନ୍ମ ସାଥେ ମୃତ୍ୟୁକୁ କୋଳେଇ
ସୁଖ ଦୁଃଖ ଦରିଆକୁ ଆପଣେଇ ନେଇ
ହସକାନ୍ଦ ମଝିରେ ସେ ଉବୁଟୁବୁ ହୋଇ
କେତେ ଯେ ଲୁହଲହୁ ଯାଇଛି ସେ ପିଇ
ତ‌ଥାପି ଅନୁଶୋଚନା କେବେ କରିନାହିଁ
ଅଥବା ଉଲ୍ଲସିତ କେବେ ହୋଇନାହିଁ
କେଉଁ ଏକ ନିର୍ବିକାର ପୁରୁଷଟେ ପରି
ଜୀବନରେ ଭଲମନ୍ଦ ଗୋଟାଇ ଗୋଟାଇ
କର୍ମକରି ଜୀଇଁବାକୁ ଆହ୍ୱାନ ସେ ଦେଇ
କାହିଁ କେଉଁ ଅଦୀମ କାଳରୁ
ସମୟଟା ଚାଲିଛି ଯେ ଚାଲିଛି
ଏକା ଏକା ଏକମୁହାଁ ହୋଇ ! ଆଗକୁ ଅନାଇ…

କେବେ ପ୍ରେମ ଆଉ ପ୍ରଣୟରେ ପ୍ରତାରଣା ପାଇଁ
କେବେ ବିଶ୍ୱାସ ଓ ଭରସାରେ ଛଳନାକୁ ନେଇ
କେବେ ହିଂସା ଆଉ କ୍ରୁରତାର ବର୍ବରତା ସ‌ହି
କେବେ ଅମାନବୀୟ ଯୁଦ୍ଧରେ କଳା ବାଦଲକୁ ଚାହିଁ
କ୍ଷତାକ୍ତ ହୁଅଇ ସିନା ମୁହଁ ଖୋଲେ ନାହିଁ ।
ଖାଲି ରହିଯାଏ- ଏ ସବୁର ମୂକସାକ୍ଷୀ ହୋଇ
ପୁଣି ବେଳ ଉଣ୍ଡି- ସଭିଙ୍କର ସବୁରଙ୍ଗ ଦିଏ ବଦଳାଇ (୨)
କର୍ମ‌ଫଳ କାହାକୁ ଯେ କେବେ ଛାଡ଼େ ନାହିଁ
ଏଇ କଥା ଦିଏ ସେ ଚେତେଇ (୨)
ସମୟଟା ଚାଲିଛି ଯେ ଚାଲିଛି
ଏକା ଏକା ଏକମୁହାଁ ହୋଇ ! ଆଗକୁ ଅନାଇ…

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୂର୍ଯ୍ୟ ନାରାୟଣ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗୀତ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ପ୍ରସଂଶା ଲାଭ କରିଛି । ସେ ଶୁଭପଲ୍ଲବର ଥିମ୍ ସଙ୍ଗ୍ ରଚନା କରିଛନ୍ତି; ଏତଦ୍ ବ୍ୟତୀତ ସେ ତାଙ୍କ ରଚିତ କିଛି ଗୀତ ୟୁ-ଟ୍ୟୁବ୍‌ରେ ଉପଲବ୍ଧ ।