You are currently viewing ନାରୀ
Odia Peom Naree (ନାରୀ) by Subhadarsini Parida

ନାରୀ

ସମ୍ମାନୀୟା ବନ୍ଦନୀୟା ସର୍ବସହା
ମମତାର ପ୍ରତିମୂର୍ତ୍ତି ମାନବୀ ନା ଦେବୀ
କ’ଣ ବା ପରିଚୟ ତା’ର?
ଦୁହିତା ଭଗିନୀ ଜାୟା ନା ଜନନୀ
ମମତମୟୀ ସେହ୍ନପ୍ରଦାୟିନୀ
ନା ଦୈତ୍ୟଦଳିନୀ?
ହଜାରେ ରୂପ ହଜାରେ କାହାଣୀ
ତଥାପି ସେ ନାରୀ
ଶାନ୍ତ ସ୍ନିଗ୍ଧ ନମ୍ରତାର ମୂଳମନ୍ତ୍ର,
ସତୀତ୍ଵର ପରାକାଷ୍ଠାରେ
ଦେଇଛି ଅଗ୍ନିପରୀକ୍ଷା,
କୁରୁସଭା ତଳେ ପୁଣି
ହେଇଛି ବିବସ୍ତ୍ର,
ଜଗତର କଲ୍ୟାଣ ପାଇଁ
ସାଜିଛି ଦୁର୍ଗତିନାଶିନୀ ଦୁର୍ଗା,
କେବେ ପୁଣି
ସତ୍ୟବାନକୁ ରକ୍ଷା କରି ସାବିତ୍ରୀ ।
କ’ଣ ବା ପରିଚୟ ତା’ର?
ମଧୁକୈଟଭନାଶିନୀ ନା
ପ୍ରେମମୟୀ ମାନିନୀ?
ତଥାପି ସେ ନାରୀ
ଅସୀମ ଶକ୍ତି ଓ
ଅସହ୍ୟ ଧୈର୍ଯ୍ୟର ଗନ୍ତାଘର,
ସୃଷ୍ଟିର ଆରମ୍ଭରୁ ଅନ୍ତ
ସବୁଠି ତା’ର ଗୁରୁତ୍ୱ
କିନ୍ତୁ ସେ ଆଜି ମର୍ମାହତ
ଅତ୍ୟାଚାରିତ ଲୁଣ୍ଠିତ ଜର୍ଜରିତ
ଶଠ କାମୁକଙ୍କ ସୁଖଲାଳସରେ,
ପାପୀ ଦୁରାଚାରିଙ୍କର ଦୁଷ୍କର୍ମରେ
ମିଳିନାହିଁ ଶାନ୍ତି ମିଳିନାହିଁ ନାରୀ ମୁକ୍ତି
ଦ୍ୱାପର ତ୍ରେତୟାରୁ କଳିଯାଏ
ଲିଭିନାହିଁ ଲିଭିବନି ନାରୀ ମନୁ
କ୍ଷଣି କ୍ଷଣିକ ଶଙ୍କା ଆଉ ଭ୍ରାନ୍ତି,
ଜଗତର କଲ୍ୟାଣ ପାଇଁ
ପୁଣି ନେବାକୁ ହେବ ତାକୁ
ସେଇ ମହିଷାମର୍ଦିନୀ ରୂପ
କରିବାକୁ ହେବ ପାପର ବିଲୋପ ।
କ’ଣ ବା ପରିଚୟ ତା’ର?
ଭାବିନୀ ନା ଭବାନୀ
କାମିନୀ ନା କାମଦମୟନୀ
ତଥାପି ସେ ନାରୀ
ସୀମାହୀନ ମମତାର
ଅସରନ୍ତି ସାଗର….

– ଶୁଭଦର୍ଶିନୀ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଦର୍ଶିନୀ ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।