You are currently viewing ଗରିବ
Odia Poem Gariba (ଗରିବ) by Janmajaya Nayak

ଗରିବ

ଯନ୍ତ୍ରଣାର ଜତୁଶାଳେ ଜଳିବାରେ
ମୋତେ ମିଳିଥାଏ ଆନନ୍ଦ
ଆଖିରେ ଲୁହ ଜକେଇ ଆସିଲେ
ଭାଙ୍ଗିନପଡ଼ି ମୁଁ ଦେଖାଏ ସାହସ,
ପିଲାଦିନୁ ଆଜିଯାଏ ଦୁଃଖଦାରିଦ୍ର୍ୟର
କଷଟି ପଥରରେ ପେଷି ହୋଇ
ଜାରି ରଖିଛି ମୋର ସଂଘର୍ଷ,
ଦୁନିଆକୁ ଚିହ୍ନିବାରେ ସୁଯୋଗ ପାଉଛି
ହଁ ମୁଁ ଗରିବ…

ମୋର ସ୍ୱତନ୍ତ୍ର ସମ୍ପ୍ରଦାୟ
ଏ ଭଦ୍ର ଧନୀକ ସମାଜ ମୋତେ
ଛୋଟ ନଜରରେ ଦେଖେ
ଘୃଣା କରେ କାରଣ ମୁଁ
ତାଙ୍କ ସହ ମିଶିବାକୁ ଯୋଗ୍ୟ ନୁହେଁ
କଷ୍ଟର ସୀମା ଟପିଲେ ବି
କିଛି ନିର୍ଦ୍ଦୟ ନୀଚ୍ଚ ମାନସିକତା ଧାରୀଙ୍କ
ଦ୍ୱାରା ହୁଏ ମୁଁ ଶୋଷିତ
ହଁ ମୁଁ ଗରିବ…

ତେଲିଆ ମୁଣ୍ଡରେ ତେଲ ଦିଆଯାଏ
ଭୋକିଲା ପେଟର ଭୋକ
କାହାକୁ ଜଣାପଡ଼େନି
ଛିଣ୍ଡା ପୋଷାକରେ ଚିରାକନ୍ଥାରେ
ମୋ ଭଙ୍ଗାକୁଡ଼ିଆ ଚାଳରେ ଥିବା ଫାଙ୍କାରୁ
ଦୂର ଆକାଶର ଜହ୍ନକୁ ଦେଖି
ଜହ୍ନ ରାଇଜର ସପନ ଦେଖେ ମୁଁ
ହେଲେ ସେ ସପନ କେବେ ସତ ହୁଏନି
ହଁ ମୁଁ ଗରିବ…

ମୋ ପାଖେ ବିବେକ ଅଛି
ଧନ ବଳ ନାହିଁ କିନ୍ତୁ ଧର୍ମ ବଳ ଅଛି
ମୁଁ ମିଛ କହେନି କି କାହାକୁ ଠକେନି
ଦୁଃଖରେ ରହେ କିନ୍ତୁ ଅନ୍ୟ ଓଠରେ ହସଆଣେ
କାହା ବିଶ୍ୱାସରେ ବିଷ ଦିଏନି
କାହା ହସିଲା ସଂସାର ଉଜାଡ଼େନି
ମୋ ଶାଗ ପଖାଳରେ ମୋ ଆନନ୍ଦ
ପର ଧନରେ ମୋର ଆଖିନଥାଏ
ହଁ ମୁଁ ଗରିବ…

– ଜନ୍ମଜୟ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।