You are currently viewing ମୁଁ ଚାଷୀଟିଏ
ମୁଁ ଚାଷୀଟିଏ

ମୁଁ ଚାଷୀଟିଏ

ମୁଁ ଚାଷୀଟିଏ,
ନିୟତୀର ନିର୍ଦେଶରେ ବା
ପରିସ୍ଥିତିର ପ୍ରଭାବରେ
ମୁଁ ଅଳ୍ପ ଭାଷୀଟିଏ,
ମୁଁ ଚାଷୀଟିଏ !

ମାଟିରେ ମୋ ଜନ୍ମ
ମାଟି ହିଁ ମୋ କର୍ମ,
ମାଟି ମୋର ହୀରା ମୋତି
ମାଟି ହିଁ ସର୍ବସ୍ୱ,
ତେଣୁ ତ ମୁଁ
ସ୍ନେହରେ ବା ତାଚ୍ଛଲ୍ୟରେ,
ସର୍ବ ମୁଖେ କ୍ଷାତ
ମାଟିର ମଣିଷ !

ମୋ କଥା ନୁହେଁ,
ମୋ ହାତ ଗୋଡ଼
ମୋର ପ୍ରତ୍ୟକଟି ଅଙ୍ଗ,
ସୃଷ୍ଟି କରେ ଧରା ବକ୍ଷେ
ସବୁଜିମାର ତରଙ୍ଗ,
ଯାହା ସଭିଙ୍କ ଜୀବନେ
ଭରେ ନୂତନ ଉମଙ୍ଗ !

ମୋ ସୃଷ୍ଟ ଖାଦ୍ୟ ଖାଇ
ଖିଲି ଖିଲି ହସିଥାଏ
ହୃଷ୍ଟପୃଷ୍ଟ ହୋଇଥାଏ
ବାବୁଙ୍କ ପାପୁନ,
ହେଲେ ଅପପୃଷ୍ଟିରେ
ଆକ୍ରାନ୍ତ ମୋ ପପିଆ
କେମିତି ନିସ୍ତେଜ
ମନେହୁଏ ତା’ ପିଲାଦିନ !

ସବୁଜାଣେ ସବୁ ବୁଝେ
ତଥାପି ମୁଁ ହସୁଥାଏ
କାରଣ ମୁଁ ଚାଷୀଟିଏ,
ହିଂସା ଦ୍ୱେଷ ଅହଂକାର
ଅନୀତି ଓ ମିଥ୍ୟାଚାର
ମୋ ପାଇଁ ଅବୋଧ୍ୟ
କବିତାର ପଂକ୍ତିଟିଏ,
ମୁଁ ଚାଷୀଟିଏ !

ଏବେ ଭାରି କଷ୍ଟ ଲାଗେ
ଦେଖେ ଯେବେ,
ମୋ ନାମରେ ଆନ୍ଦୋଳନ,
ମୋ ପାଇଁ ଅନଶନ,
ସର୍ବତ୍ର ଶୁଭୁଛି ଏବେ
ମୋ ପାଇଁ କୁମ୍ଭୀର କ୍ରନ୍ଦନ,
ମୋ ନାମେ ଚାଲିଛି
ହିଂସାର ତାଣ୍ଡବ
ଏବଂ କ୍ଷୁର୍ଣ୍ଣ ହୁଏ ମୋ ନାମେ
ମୋ ଦେଶର ସମ୍ମାନ !

ମୁଁ ଚାଷୀଟିଏ,
ମୋହ ଠୁଁ ଦୂରରେ ରହି
ଜୀବନ ଗଢିବାର
ସଂକଳ୍ପରେ ବ୍ରତ୍ତିଟିଏ,
ନୁହେଁ ମୁଁ ତୁମ ବ୍ୟାପାରର
ଲାଭଯୁକ୍ତ ଶବ୍ଦଟିଏ,
କାରଣ ମୁଁ ଚାଷୀଟିଏ !

ଦେବେନ୍ଦ୍ର ନାଥ ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବେନ୍ଦ୍ର ନାଥ ରାଉତ ଦିଲ୍ଲୀରେ ବାସ କରୁଥିବା ଜଣେ ପ୍ରବାସୀ ଓଡ଼ିଆ, ଯିଏକି ଦିଲ୍ଲୀସ୍ଥିତ ପ୍ରବାସୀ ଓଡ଼ିଆ ସମାଜ "ଦ ଇଣ୍ଟେଲାକ୍ଟ"ର ସଭାପତି । ଓଡ଼ିଶା ବାହାରେ ରହିଲେ ବି ସେ ଓଡ଼ିଆ ଭାଷାକୁ ଏବଂ ଓଡ଼ିଶାକୁ ଅଗ୍ରାଧିକାର ଦେଇ ଆସିଛନ୍ତି । ତାଙ୍କରି ଉଦ୍ୟମରେ ଦିଲ୍ଲୀଠାରେ ପ୍ରତ୍ୟେକ ବର୍ଷ ମାତୃଭାଷା ଦିବସ ଅବସରରେ ପ୍ରବାସୀ ଭାଷା ସମ୍ମାନ ଆୟୋଜିତ କରାଯାଇଥାଏ । ସେ ଓଡ଼ିଶାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି, ଯାହାକି ଅନେକ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ମଧ୍ୟ ପ୍ରକାଶ ପାଇଆସୁଛି ।