You are currently viewing ପାଶବିକତାର ଚୁମ୍ବନ
ପାଶବିକତାର ଚୁମ୍ବନ

ପାଶବିକତାର ଚୁମ୍ବନ

ପାଶବିକତା ଚୁମି ଦେଇଯାଏ
ଆପଦ ମସ୍ତକ..
ଉଆଁସ ରାତିର ବିସ୍ତାରିତ କାୟାରେ
ଅବା, ଫ୍ଲଡ ଲାଇଟ୍‌ର ସୂକ୍ଷ୍ମାଲୋକରେ
ଏକାନ୍ତ ତରୁଣୀ କୁଦ
ଜନପଥରେ ଦେଖି ॥

ଦ୍ୱିତୀୟ ଦାରୁ ବି ନିର୍ଦ୍ଦୟୀ ସାଜେ
ଅଭାବୀ, ନିରୀହା, ଗର୍ଭସ୍ଥ ଗୃହିଣୀର
ଆର୍ତ୍ତ ଚିତ୍କାରକୁ
ହସ୍ପିଟାଲ୍ ବାରଣ୍ଡାର ମୁକୁଳା କୋରିଡର୍‌ରେ
ପାଶବିକତାର ଚୁମ୍ବନ ଚାଖି ॥

ପୂଜ୍ୟ, ପିତୃ ପ୍ରତିମ ଗୁରୁ ବି
ଅଫୁଟା କୋମଳ କଢ଼ିର
ନିରୀହତାର ସୁଯୋଗ ଉଣ୍ଡି
ପରସ ଲାଲାସାରେ ଆଜି
ପାଲଟିଯାଏ ଭ୍ରମର
କନ୍ୟା ମୁଖେ ସ୍ୱପ୍ନି ସୂର୍ଯ୍ୟମୁଖୀ ॥

ରକ୍ଷକ ଏଠି ବିଚ୍ ରାସ୍ତାରେ
ଆଇନ୍‌କୁ ଉଲଗ୍ନ କରେ
ପରିଚୟ ମାଗେ ଦୌପଦୀର
ଆଇନ୍ ଗୃହରେ ପୁନଃ ପ୍ରଶ୍ନ ଉଠେ
ସୀତାର ସତୀତ୍ଵ ପ୍ରତି ॥

କି, ଭୟଙ୍କର ସତେ ଏ ଚୁମ୍ବନ
ଯାହା ରସ ରସାଳରେ
ନେତାଏ ଲଙ୍ଘି ଦିଅନ୍ତି ତାଙ୍କ ମର୍ଯ୍ୟାଦା
ହନିଟ୍ରାପର ବ୍ଲାଉଜ୍‌ରେ
ଦେଶପ୍ରେମକୁ ଢାଙ୍କି ॥

– ଶ୍ରୀକାନ୍ତ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶ୍ରୀକାନ୍ତ ପଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।