You are currently viewing ପ୍ରେମ… ଆକ୍ଷରିକରୁ ଆପେକ୍ଷିକ
Odia Story Prema - Aksharikaru Apekshika (ପ୍ରେମ... ଆକ୍ଷରିକରୁ ଆପେକ୍ଷିକ) by Manas Ranjan Nayak

ପ୍ରେମ… ଆକ୍ଷରିକରୁ ଆପେକ୍ଷିକ

ପ୍ରେମ…ଶବ୍ଦ ଏକ ମନସ୍ତାତ୍ତ୍ୱିକ ଆଲୋଡ଼ନର, ଚେତନାରୁ ଦିବ୍ୟ ଆଚରଣକୁ ରୂପାନ୍ତରଣର । ନିଃସ୍ୱାର୍ଥପର ସମ୍ପର୍କ ସ୍ଥାପନରେ ଏକ ବିଭୁଦତ୍ତ ଅମୃତତୁଲ୍ୟ ଉପାଦାନ । ଏକ ଚିରସ୍ରୋତା ନିର୍ଝରିଣୀ ପରି ଅପରିବର୍ତ୍ତିତ ତା’ର ଅବୟବ ଏବଂ ଦୃଷ୍ଟିକୋଣ । ସୁଶୀତଳ ସୁମଧୁର ଜଳରାଶିର ମନ୍ତ୍ରମୁଗ୍ଧ କଳକଳ କବିତାର ଗାନ, ହେଉ ଉତ୍ତପ୍ତ ମରୁଭୂମିଟିଏ, କଠିନ ପ୍ରସ୍ତର ପ୍ରାନ୍ତର ଅବା ଚିରସବୁଜ ସମତଳ ଭୂମି । ସମସ୍ତ ଉପେକ୍ଷା, ତିରସ୍କାର, ଅପମାନ, ଅଭିମାନ, ଦୁଃଖ, ଗ୍ଳାନି କ୍ଷଣିକେ ଅସ୍ତିତ୍ୱ ହରାନ୍ତି ପ୍ରେମର ଅମୂଲ୍ୟ ଅନୁଭୂତିରେ । ପ୍ରେମର ପରିଭାଷା ନେଇ ହସି ହସି କୃଶବିଦ୍ଧ ହୋଇଯାଆନ୍ତି ମହାତ୍ମା ଯୀଶୁ, ରାଜବାଟୀ ତ୍ୟାଗ କରି ସ୍ୱାମୀଙ୍କ ସହ ବନବାସୀ ହୁଅନ୍ତି ସତୀ ମାତା ସୀତା, ପଦ ସ୍ପର୍ଶରେ ଅତୁଠ ପଥର ଅହଲ୍ୟାରେ ପରିଣତ ହୁଏ । ପ୍ରେମର ଓଁ କାରରୁ ନିସୃତ ହୁଏ ହତାଶାର ଦୂର ଦିଗବଳୟକୁ ଟପି ଯିବାର ଅଫୁରନ୍ତ ସାମର୍ଥ୍ୟ, ବିଶ୍ୱାସ ଅବିଶ୍ୱାସର ଅନ୍ତରଦ୍ୱନ୍ଦ ମଧ୍ୟରେ ଆଗକୁ ବଢ଼ିବାକୁ ଅଦମ୍ୟ ସାହାସଟିଏ ଏବଂ ଗର୍ବ ଅହଙ୍କାରର ଉତ୍ତୁଙ୍ଗ ହିମାଳୟରେ ସମ୍ପୂର୍ଣ୍ଣ ସମର୍ପଣର ଆବେଗଟିଏ । ପାର୍ଥିବ ସୃଷ୍ଟିରେ ସମସ୍ତ ସମ୍ମୋହନ, ଆକର୍ଷଣରୁ ମୁକ୍ତ ଏକ ଶାଶ୍ୱତ ଭାବନାଟିଏ ହିଁ ପ୍ରେମ । ପ୍ରେମ ସଦା ସ୍ୱାଧୀନ, ମାଞ୍ଜାହୀନ ପତଙ୍ଗଟିଏ ଧରାରୁ ସରା ଯାଏ ପରିବ୍ୟାପ୍ତ ତା’ର ପରିସୀମା, ମୁକ୍ତ ଗଗନର ମୁକ୍ତ ବିହଙ୍ଗସମ । ସତେଅବା ଅଧୁନା ଜୀବନ ମହାଯୁଦ୍ଧରେ ପ୍ରେମ ହିଁ ଏକ ପଦୀ ଭଗବତ ଗୀତା ।

ପରିବର୍ତ୍ତିତ କଦର୍ଯ୍ୟ, କୁତ୍ସିତ, ସଂକୁଚିତ ମାନସିକତାର ନୂତନ ପରିଧି ମଧ୍ୟରେ ବେସୁରା ଆଜି ପ୍ରେମ ବଂଶୀର ସ୍ୱର । ପ୍ରାସଙ୍ଗିକତା ହରାଇଛି ପ୍ରେମ ଆଜି ସ୍ୱାର୍ଥ, ଅହଂକାର, କାମନା ବାସନାର ମହୁଲି ମେଳାର ମୂଲଚାଲରେ । ସନ୍ଧ୍ୟା ନଇଁଲେ ପ୍ରେମ ଆଜି ବାଟବଣା ହୁଏ ଗାଁ ସହରର ଗଳିକନ୍ଦିରେ ଏକ ବିଭତ୍ସ ଗନ୍ଧ ଓ କାମୁକ ଚାହାଣୀମାନଙ୍କ ମଧ୍ୟରେ । ସବୁଥିରେ କିଛି ଗୋଟେ ପାଇବାର ଦୁର୍ବାର ଆକାଂକ୍ଷାର ଗଭୀର ସାଗରରେ ସଲିଳ ସମାଧି ନିଏ ପ୍ରେମର ଶର୍କରା ଟିକକ, ପରିସ୍ପୁଷ୍ଠ ହୁଏ ଖାଲି ସ୍ୱାର୍ଥର ଲବଣାକ୍ତ ସ୍ୱାଦ । ପ୍ରେମର ପରିପାଟୀ ଆଜି ଆବଦ୍ଧ କେବଳ ଚେତନାର କେଉଁ ଏକ ଅନ୍ଧାର ଗର୍ତ୍ତରେ ଓ ଚେନାଏ ଅଧେ ଦେବାଳୟ କିମ୍ୱା ସତସଙ୍ଗର ଦୁଇହାତ ପରିସୀମା ମଧ୍ୟରେ । ନିଚ୍ଛକ ଭୌତିକତାର ଚାଦରତଳେ ବସ୍ତୁବାଦର ଉଷ୍ମତା ଜୀବନକୁ ପ୍ରେମର ଶୀତଳ ଅନୁଭବରୁ ବଞ୍ଚିତ କରାଏ । ତୁମୂଳ ପ୍ରତିଦ୍ୱନ୍ଦିତା, ଇର୍ଷା ଓ ସ୍ୱାର୍ଥପରତାର ଶକ୍ତ ପ୍ରାଚୀର ବାହାରେ ପ୍ରେମର ସାମର୍ଥ୍ୟ କ୍ଷୀଣ ମନେହୁଏ । ତଉଲା ତଉଲିର ଜୀବନ ଏକ ବ୍ୟବସାୟ ଏବେ; ପ୍ରେମ ଏଠି ବେନାମୀ ବଟକରାଟିଏ ମାତ୍ର । ସବୁଆଡ଼େ ଖାଲି ଆତ୍ମୀୟତାଶୂନ୍ୟ ଦେଖାଣିଆ ସମ୍ପର୍କର ଭିଡ଼ । ବିଶ୍ୱାସହୀନ ମିଛିମିଛିକା ହସ ଓ ମୁଁ ମୋର ମୋତେ ଚିହ୍ନ ଭରା ମୁହଁ ସବୁ, ସମୟ ସୁବିଧା ଅନୁସାରେ ରଙ୍ଗ ବଦଳାଉଥିବା ସାଙ୍ଗସାଥୀଦଳ ଏବଂ କାମନା ଜର୍ଜରିତ ଦାମ୍ପତ୍ୟ । ଭାଲେଣ୍ଟାଇନସ୍ ଦିବସରେ ଗୋଲାପି ପ୍ରେମ ନିବେଦନ ବାସ୍ତବରେ ଶହେ ଅବାଞ୍ଛିତ ଆକାଂକ୍ଷାରେ କଣ୍ଟକିତ । ତା’ହେଲେ ସତରେ କ’ଣ ପ୍ରେମର ଅସ୍ତିତ୍ୱ ଆଜି ଆକ୍ଷରିକରୁ ଆପେକ୍ଷିକ ଆଡ଼କୁ !!!

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।