You are currently viewing ଫେରିଆରେ ଧନ ମୋର
ଫେରିଆରେ ଧନ ମୋର

ଫେରିଆରେ ଧନ ମୋର

ଜନ୍ମଭୂମି କହେ ଡାକି ଖୋଜି ତତେ
କାହିଁଗଲୁ ଧନ ମୋର,
ବିଗତ କଥାକି ମନେ ପଡ଼ୁନାହିଁ
କରି ଦେଇଗଲୁ ପର ।୧।

କେମିତି ଭୁଲିଲୁ ପିଲା ଦିନ କଥା
ଧୂଳି ଖେଳ ବାଲିଘର,
ସାଙ୍ଗସାଥୀ ମେଳ ବୋହୂ ଚୋରି ଖେଳ
ସାଇତା ସବୁ ଖବର ।୨।

ଆମ୍ବ ଜାମ୍ବ ଫଳ ଖାଇବାର ଲାଗି
ହେଉନି ମନ ଆତୁର,
ମୋ କୋଳେ ବଢ଼ିଲୁ ହେଲୁ ଯେବେ ବଡ଼
ଛାଡ଼ି ହୋଇ ଗଲୁ ଦୂର ।୩।

ତୋ ପାଦ ପରଶ ପାଇବ ଜଗିଛି
ପୋଖରୀ ତୁଠ ପଥର,
ଆଜି ବି ଚାହିଁଛି ଗ୍ରାମପଥ ବାଟ
ଫେରିବାର ଦିନ ତୋର ।୪।

ଗର୍ଭଧାରୀ ମାତା ଅନ୍ତରେ କାନ୍ଦୁଛି
ଆଖିରେ ତା’ ଲୁହଧାର,
ଜନ୍ମଦାତା ତୋ’ର ସହିଯାଏ ସିନା
ଛାତିରେ ରଖି ପଥର ।୫।

ଭାଇଭଉଣୀମାନେ ଭାବୁଥାନ୍ତି
ଭାଇ ଆମଠାରୁ ଦୂର,
ହାତ ଧରି ଯାକୁ କରିଥିଲୁ ସାଥୀ
ଝୁରିହୁଏ ନିରନ୍ତର ।୬।

ବାପା ସ୍ନେହପାଇଁ ପିଲାମାନଙ୍କର
ମନରେ ଯନ୍ତ୍ରଣା ଭାର,
ମନେ କି ପଡ଼ୁନି ଯାଇଛୁ ଛାଡ଼ି ତୁ
ରହିଛି ଛୋଟ ସଂସାର ।୭।

ଟଙ୍କାର ମୋହରେ ବାନ୍ଧି ହୋଇଗଲୁ
ଛିଣ୍ଡାଇ ସଂପର୍କ ଡୋର,
ତତେ ଝୁରି ଆଜି ସର୍ବେ ମର୍ମାହତ
ଫେରିଆରେ ଧନ ମୋର ।୮।

– ଅକ୍ଷୟ କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅକ୍ଷୟ କୁମାର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।