ବରଷକେ ବାର ମାସ ଛଅ ଋତୁ
ପରବର ସଂଖ୍ୟା ତେର ।
କଳା ଦିଅଁ ଭାଇ ଭଉଣୀଙ୍କ ସାଥେ
ବିଜେ ନିଜେ ଶ୍ରୀ କ୍ଷେତ୍ରର ॥
ଭକତଙ୍କ ସଙ୍ଗେ ପ୍ରଭୁ କେଡ଼େ ରଙ୍ଗେ
କରିଥାନ୍ତି ଲୀଳା ଖେଳା ।
ଅନାଥର ନାଥ ପ୍ରଭୁ ଜଗନ୍ନାଥ
କି ସୁନ୍ଦର ଚକାଡୋଳା ॥
ଭକତର ପ୍ରାଣ ଶ୍ରୀ ବଂଶୀ ବଦନ
କଳାକୁ କରନ୍ତି ଧଳା ।
ଆଖି ପିଛୁଳାକେ ଅଭାବ ହରନ୍ତି
କରୁଣାମୟୀ କମଳା ॥
ସୁଦାମା ଦରିଦ୍ର ଦୁଃଖ କଲେ ଦୂର
ଏହି ଦ୍ୱାପର ସଂସ୍କୃତି ।
ଭାବକୁ ନିକଟ ଭାବ ବିନୋଦିଆ
ଭକତ ହୃଦ ସମ୍ପତ୍ତି ॥
ଦେବକୀ ଉଦରୁ ଜନ୍ମି ଅର୍ଦ୍ଧ ନିଶି
ଗୋପରେ ବଢ଼ିଲେ ଯାଇ ।
ରଜନୀ ପାହିଲେ ସାଙ୍ଗ ସାଥି ମେଳେ
ଖେଳରେ ହୁଅନ୍ତି ବାଇ ॥
କେତେ ଅଭିଶପ୍ତ ଆତ୍ମାଙ୍କୁ ଉଦ୍ଧରି-
ଛନ୍ତି କେ ପାରିବ କହି ।
ଧନ୍ୟ ଧନ୍ୟ ନନ୍ଦ ରାଜା ଯଶୋମତୀ
ଧନ୍ୟ ପ୍ରଭୁ ଭାବଗ୍ରାହୀ ॥
ଧନ୍ୟ ଗୋପପୁରୀ ଧନ୍ୟ ଗୋପ ଗାଈ
ଧନ୍ୟ ଗୋପାଳ ବାଳକ ।
ଧନ୍ୟ ସେ ଯମୁନା ହେ କାଳିଆ ସୁନା
ତିନି ଭୁବନ ପାଳକ ॥
ଭକ୍ତ ଶିରୋମଣି ଧନ୍ୟ ରାଧାରାଣୀ
ଧନ୍ୟ ସେ ଅପୂର୍ବ ଠାଣି ।
ଶ୍ରୀ ହସ୍ତରେ ଧରି ରଙ୍ଗ ପିଚକାରୀ
ଖେଳି ଥିଲ ବେଣୁପାଣି ॥
ମୋ ମନର ଗୋପ ଦାଣ୍ଡେ ଆସ ଥରେ
ମୋହନ ମୁରଲୀ ଧାରୀ ।
ତୁମ ସାଥେ ରଙ୍ଗ ଖେଳିବାକୁ ମନ
ଦୀନବନ୍ଧୁ ଦଇତାରୀ ॥
ଜନ୍ମ ଜନ୍ମାନ୍ତର ପଡ଼ିବନି ଫିକା
ବର୍ଷାରେ ଯିବନି ଧୋଇ ।
ରଙ୍ଗ ପସରାରୁ ବାଛି ସେ ରଙ୍ଗଟି
ପ୍ରଭୁ ହେ ଦିଅ ଲଗେଇ ॥
– ଗୁପ୍ତେଶ୍ୱର ଚାନ୍ଦ
Comments
କବି ଶ୍ରୀ ଗୁପ୍ତେଶ୍ୱର ଚାନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।