ପ୍ରିୟଙ୍କା ତୁମେ ଭୁଲ ଥିଲ

ପ୍ରିୟଙ୍କା ତୁମେ ଭୁଲ ଥିଲ

ପ୍ରିୟଙ୍କା ତୁମେ ଭୁଲ ଥିଲ, ଭୁଲିଯାଇଥିଲ କ’ଣ ତୁମେ ଜଣେ ନାରୀ । ରାତିରେ ଏକାକୀ ଅନ୍ଧାର ଶୁନ୍‌ଶାନ୍ ରାସ୍ତାରେ ଯିବାକୁ ସାହସ କିଏ ଦେଲା ତୁମକୁ ! ପାଶୋରି ଗଲ କ’ଣ ନାରୀ ଅବଳା ଦୁର୍ବଳା, ପୁରୁଷ ସମଶକ୍ତି ତା’ର ନାହିଁ । ମନେ ପଡ଼ିଲାନି କ’ଣ ଲକ୍ଷ୍ମଣରେଖା କଥା? ରେଖା ପାର ହେଲେ ଛଦ୍ମବେଶୀ ରାବଣ । ହଁ, ଏବେ ଯୁକ୍ତି କରିପାର ରାବଣ ତ ସୀତାଙ୍କ ସତୀତ୍ୱକୁ ଆକ୍ରମଣ କରିନଥିଲା । ଭଉଣୀ, ରାବଣ ରାକ୍ଷସ ଥିଲା ପରା, ଏଗୁଡ଼ାକ ମଣିଷ । ଲକ୍ଷ୍ମଣରେଖା ସେପାରି ତୁମେ ସୀତାର ଅସ୍ତିତ୍ୱ ଖୋଜୁଥିଲ, ପ୍ରିୟଙ୍କା ତୁମେ ଭୁଲ ଥିଲ ।

ପ୍ରିୟଙ୍କା ତୁମେ ଭୁଲ ଥିଲ । ତୁମେ ପରା ପଶୁ ଡାକ୍ତର ଥିଲ, ଆଖି ସାମ୍ନାରେ ପଶୁକୁ ଚିହ୍ନି ପାରିଲନି ଯେ । ଦୁଇ ଗୋଡ଼ିଆ ପଶୁର ନିଦାନ ଲେଖା ନ ଥିବ ବୋଧେ ତୁମ ବହିରେ । ଆଚ୍ଛା, ସବୁ ଭୁଲ ତୁମର ନଥିଲା ତ? କ’ଣ ପିନ୍ଧିଥିଲ ତୁମେ, ଦେହର ଏମିତି କିଛି ଅଙ୍ଗ ଦିଶୁନଥିଲା ତ ଯାହା ଏକ ପୁରୁଷର ଇନ୍ଦ୍ରୀୟକୁ ଆନ୍ଦୋଳିତ କରିପାରେ । ତୁମେ ପାଶ୍ଚାତ୍ଯ ପୋଷାକରେ ନଥିଲ ତ? ଶାଢ଼ୀ ପିନ୍ଧଥିଲେ କ’ଣ ଏମିତି ହେଇଥାନ୍ତା । ନା ।

ପ୍ରିୟଙ୍କା ତୁମେ ଭୁଲ ଥିଲ, ନିଜର ଶେଷ କେଇ ନିଶ୍ୱାସରେ ନ୍ଯାୟର ସ୍ୱପ୍ନ ଦେଖୁଥିଲ । କାହିଁ ଖୋଲା ହେବ ତୁମ ଲାଗି ରାତିଅଧିଆ ରାଜ୍ଯପାଳ, ରାଷ୍ଟ୍ରପତି କି ସୁପ୍ରିମକୋର୍ଟ ଦୁଆର, ତୁମେ କ’ଣ ମହାରାଷ୍ଚ୍ର ରାଜନୀତି ସମୀକରଣ ବଦଳେଇ ପାରିବ କି? କାହିଁ ଗଣମାଧ୍ଯମରେ ତୁମ ଆଲୋଚନା ହବ ଯେ, ତୁମେ କ’ଣ ରାମ ରହିମ କାହାଣୀ ଯେ ଦେଶ ଦୁଇ ଖଣ୍ଡ କରିପାରିବ । ତୁମେ ଦିନେ ନିର୍ଭୟା ଥିଲ, ଆଜି ପ୍ରିୟଙ୍କା । କାଲି କେହି ବି ହୋଇପାର । ତୁମେ ପୁରୁଷାର୍ଥର ଚରିତାର୍ଥ ନିମିତ୍ତ ବଳିଦାନର କାହାଣୀ । ପୁରୁଷ କେବେ ଭୁଲ ହୋଇପାରେନା ଯେ । ଭାବୁଛ କି, ଫାଶୀଖୁଣ୍ଟରେ ଝୁଲେଇ ଦିଆଯିବ କି ତୁମ ହତ୍ଯାକାରୀକୁ? ନା । କେତେ ମାନବ ଅଧିକାରର କଥା ଆସିବ ଯେ, କାହାର ଛୋଟ ଛୁଆ ବାପଛେଉଣ୍ଡ ହେଇଯିବ କାହା ମାଇପ ସ୍ୱାମୀଛେଉଣ୍ଡ ।

ପ୍ରିୟଙ୍କା ତୁମେ ଭୁଲ ଥିଲ । ହାଣ୍ଡିଶାଳ ବାହାରେ ଦୁନିଆ ଦେଖିବାକୁ ଚାହୁଁଥିଲ । ହାଣ୍ଡିଶାଳ ଭିତରେ ଯେ ତୁମେ ସୁରକ୍ଷିତ କହିପାରୁନି, ହେଲେ ଘର କଥା ଘର ଚାରି କାନ୍ଥରେ ତ ରହିଥାନ୍ତା । ଏମିତି ବାରମ୍ବାର କ୍ଷତାକ୍ତ ହୋଇଥାନ୍ତ ଅଲଗା ଅଲଗା ପଶୁର ନଖରେ, ହେଲେ ଚିତ୍କାର ତ ବାହାରକୁ ଶୁଭିନଥାନ୍ତା । ରୁହ, ଫାଶୀ ସେ ଫକୀରମୋହନକୁ ଦେଇଦବା, ପେଟ୍ରୋଲ ପକେଇ ସେ ରେବତୀ ବହି ଜାଳିଦେବା । ରେବିକୁ ସେ ଚୁଲି, ସେ ନିଆଁ ପାଖକୁ ଧକ୍କା ଦେଇ ଠେଲିଦବା । କିଛି ପ୍ରିୟଙ୍କା ବଞ୍ଚି ଯାଇପାରନ୍ତି ।

ପ୍ରିୟଙ୍କା ତୁମେ ଭୁଲ ଥିଲ, ନାରୀ ହୋଇ ସ୍ୱପ୍ନ ଦେଖୁଥିଲ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu