You are currently viewing ପୂଣ୍ୟର ପ୍ରଭାବ
Odia Poem Punyara Prbhaba (ପୂଣ୍ୟର ପ୍ରଭାବ) by Gupteswar Chand

ପୂଣ୍ୟର ପ୍ରଭାବ

ପୂଣ୍ୟ ନୁହେଁ ଭାଇ ପଣ୍ୟ ଦ୍ରବ୍ୟ ପରି
କିଣିବ ଯେ ନାଇଁ ସିଏ ।
ସ୍ୱାର୍ଥ ପଣ ତେଜି କଲେ ପରସେବା
ପୂଣ୍ୟଟି ଅରଜି ହୁଏ ।୧।

ପରମ ବ୍ରହ୍ମ ପରା ପୂଣ୍ୟର ପସରା
ମେଲି ଦେଇଛନ୍ତି ଭାବେ ।
ଭାବ ଲଗାଇ ତୁ ଭାବଗ୍ରାହୀ ସାଥେ
ବସିବୁ ପୂଣ୍ୟର ନାବେ ।୨।

ଭାବ ବିନୋଦିଆ ଏ ଭବ ସଂସାର
ସାଗରେ ନାଉରୀ ସାଜି ।
ପାରି କରୁଛନ୍ତି କରୁଣା କରିଣ
ବୁଝି ପାରୁନୁ କି ପାଜୀ ।୩।

ନିଶ ଦାଢ଼ି ରଖି ହୋଇଲେ ବାବାଜୀ
ପିନ୍ଧି ଗେରୁଆ ବସନ ।
ଭାବିଛୁ କି ପାରି ହୋଇଯିବୁ ବୋଲି
ଆରେ ପାଗଳା ମନ ।୪।

ଚିତା ଚଇତନ ଲଗାଇ ଫେସନ
କରିବୁ ଯେବେରେ ଧନ ।
ଦୁର୍ଲ୍ଲଭ ଜନ୍ମ ତୋ’ ହେବ ଅକାରଣ
ଧୀରେ ଘେନ ମୋ’ ବଚନ ।୫।

ପର ଦୁଃଖ ଦେଖି ନୋହିଲେ ଟି ଦୁଃଖୀ
ବୋଲାଇବୁ କି ମହାତ୍ମା ।
ସବୁରି ଘଟରେ ବ୍ରହ୍ମ ବିରାଜିତ
ଚିହ୍ନିଲେ ହେବୁ ସଦାତ୍ମା ।୬।

ଧର୍ମ ସଙ୍ଗେ କେବେ ସମତୁଲ ନୁହେଁ
ବାବୁରେ ଧନ ରତନ ।
ବାଲ୍ୟ କାଳୁ ହେଳା ନକରି ତିଳେ ତୁ
କର ଧର୍ମ ଅରଜନ ।୭।

ପିତାମାତା ପୂଣ୍ୟ ବଳେ ସୁସନ୍ତାନ
ଆସନ୍ତି ମର୍ତ୍ତ୍ୟ ମଣ୍ଡଳେ ।
ଅସାଧ୍ୟ ସାଧନ ହୁଏ ବାୟାମନ
ଧରା ଧାମେ ପୂଣ୍ୟ ବଳେ ।୮।

ସାତ ଜନମର ମୂର୍ଖପଣ ଦୂର
ସମ୍ଭବ ସୁକୃତ ଘେନି ।
ମାତା ସାରଳାଙ୍କ କୃପାପାତ୍ର ହେଲେ
କାଳିଦାସ ଦସ୍ୟୁ ବେନି ।୯।

ବ୍ୟାସ, ବାଲମିକ ରଚିଲେ ଜଗତେ
କେତେ ଯେ ପୁରାଣ ଗ୍ରନ୍ଥ ।
ଆଲୋକିତ ହୁଏ ସଦା ଚଲାପଥ
ପୂଣ୍ୟର ପ୍ରଭାବେ ସନ୍ଥ ।୧୦।

– ଗୁପ୍ତେଶ୍ୱର ଚାନ୍ଦ୍

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କବି ଶ୍ରୀ ଗୁପ୍ତେଶ୍ୱର ଚାନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।