You are currently viewing ପରିବର୍ତ୍ତନ
ପରିବର୍ତ୍ତନ

ପରିବର୍ତ୍ତନ

ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି
ସମୟକୁ ଜୀବନ୍ତ ସାବ୍ୟସ୍ତ କରିବାର
ଏକ ପ୍ରୟାସ ନିରବଛିନ୍ନ
ଅବା ଆବର୍ତ୍ତନର ପରିଧିରେ ଶୀର୍ଷତ୍ୱର
ଏକ ବୃଥା ପ୍ରହସନ । (୧)

କେତେବେଳେ ଜୁଆରରେ ଏକ କୂଳରୁ
ଆରକୂଳକୁ ବିସ୍ଥାପନ
ଅବା ପ୍ରଳୟଙ୍କାରୀ ବନ୍ୟାରେ
ଭିଟାମାଟିଠାରୁ ନିର୍ଯ୍ୟାସନ । (୨)

ମୁଣ୍ଡ ଝାଳ ତୁଣ୍ଡେ ମାରି କଣ୍ଟକିତ ଦୁର୍ଗମ ପଥକୁ
ସଫଳତାର ସୋପାନରେ ରୂପାନ୍ତରଣ
ଅବା ଖୋଷାମତି କରି ପାରିତୋଷିକରୁ
ରାତାରାତି ରାଜେନ୍ଦ୍ରାସୀନ । (୩)

ଅବଚେତନରୁ ଚେତନାର ସୂକ୍ଷ୍ମ ବିକାଶ
ଚଣ୍ଡାଶୋକରୁ ଧର୍ମାଶୋକ
ଅବା ପାଶବିକ ପ୍ରବୃତ୍ତିରେ ମତୁଆଲା
କ୍ଷମତାସୀନ ହୋଇ ଶୋଷଣର ଜୟଗାନ । (୪)

ଗୋଧୂଳିର ଦୂର ଦିଗନ୍ତରେ ଆଖିପତାତଳେ
ହାଇମାରୁଥିବା କ୍ଲାନ୍ତ କାକୁସ୍ଥ ଜୀବନ
ଅବା ସନ୍ନିକଟ ଦିଗବଳୟରେ ସ୍ୱର୍ଣ୍ଣାଭ ସୂର୍ଯ୍ୟୋଦୟ
ସ୍ନେହ ଆହ୍ଲାଦିତ ଜୀବନର ମାଦକୀୟ ଯୌବନ । (୫)

ସୀମିତ କେବଳ କ୍ୟାଲେଣ୍ଡରରେ ପୃଷ୍ଠା ଉନ୍ମୋଚନ
ଡିସେମ୍ବର ପରେ ନବ ବର୍ଷର ଉଚ୍ଚାଟ ଅଭିନନ୍ଦନ
ଅବା ମରାରୁ ରାମ, ଉଇ ହୁଙ୍କାରୁ ବାଲ୍ମୀକି
ଦାନବତ୍ୱରୁ ଦେବ ତୁଲ୍ୟ ପରିମାର୍ଜନ । (୬)

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।