ବିଷୁବ ରେଖା ଉପରେ ତେଜ ବନ୍ତ ଆଦିତ୍ୟ,
ଚତୁର୍ଦ୍ଦିଗେ ଆରମ୍ଭିଲା ପ୍ରଚଣ୍ଡ ନିଦାଘ ॥୧॥
ଦୁବଦାରୁଠୁ ମାନବ ସର୍ବେ ହନ୍ତସନ୍ତ,
ବାଲୁକା ପ୍ରସ୍ତର ଆଦି ଜୀବଜନ୍ତୁ ସର୍ବ ॥୨॥
ଚଇତି ଶୁକ୍ଳ ନବମୀ ଆସି ପହଞ୍ଚିଲା,
ସବୁ ଜନ ହୃଦେ ଭକ୍ତି ଭାବ ଯାତ ହେଲା ॥୩॥
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର,
ତାଙ୍କ ଜନ୍ମଦିନ ଲୋକେ ପାଳିଲେ ସତ୍ତ୍ୱର ॥୪॥
ତ୍ରେତୟାରେ ଦଶରଥ କୌଶଲ୍ୟା କୋଳରେ,
ଜନ୍ମିଥିଲେ ରାମଚନ୍ଦ୍ର ଅଯୋଧ୍ୟା ମାଟିରେ ॥୫॥
ଯାକ ଯକମରେ ପୂରେ ଅଯୋଧ୍ୟା ନଗରୀ,
ଦେବମାନବଙ୍କ ହୃଦେ ଖୁସିର ଲହରୀ ॥୬॥
ସେହିଦିନଠାରୁ ରାମ ନବମୀ ପ୍ରସିଦ୍ଧ,
ପାଳନ କରନ୍ତି ସର୍ବେ ଆନନ୍ଦ ଉଲ୍ଲାସ ॥୭॥
ରାମ ନାମର ମାହାତ୍ମ୍ୟ ଯେ ବୁଝି ପାରିଛି,
କେତେ ତୀର୍ଥ କେତେ ପୁଣ୍ୟ ଜୀବନେ ପାଇଛି ॥୮॥
ଯେ ନାମ ତୁଣ୍ଡରେ ଧରି ପଙ୍ଗୁ ଲଂଘେ ଗିରି,
ଯେ ନାମର ସ୍ପର୍ଶ ପାଇ ପାପଯିବ ସରି ॥୯॥
ଯେ ନାମ ତୁଣ୍ଡରେ ଧରି ହେଲା ଚମତ୍କାର,
ବାଲ୍ମିକୀ ଋଷି ହୋଇଲା ଦସ୍ୟୁ ରତ୍ନାକର ॥୧୦॥
ସେ ନାମର ପାଦ ତଳେ ସଦା ରଖ ଲୟ,
ଏ ଭବ ସାଗର ପାରି ହୋଇବ ନିଶ୍ଚୟ ॥୧୧॥
– ରଶ୍ମିମୟୀ ପତି
Comments

ରଶ୍ମିମୟୀ ପତି ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହ ଅନେକ ସାହିତ୍ୟ ସଂସ୍ଥା ପକ୍ଷରୁ ତାଙ୍କୁ ଅତୀତରେ ସମ୍ମାନୀତ କରାଯାଇଛି ।