You are currently viewing ଦୁହିତା
Odia Poem Duhita (ଦୁହିତା) by Sanjay Kumar Tripathy

ଦୁହିତା

ଭୂଇଁ ଛୁଇଁଲାଠୁ ଶାସନ ସଭିଙ୍କ
ମଶାଣୀର ପଦା ଯାଏଁ
ନିଜସ୍ଵ ସର୍ବସ୍ୱ ବୋଲି କିଛି ନାହିଁ
ଆଦେଶ ଯେ ଠାଏଁ ଠାଏଁ ।

ଦୁନିଆଁ ଦେଖିଛି ଜାଣିଛି ସେ ମଧ୍ୟ
ସବୁ ଯେ ପର ଏଇଠି
ଜାଣିବା ଶୁଣିବା ଲୋକବାକ ମଧ୍ୟ
ସ୍ୱାର୍ଥ ଯେ ଖୋଜନ୍ତି ଏଠି ।

କାହାକୁ କହିବ କିସ ବା କହିବ
ସବୁ ତା’ ଆପଣା ଲୋକ
ସ୍ୱାର୍ଥ ପାଇଁ ସିନା ସେମାନେ ହରିଲେ
ମେଣ୍ଟାଇ ଶରୀର ଭୋକ ।

ଯାହା କିଛି ହେଉ ଭଗବାନ ସାକ୍ଷୀ
ଆଜି ବି ପବିତ୍ର ସିଏ
ସଂସାର ଅଗ୍ନୀରେ ଦଗ୍ଧୀ ହୋଇ ହୋଇ
ଚରିତ୍ର ବଖାଣି ଯାଏ ।

ଶୈଶବ ଯୌବନ ସବୁ ଅବସ୍ଥାରେ
ବିପଦ ସଙ୍କୁଳ ସେହି
ସବୁ ଅବସ୍ଥାରେ ଜୀବନ ଚକ୍ରରେ
ଦୋଳାୟମାନ ଯେ ସେହି ।

କହି ସେ ପାରେନି ଦୁଃଖ ଯନ୍ତ୍ରଣାକୁ
ଲୁହ ତଳେ ପୋଛିଦିଏ
“ଦୁହିତା” ଯେ ସିଏ ହିତ ଦୁଇ କୁଳେ
ଭାବି ସବୁ ଭୁଲିଯାଏ ।

– ସଞ୍ଜୟ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଞ୍ଜୟ କୁମାର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।