You are currently viewing ପେଇଂ ଗେଷ୍ଟ
ପେଇଂ ଗେଷ୍ଟ

ପେଇଂ ଗେଷ୍ଟ

ପାଣିଜାହାଜରେ ଯାତ୍ରା କରୁଥିବା ଅଭିଷେକ କ’ଣ ଜାଣିଥିଲା ତା’ ଜୀବନର ଜାହାଜ ଏଇ ଅଥଳ ସାଗରରେ ଲୀନ ହୋଇଯିବ ବୋଲି ! ଦୁଭାଗ୍ୟବଶତଃ ଜାହାଜଟି କେଉଁ ଏକ ବିରାଟକାୟ ଜଳଚର ପ୍ରାଣୀ ଦେହରେ ପିଟି ହୋଇ ଭାରସାମ୍ୟ ହରାଇଲା । ପାଇଲଟ ମଧ୍ୟ କୌଣସି ମତେ ନିୟନ୍ତ୍ରଣ କରିପାରିଲାନି ଜାହାଜକୁ । ପ୍ରାଣବିକଳରେ ଇତଃସ୍ତତ ଯାତ୍ରୀମାନେ ଧାଉଁଥାନ୍ତି । ଚିତ୍କାର କରୁଥାନ୍ତି, “ବଞ୍ଚାଅ, ବଞ୍ଚାଅ” । କିଛି ଭାବିବା ପୂର୍ବରୁ ଗହଳ ଚହଳ ବନ୍ଦ ହୋଇ ଶୂନ୍ ହୋଇଗଲା ସବୁ । ଏକ ଶକ୍ତ ଧକ୍କାରେ ଭୂମିକମ୍ପ ପରି କମ୍ପନ ହେବା ସହ ବିରାଟକାୟ ଶବ୍ଦ କରି ବୁଡ଼ିଗଲା ଜାହାଜଟି । ସେଇ ଜାହାଜର ଯାତ୍ରୀ ଥିଲା ଅଭିଷେକ ।

ସୁଦୂର ଅଷ୍ଟ୍ରେଲିଆରେ ଚାକିରୀ ପାଇବାର ଖୁସିରେ ସେ ଯାଉଥିଲା ତା’ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ କରିବାକୁ । ପ୍ରଥମଥର ଜାହାଜରେ ଯାତ୍ରା କରୁଥିବାରୁ ଉତ୍କଣ୍ଠିତ ମଧ୍ୟ ଥିଲା । ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଭଗବାନଙ୍କ ଦୟାରୁ ଭଲ ଚାକିରୀଟିଏ ମିଳିଗଲା । କିନ୍ତୁ ଏମିତି ତା’ ଜୀବନର ପରିସମାପ୍ତି ଘଟିବ ବୋଲି ସେ କ’ଣ ଜାଣିଥିଲା । ସ୍ବପ୍ନଗୁଡ଼ିକ ନିମିଷକେ ଧୋଇଗଲା । ବଣ ପାହାଡ଼ ଘେରା ସହରଠାରୁ ବହୁତ ଦୂରରେ ତା’ ଘର । ବୃଦ୍ଧ ମାଆ ବାପାକୁ ନେଇ ତା’ ପରିବାର ।

କିଛି ଘଣ୍ଟା ପରେ ଖବର ଆସି ପହଞ୍ଚିଗଲା ଅଭିଷେକର ବାପାମାଆଙ୍କ ପାଖେ । ନିୟତି ବି କେଡ଼େ ଅବିବେକି କେଡ଼େ ନିଷ୍ଠୁର ସତେ ! ବାପାମାଆ ଥାଉ ଥାଉ ସନ୍ତାନର ମୃତ୍ୟୁ ଅତି ଦୁଃଖଦ ଘଟଣା । ଦୁଃଖର ପାହାଡ଼ ଯେପରି ତାଙ୍କ ଉପରେ ଲଦି ହୋଇଗଲା । ଖୁବ ଅବିଶ୍ୱାସନୀୟ କଥା । ସହଜରେ ଗ୍ରହଣ କରିପାରୁନଥିଲେ ଏ କଥାକୁ ତା ବାପାମାଆ । ପଡ଼ୋଶୀ ଆସି ସମବେଦନା ଦେଲେ । ଏବେ ବୃଦ୍ଧ ବାପାମାଆ ଏକଲା । ଜୀବନର ଶେଷ ସମୟରେ ସେ ବେସାହାରା । କିନ୍ତୁ ମାଆ ମନ ମାନିବାକୁ ଅପ୍ରସ୍ତୁତ । ମାଆଙ୍କ ଯଥେଷ୍ଟ ବିଶ୍ୱାସ ପୁଅ ତାଙ୍କର ବଞ୍ଚିଛି ଏବଂ ଦିନେ ନା ଦିନେ ନିଶ୍ଚୟ ଆସିବ ।

କ୍ଷୀଣ ଦେହରେ କାମ କରି ପେଟ ପୋଷିବାକୁ ସେମାନେ ଅକ୍ଷମ । ତେଣୁ ସେମାନେ ନିଷ୍ପତ୍ତି ନେଲେ ଘରକୁ ଭଡ଼ା ଦେବେ ଏବଂ ସେହି ପଇସାରେ ଗୁଜୁରାଣ ମେଣ୍ଟାଇବେ । କିନ୍ତୁ ପରେ ଭାବିଲେ ଯେ ଘରଟି ଭଡ଼ା ଦେଇଦେଲେ ସେମାନେ ରହିବେ ବା କେଉଁଠି । ଏଇ ଘରଟା ହିଁ ତାଙ୍କ ସମ୍ବଳ । ତେଣୁ ସେ ନିଷ୍ପତ୍ତି ନେଲେ ଘରଟିକୁ ଭଡ଼ା ନ ଦେଇ ପେଇଂ ଗେଷ୍ଟ ହିସାବରେ ଘର ଦେବେ ।

ଘର ବାହାରେ ବୃଦ୍ଧ ଦମ୍ପତି ହୋଡ଼ିଂ ଲାଗେଇଦେଲେ “ଓନଲ୍ଲୀ ଫର୍ ପେଇଂ ଗେଷ୍ଟ” ।
ତା’ ପରେ ଘରକୁ ଅନେକ ଗେଷ୍ଟ ଆସନ୍ତି । ନିର୍ଦ୍ଧାରିତ ଦିନଯାଏଁ ରୁହନ୍ତି ଓ ଉଚିତ ପାଉଣା ଦେଇ ବାହୁଡ଼ିଯା’ନ୍ତି ।

ସମୟର ଗତି ସହ ସମଗତି ଦେଇ ବୟସ ବି ଗଡ଼ିଚାଲିଥାଏ । ଦେହର ଦମ୍ଭ, ବଳ କମିକମି ଗଲାଣି । ମନର ଦମ୍ଭ କିନ୍ତୁ ମଜବୁତ ଥାଏ ଯେ ପୁଅ ନିଶ୍ଚୟ ଆସିବ ।

ଥରେ ଅଧ ରାତିରେ କବାଟରେ ମୃଦୁ ଆଘାତ ଶୁଣି ବୃଦ୍ଧ ଦମ୍ପତି ଉଠିଲେ । କବାଟ ଖୋଲି ଦେଖିଲେ ଜଣେ ସୁସ୍ଥ, ସବଳ, ସୁନ୍ଦର ଯୁବକ ଦଣ୍ଡାୟମାନ ତାଙ୍କ ସମ୍ମୁଖରେ । ମୁହଁ କିନ୍ତୁ ସ୍ପଷ୍ଟ ଦିଶୁନଥାଏ । ଆଗନ୍ତୁକ ଜଣଙ୍କ କହିଲେ, “ମୁଁ ପେଇଂ ଗେଷ୍ଟ ହିସାବରେ ରହିବାକୁ ଆସିଛି । ଘର ମିଳିପାରିବକି?” ବୃଦ୍ଧାଟି କହିଲେ, “ଠିକ ଅଛି ଭିତରକୁ ଆସ ।” ଲାଇଟ୍ ମାରିବା ପରେ ବୃଦ୍ଧ ବ୍ୟକ୍ତିଟି ଯୁବକର ବ୍ୟାଗ ନେଇ କୋଠରୀକୁ ଗଲେ । ବୃଦ୍ଧାଟି ଆଲୁଅରେ ଭଲ ଭାବେ ଦେଖିଲା ଯୁବକଟିର ମୁଖକୁ । ଦେଖି ଭାବିଲା ତା’ ପୁଅ ମଧ୍ୟ ଠିକ୍ ଏହି ପରି । ବୃଦ୍ଧାଟିକୁ ସେଇ ଆଗନ୍ତୁକ ଯୁବକଟି ଖୁବ ନିଜର ଲାଗିଲା । ରାତି ଅନେକ ହୋଇଗଲାଣି ଯେ ଯାହା କୋଠରୀରେ ଶୋଇଗଲେ । ବୃଦ୍ଧାଟି କିନ୍ତୁ ଚାହୁଁଥିଲେ ଯୁବକ ସହ ଦୁଇ ପଦ କଥା ହେବାକୁ । ଅନେକ ଆସି ରହିଛନ୍ତି କିନ୍ତୁ ଯୁବକ ଜଣଙ୍କ ଆଗମନ ବୃଦ୍ଧା ମନକୁ ଖୁବ ଖୁସି ଦେଇଥିଲା ।

ସକାଳ ହେଲା; ବୃଦ୍ଧ ଦମ୍ପତି ଓ ଯୁବକ ଜଣକ ମିଶି ସକାଳ ଜଳଖିଆ ଖାଇବାକୁ ବସିଲେ । ବୃଦ୍ଧଟି ପଚାରିଲା, “ପୁଅ ତୁମ ନାମ କ’ଣ? ଆଉ କେଉଁ କାମ ପାଇଁ ଏ ଜାଗାକୁ ଆସିଛ?” ଯୁବକଟି ଉତ୍ତର ଦେଲା, “ମୋ ନାଁ ବିକାଶ । ଆଉ ମୁଁ ଅଷ୍ଟ୍ରେଲିଆରେ ଚାକିରୀ କରେ । କିଛି କାମରେ ଅଳ୍ପ ଦିନ ପାଇଁ ଏଠାକୁ ଆସିଛି ।” ବୃଦ୍ଧାଟି ଆଶ୍ଚର୍ଯ୍ୟ ହୋଇଗଲା । ଆଉ ମନେ ମନେ ଭାବିଲା ମୋ ପୁଅ ମଧ୍ୟ ଅଷ୍ଟ୍ରେଲିଆ ଯିବା ବାଟରେ ହିଁ ଏମିତି ଦୁର୍ଘଟଣା ଘଟିଥିଲା ବୋଲି ଖବର ଆସିଥିଲା । ତେବେ ଏ କ’ଣ ମୋ ପୁଅ! ନା !ନା ! ପୁଅ ହୋଇନପାରେ । ପୁଅ ହୋଇଥିଲେ ନିଶ୍ଚୟ ଚିହ୍ନିପାରିଥାନ୍ତା ।

ତେବେ ବୃଦ୍ଧ ଦମ୍ପତି ବିକାଶକୁ (ଯୁବକ) ନିଜ ପୁଅ ପରି ଭଲ ପାଇବସିଲେ । ବିକାଶ ବିଳମ୍ବିତ ରାତିରେ ଘରକୁ ଆସିଲେ ବୃଦ୍ଧା ଜଣଙ୍କ ଚାହିଁ ରହିଥାନ୍ତି । ବଳେଇ କରି ଖାଇବାକୁ ଦିଅନ୍ତି । ପୁଅର ମୃତ୍ୟୁ ପରେ ମନରେ ଛାଇଯାଇଥିବା ଦୁଃଖର କଳାବାଦଲ ଧୀରେ ଧୀରେ ଉଭେଇବାକୁ ଲାଗିଲାଣି ଉଭୟଙ୍କ ମନରେ । ପ୍ରତ୍ୟେକ ଦିନ ବୃଦ୍ଧାଟି ବିକାଶର ମନ ପସନ୍ଦ ଖାଇବା ତିଆରି କରନ୍ତି । ବିକାଶ ମଧ୍ୟ ଆବଶ୍ୟକୀୟ ଜିନିଷ ଆଣିଦିଏ ଘର ପାଇଁ । ଖୁବ୍ ଗୋଟେ ମାଆ ପୁଅର ସମ୍ପର୍କ ଗଢ଼ି ଉଠିଲାଣି ଉଭୟଙ୍କ ମଧ୍ୟରେ । ବିକାଶ ମଧ୍ୟ ବାପମାଆ ଛେଉଣ୍ଡ । ସେଥିପାଇଁ ଖୁବ ଶୀଘ୍ର ସେ ବୃଦ୍ଧ ଦମ୍ପତିଙ୍କୁ ପ୍ରିୟ ହୋଇପାରିଲା ।

ଥରେ ବିକାଶ କାମରେ ବାହାରିଯିବା ପରେ ବୃଦ୍ଧା ଟି ତା’ କୋଠରୀକୁ ଯାଇଥିଲା । ହଠାତ ତାଙ୍କ ନଜର ପଡ଼ିଲା ଟେବୁଲ ଉପରେ ପଡ଼ିଥିବା ଏକ ଲକେଟ ଉପରେ । ନାଲି ସୂତାରେ ଲାଗିଥିଲା ଗୋଲାକାର ଲକେଟ । ବୃଦ୍ଧାଟି କାଳବିଳମ୍ବ ନ କରି ଲକେଟଟିକୁ ଖୋଲିଲା । ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲା । ଏ ଲକେଟ ଭିତରେ ଉଭୟ ବୃଦ୍ଧ ଦମ୍ପତିଙ୍କର ଫଟୋ । ବୃଦ୍ଧାଟି ଆନନ୍ଦରେ ଗଦଗଦ ହୋଇଗଲା । ଏ ତ ସେଇ ଲକେଟ ଯୋଉ ଲକେଟ ତାଙ୍କ ପୁଅ ସବୁବେଳେ ବେକରେ ପିନ୍ଧେ । ଖବରଟି ନିଜ ସ୍ୱାମୀକୁ ଜଣେଇଲା । ଉଭୟ ବର୍ତ୍ତମାନ ନିଶ୍ଚିତ ଯେ ୟେ ନିଶ୍ଚୟ ତାଙ୍କ ପୁଅ । ହେଲେ ପୁଅ କାହିଁ ଚିହ୍ନିପରିଲାନି ବାପାମାଆଙ୍କୁ, ଆଉ ନାମରେ, ମୁହଁରେ ଏତେ ପରିବର୍ତ୍ତନ?

ଏ ପ୍ରଶ୍ନର ଉତ୍ତର କେବଳ ବିକାଶ ହିଁ ଦେଇ ପାରିବ । ବିକାଶର ଅପେକ୍ଷାରେ ରହିଲେ ଉଭୟ । ବିକାଶ ରାତ୍ରିରେ ଫେରିବା ଦେଖି ବୃଦ୍ଧା ନିଜକୁ ସମ୍ଭାଳି ନ ପାରି କୁଣ୍ଢେଇ ଧରି କାନ୍ଦି କହିଲେ, “ମୋ ପୁଅ ଅଭିଷେକ ତୁ । କୁଆଡ଼େ ଥିଲୁ ଆଜି ଯାଏ । କେତେ ଝୁରିଛି ଏ ଆଖି ତତେ ଦେଖିବାକୁ । ମୋ ସାତ ଜନ୍ମର ତପସ୍ୟା ତୁ । ମୋ ଆଖିର ଲଉଡ଼ୀ । ମୋ ଜୀବନର ପୁଞ୍ଜି । କୁଆଡ଼େ ଏକା କରି ଯାଇଥିଲୁ!” ବୃଦ୍ଧଟି ଲକେଟ ଦେଖେଇ କହିଲା, “ଦେଖ ଏ ଲକେଟକୁ । ଏ ଲକେଟ ହିଁ ତୋର ପରିଚୟ ଦେଲା ।” ଉଭୟଙ୍କ କଥା ଶୁଣି ବିକାଶ ହାତବାକ ହୋଇଗଲା ।

ବିକାଶ ମନେ ପକେଇଲା ସେ ଦିନର କଥା । ଯେଉଁଦିନ ସମୁଦ୍ର କୂଳକୁ ଭାସି ଆସିଥିଲା ଏକ କ୍ଷତ ବିକ୍ଷତ ଯୁବକ । ତା’ ଲକେଟଟି କାଢ଼ି ପିନ୍ଧାଇଦେଇଥିଲା ବିକାଶ ଗଳାରେ । କିଛି କହିବା ପୂର୍ବରୁ ଚେତା ଶୂନ୍ୟ ହୋଇଯାଇଥିଲା ଯୁବକଟି । ତା’ ପରେ ବିକାଶ ନେଇଯାଇଥିଲା ଡାକ୍ତରଖାନା କିନ୍ତୁ ସେ ଯୁବକଟିକୁ ବଞ୍ଚାଇ ପାରିନଥିଲା । ତେବେ ଏଇ କ’ଣ ତା’ର ବାପାମାଆ । !ଭଗବାନଙ୍କର ଏ କି ସଂଯୋଗ ।

ଉଭୟଙ୍କ ଖୁସି ଦେଖି ବିକାଶ ଚାହୁଁନଥିଲା ସତ କହି ପୁଣି ଥରେ ଅସହାୟ କରିଦେବାକୁ । ଉଭୟଙ୍କୁ ସେ ମଧ୍ୟ ବାପାମାଆ ପରି ଦେଖେ । ବହୁତ କାନ୍ଦିଛନ୍ତି ଉଭୟ ପୁଅକୁ ହରେଇବା ପରେ । ତା’ର ରହଣି ଭିତରେ ସେ ଦେଖିଛି ଉଭୟଙ୍କ ପୁତ୍ର ଜନିତ ଶୋକକୁ । ତେଣୁ ସେ ନିଷ୍ପତ୍ତି ନେଲା ବାକି ଜୀବନ ଅଭିଷେକ ହୋଇ ବିତେଇଦେବାକୁ । ସେତେବେଳ ପର୍ଯ୍ୟନ୍ତ ବୃଦ୍ଧାଟି ବିକାଶକୁ ଜାବୁଡ଼ି ଧରି କାନ୍ଦି କାନ୍ଦି ଖୁବ ଗେଲ କରୁଥାଏ । ବିକାଶର ମଧ୍ୟ ଅଜାଣତରେ ଦୁଇ ବୁନ୍ଦା ଲୁହ ଆସିଯାଇଥାଏ । ସେ ବୃଦ୍ଧା ଆଖିରୁ ଲୁହ ପୋଛି କିଛି ମନେ ପଡ଼ିଲା ପରି କହିଲା, “ହଁ, ହଁ ମୋର ମନେପଡ଼ିଲା ସବୁ । ଜାହାଜ ଦୁର୍ଘଟଣା ପରେ ମୋର ଚେହେରା ବିକୃତ ହୋଇସାରିଥିଲା ଆଉ ସ୍ମରଣ ଶକ୍ତି ମଧ୍ୟ ଚାଲି ଯାଇଥିଲା । ସର୍ଜରି କରି ମୁହଁ ପରିବର୍ତ୍ତନ କରାଗଲା । ଏବେ ମୋର କିଛି କିଛି ମନେ ପଡ଼ୁଛି ।” ଏମିତି ମିଛ କଥା କହୁଥିବାରୁ ଖରାପ ଲାଗୁଥିଲେ ମଧ୍ୟ ବୃଦ୍ଧ ଦମ୍ପତିଙ୍କ ଆଖିରେ ଓ ଓଠରେ ଖୁସି ଦେଖି ସେ ଯାହା କରୁଛି ଠିକ୍ କରୁଛି ବୋଲି ଭାବୁଥିଲା । ଏଥିପାଇଁ ତାକୁ ଭଗବାନ ଯେଉଁ ଦଣ୍ଡ ଦେବେ ସେ ମୁଣ୍ଡପାତି ସହିବାକୁ ପ୍ରସ୍ତୁତ ।

ବୃଦ୍ଧ ଦମ୍ପତି ବିକାଶ ଓରଫ ଅଭିଷେକକୁ ପାଇ ବହୁତ ଖୁସି । ପେଇଂ ଗେଷ୍ଟ ହୋଇ ଆସିଥିବା ବିକାଶ ଆଜି ତାଙ୍କ ପୁଅ ଅଭିଷେକ । ଅଭିଷେକ ମଧ୍ୟ ଉଭୟ ବାପାମାଆଙ୍କ ସ୍ନେହ ଆଦର ପାଇ ନିଜକୁ ଧନ୍ୟ ମନେକଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରିୟଦର୍ଶିନୀ ମହାନ୍ତି ଜଣେ ଓଡ଼ିଆ ଲେଖିକା । ସେ ଜଣେ ଶିଖୟିତ୍ରୀ ଏବଂ ଓଡ଼ିଆ ଭାଷା ପ୍ରତି ତାଙ୍କର ଅନେକ ଭଲ ପାଇବା ରହିଛି । ସେ ମୁଖ୍ୟତଃ ସାମାଜିକ କବିତା ଆଦି ରଚନା କରନ୍ତି ।